ଭାରତ ପାଇଁ ଅଲିମ୍ପିଆନ୍ ସୃଷ୍ଟି କରିବାରେ ସହଯୋଗ କରିବ କେଆଇୟୁଜି: ସନ୍ଦୀପ ପ୍ରଧାନ


ଭାରତୀୟ କ୍ରୀଡା ପ୍ରାଧିକରଣ (ସାଇ)ର ମହାନିର୍ଦ୍ଦେଶକ ସନ୍ଦୀପ ପ୍ରଧାନ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା (କେଆଇୁଜି)କୁ ଭାରତୀୟ କ୍ରୀଡାର ଭବିଷ୍ୟତ ରୂପେ ଉଲ୍ଲେଖ କରିବା ସହ ଏହା ଭାରତ ପାଇଁ ଅନେକ ଅଲିମ୍ପିଆନ୍ ସୃଷ୍ଟି କରିବ ବୋଲି ଘୋଷଣା କରିଛନ୍ତି । ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାର ପ୍ରଥମ ସଂସ୍କରଣ ଆସନ୍ତାକାଲି ଅର୍ଥାତ୍ ଶନିବାରଠାରୁ ଓଡିଶାରେ ଆରମ୍ଭ ହେବ ଏବଂ ଉଦ୍‌ଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଙ୍ଗ୍ ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ । ଇଣ୍ଡିଆନ୍ ଅଏଲ୍ କର୍ପୋରେଶନ ଓ ଗେଲ୍ ଏହି ଟୁର୍ଣ୍ଣାମେଂଟ୍‌ର ଔପଚାରିକ ପ୍ରାୟୋଜକ ଅଟନ୍ତି । ଏହି ଅବସରରେ ସନ୍ଦୀପ ପ୍ରଧାନ କହିଥିଲେ, ବିଶ୍ୱବ୍ୟାପୀ ବିଶ୍ୱବିଦ୍ୟାଳୟ କ୍ରୀଡା ଖୁବ୍ ଲୋକପ୍ରିୟ । ଅଲିମ୍ପିକ୍ସ ପରେ ୨ୟ ପ୍ରମୁଖ କ୍ରୀଡା ହେଉଛି ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସ । ଶିକ୍ଷା ଓ କ୍ରୀଡାକୁ ଏକତ୍ରୀତ କରିବା ପାଇଁ ୨୦୧୭ରେ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ଉନ୍ମୋଚନ କରାଯାଇଥିଲା ଏବଂ ବର୍ତମାନ ଆମେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାର ପ୍ରଥମ ସଂସ୍କରଣ ଆରମ୍ଭ କରିଛୁ । ଓଡିଶା ସରକାର ଏହି ପ୍ରଥମ ସଂସ୍କରଣର ଆୟୋଜନ କରୁଥିବାରୁ ମୁଁ ବହୁତ ଖୁସି । ଓଡିଶା ଗତ କିଛି ବର୍ଷ ବେହ କ୍ରୀଡାକୁ ସମର୍ଥନ କରିବା କ୍ଷେତ୍ରରେ ଚମତ୍କାର କାର୍ଯ୍ୟ କରିଆସୁଛି ।

ଓଡିଶାର କ୍ରୀଡା ସଚିବ ବିଶାଲ ଦେବ ମାତ୍ର ୩ ମାସ ମଧ୍ୟରେ ଏହି ଟୁର୍ଣ୍ଣାମେଂଟ୍ ପାଇଁ ପ୍ରସ୍ତୁତ ହୋଇଥିବାରୁ ତାଙ୍କ ଟିମ୍‌କୁ ପ୍ରଶଂସା କରିଥିଲେ । ସେ କହିଥିଲେ, କିଟ୍ ବିଶ୍ୱବିଦ୍ୟାଳୟ ରାତାରାତି ସବୁକିଛି ଯୋଜନା କରିଥିଲା ଏବଂ ଆମେ ଏଥିପାଇଁ କିଟ୍‌କୁ ଧନ୍ୟବାଦ ଦେବା ଉଚିତ । କିଟ୍ ୩୫୦୦ରୁ ଅଧିକ ପ୍ରତିଯୋଗୀଙ୍କ ସହ ଏକ ବିଶ୍ୱସ୍ତରୀୟ ଇଭେଂଟ୍‌ର ଆୟୋଜନ କରିବାକୁ ଯାଉଛି । ସେହିକରି କିଟ୍‌ର ପ୍ରୋ-ଭାଇସ୍ ଚାନ୍ସେଲର୍ ସଶ୍ମିତା ସାମନ୍ତ କହିଥିଲେ, କେଆଇୟୁଜି ଶିକ୍ଷା ଓ କ୍ରୀଡାକୁ ଏକତ୍ରୀକରଣ କରିବା ପାଇଁ ବିଶ୍ୱବିଦ୍ୟାଳୟଗୁଡିକୁ ଏକ ବଡ ସୁଯୋଗ ପ୍ରଦାନ କରିବ । କେଆଇୟୁଜିର ଲଂଚ୍ ସହ କିଟ୍ ଇତିହାସ ରଚିବାକୁ ଯାଉଥିବାରୁ ଆମେ ବହୁତ ଖୁସି ଅନୁଭବ କରୁଛୁ । କେଆଇୟୁଜି-୨୦୨୦ ଓଡିଶାରେ ଦେଶବ୍ୟାପୀ ୧୫୯ଟି ବିଶ୍ୱବିଦ୍ୟାଳୟର ୩୩୪୩ ଜଣ ପ୍ରତିଯୋଗୀ (୧୭୩୮ ଜଣ ପୁରୁଷ ଓ ୧୬୦୫ ଜଣ ମହିଳା) ଅଂଶଗ୍ରହଣ କରିବେ । କଟକ ଓ ଭୁବନେଶ୍ୱରର ୧୦ଟି ସ୍ଥାନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ପ୍ରତିଯୋଗିତା ପାଇଁ ୨୦୬ଟି ସ୍ୱର୍ଣ୍ଣ, ୨୦୬ଟି ରୋପ୍ୟ ଓ ୨୮୬ଟି ବ୍ରୋଞ୍ଜ ମେଡାଲ ରହିଛି । ଏହି ଟୁର୍ଣ୍ଣାମେଂଟ୍ ଷ୍ଟାର ସ୍ପୋର୍ଟସ୍‌, ହଟ୍‌ଷ୍ଟାର ଓ ଦୂରଦର୍ଶନନରେ ଲାଇଭ୍ ପ୍ରସାରଣ ହେବ ।


Share It

Comments are closed.