ନାଇଟ୍‌ ରାଇଡର୍ସ ପାଇଁ ‘କର ବା ମର’ ପରିସ୍ଥିତି


ଚଳିତ ଆଇପିଏଲ୍‌ର ୬୬ତମ ଲିଗ୍‌ ମୁକାବିଲାରେ ଆଜି ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଓ କୋଲକାତା ନାଇଟ ରାଇଡର୍ସ ପରସ୍ପରକୁ ଭେଟିବେ । ଉଭୟ ଦଳର ଏହା ଶେଷ ଲିଗ୍‌ ମ୍ୟାଚ୍‌ । ୧୬ ପଏଣ୍ଟ ହାସଲ କରିସାରିଥିବା ସୁପରଜାଏଣ୍ଟ୍‌ସ ଆଜି ବିଜୟ ସହ ପ୍ଲେ-ଅଫ୍‌ରେ ସ୍ଥାନ ପକ୍କା କରିବାକୁ ପ୍ରୟାସ କରିବ । ନାଇଟ୍‌ ରାଇଡର୍ସ ପାଇଁ ବିଜୟ ଅତ୍ୟନ୍ତ ଜରୁରି । ୧୨ ପଏଣ୍ଟ ହାସଲ କରିଥିବା ନାଇଟ୍‌ ରାଇଡର୍ସ ଆଜି ବଡ ବ୍ୟବଧାନରେ ବିଜୟ ହାସଲ କରି ପଏଣ୍ଟ ସଂଖ୍ୟା ୧୪କୁ ବୃଦ୍ଧି କରିବ । ଏଥି ସହ ଅନ୍ୟ ଦଳ ଗୁଡ଼ିକର ପ୍ରଦର୍ଶନକୁ ମଧ୍ୟ ଅପେକ୍ଷା କରିବ । ନାଇଟ୍‌ ରାଇଡର୍ସର ରନ୍‌ ରେଟ୍‌ ୦.୧୬୦ ରହିଛି । ପଏଣ୍ଟ ତାଲିକାର ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ୧୪ ପଏଣ୍ଟ ଲେଖାଏଁ ହାସଲ କରିସାରିଛନ୍ତି ।

କ୍ୟାପିଟାଲ୍ସ ଶେଷ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ଶେଷ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସକୁ ଭେଟିବେ । ଉଭୟଙ୍କ ମଧ୍ୟରେ ବିଜୟୀ ଦଳ ପ୍ଲେ- ଅଫ୍‌ରେ ପ୍ରବେଶ କରିପାରିବ । ଫଳରେ ୧୪ପଏଣ୍ଟ ହାସଲ କରୁଥିବା ଦଳ ମଧ୍ୟ ବାଦ ପଡ଼ିଯିବେ । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ସୁପରଜାଏଣ୍ଟ୍‌ସ ୭୫ ରନ୍‌ରେ ବିଶାଳ ବିଜୟ ହାସଲ କରିଥିଲା । ନାଇଟ୍‌ ରାଇଡର୍ସ ଶେଷ ୨ଟି ମ୍ୟାଚ୍‌ରେ ବିଜୟୀ ହୋଇଛି । ଫଳରେ ଆସନ୍ତା କାଲି ବିଜୟ ଧାରା ଜାରି ରଖିବାକୁ ଦଳ ପ୍ରୟାସ କରିବ । ଅଜିଙ୍କ୍ୟ ରାହାଣେଙ୍କ ଆହତ ସମସ୍ୟା ଦଳକୁ ପ୍ରବାଭିତ କରିପାରେ । କାରଣ ପୂର୍ବରୁ ପ୍ୟାଟ୍‌ କମିନ୍ସ ମଧ୍ୟ ଆହତ ହୋଇ ବାଦ ପଡ଼ିସାରିଛନ୍ତି । ସୁପରଜାଏଣ୍ଟ୍‌ସ ଦଳ ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ରହିଥିଲେ ହେଁ ଏପର୍ଯ୍ୟନ୍ତ ବ୍ୟାଟିଂ ବିଭାଗ ତ୍ରୁଟି ଦୂର କରିପାରି ନାହିଁ । ବିଶେଷ କରି ମଧ୍ୟ କ୍ରମ ବ୍ୟାଟିଂ ବିଭାଗ ଏ ପର୍ଯ୍ୟନ୍ତ ଦକ୍ଷତା ମୁତାବକ ପ୍ରଦର୍ଶନ କରିନାହାନ୍ତି । ପ୍ଲେ-ଅଫ ପୂର୍ବରୁ ସବୁ ତ୍ରୁଟି ସୁଧାରିବା ମୁଖ୍ୟ ଲକ୍ଷ୍ୟ ହେବ ।


Share It

Comments are closed.