ଆକାଶ ଛୁଆଁ ହେଲା ଆଳୁ ପିଆଜ ଦର, ବିଲାତି କିଲୋ ପିଛା ୧୦୦ ଟଙ୍କାରେ ବିକ୍ରି


କରୋନା ସଙ୍କଟ ମଧ୍ୟରେ ସାଧାରଣ ଜନତାଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ପନିପରିବା ଦାମ ବଢିଯିବାରୁ ଲୋକେ ମୁଣ୍ଡରେ ହାତ ଦେଲେଣି । ପନିପରିବା ଦାମ ବଢିଯିବାରୁ ରୋଷେଇ ବଜେଟ ମଧ୍ୟ ବଢିଯାଇଛି । ଦୈନଦିନ ଜୀବନରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଆଳୁ, ପିଆଜ, ଟମାଟୋ ଦାମ ମଧ୍ୟ ବୃଦ୍ଧି ପାଇଛି । ସୂଚନା ଅନୁଯାୟୀ, ଟମାଟୋ କିଲୋ ପ୍ରତି ୧୦୦ ଟଙ୍କା ହୋଇଛି । ଉପଭୋକ୍ତା ମନ୍ତ୍ରାଳୟ ଅନୁଯାୟୀ ସୋମବାର ଦିନ କୋଲକାତାରେ ଟମାଟୋ କିଲୋପ୍ରତି ୧୦୦ ଟଙ୍କା ରେକର୍ଡ କରାଯାଇଥିଲା । ସେପ୍ଟେମ୍ବର ମାସରେ କୋଲକାତାରେ ଟମାଟୋ ଦାମ କିଲୋ ପ୍ରତି ୪୦ ଟଙ୍କା ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି । ଦେଶର ଅନ୍ୟ ସହରମାନଙ୍କରେ ମଧ୍ୟ ଟମାଟୋ ଦାମ ଆକାଶଛୁଆଁ ହୋଇଛି । ସୋମବାର ଦିନ ରାଜଧାନୀ ଦିଲ୍ଲୀରେ ଟମାଟୋ କିଲୋ ପ୍ରତି ୬୩ ଟଙ୍କା, ମୁମ୍ବାଇ ଓ ପାଟନାରେ ୬୫ ଟଙ୍କା, ଲକ୍ଷ୍ନୌରେ ୭୦ ଟଙ୍କା ଓ ଗୁରୁଃଗ୍ରାମ. ଶିମଲା, ଲୁଧିଆନାରେ କିଲୋ ପ୍ରତି ୬୦ ଟଙ୍କା ଥିଲା । କେବଳ ଟମାଟୋ ନୁହେଁ, ଆଳୁ ପିଆଜ ଦାମ ମଧ୍ୟ ବୃଦ୍ଧି ପାଇଛି । ଅଧିକାଂଶ ସହରରେ ଆଳୁ କିଲୋ ପ୍ରତି ୩୫-୪୦ ଟଙ୍କା ରହିଛି । କିଛି ସହରରେ ଆଳୁ କିଲୋ ପ୍ରତି ୪୫ ଟଙ୍କା ରେକର୍ଡ କରାଯାଇଛି । ଉପଭୋକ୍ତା ମନ୍ତ୍ରାଳୟ ଅନୁସାରେ ସୋମବାର ଦିନ ଦିଲ୍ଲୀରେ ଆଳୁ କିଲୋ ପ୍ରତି ୩୭ ଟଙ୍କା, ଗୁରୁଃଗ୍ରାମରେ ୩୫, ଶିମଲାରେ ୪୫, ଲୁଧିଆନାରେ ୪୦, ମୁମ୍ବାଇରେ ୪୪, ପାଟନାରେ ୩୬, କୋଲକାତାରେ ୩୨ ଟଙ୍କା ରେକର୍ଡ କରାଯାଇଥିଲା । ଆଳୁ ପିଆଜ ଭଳି ଟମାଟୋ ଦାମ ମଧ୍ୟ ବୃଦ୍ଧି ପାଇଛି । ଉପଭୋକ୍ତା ମନ୍ତ୍ରାଳୟ ଅନୁସାରେ ସୋମବାର ଦିନ ଦିଲ୍ଲୀରେ ପିଆଜ ଦାମ କିଲୋ ପ୍ରତି ୪୧ ଟଙ୍କା ରେକର୍ଡ କରାଯାଇଥିଲା । ପିଆଜ ଦାମ ବୃଦ୍ଧି ପାଇଥିବା ଦେଖି ସରକାର ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ଲଗାଣ ବର୍ଷା ଯୋଗୁଁ ମଣ୍ଡିରେ ପନିପରିବା ଯୋଗାଣ ପ୍ରଭାବିତ ହୋଇଛି । ଫଳରେ ଦାମ ଲଗାତାର ବୃଦ୍ଧି ପାଉଛି । ଏହାଛଡା ଗତ କିଛି ଦିନ ହେଲା ଡିଜେଲ ଦାମ ମଧ୍ୟ ବୃଦ୍ଧି ପାଇଛି । ଯାହାଫଳରେ ପନିପରିବା ମଣ୍ଡି ଯାଏଁ ପହଞ୍ଚାଇବାକୁ ଅଧିକ ଶୁଳ୍କ ଲାଗୁଛି । ଏହାର ପ୍ରଭାବରେ ପନିପରିବା ଦାମ ବୃଦ୍ଧି ପାଇଛି ।


Share It

Comments are closed.