ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଆନ୍ଥେମର ଶୁଭାରମ୍ଭ

ଆଇଓସିଏଲ୍ ମୁଖ୍ୟ ପ୍ରାୟୋଜକ, ଏହାର ପ୍ରସାରଣ କରିବ ଷ୍ଟାର ସ୍ପୋର୍ଟସ୍ ନେଟ୍‌ୱର୍କ


ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ (କେଆଇୱାଇଜି)ର ୩ଟି ସଂସ୍କରଣର ବିପୁଳ ସଫଳତା ଭାରତ ସରକାରଙ୍କ ପାଇଁ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ (କେୟୁଆଇଜି)ର ପ୍ରଥମ ସଂସ୍କରଣର ଉନ୍ମୋଚନ କରିବାକୁ ବାଟ ଫିଟାଇ ଦେଇଛି । ଜାତୀୟ ସ୍ତରର ପ୍ରଥମ ୟୁନିଭର୍ସିଟି ଗେମ୍ସ ଭାବେ କେଆଇୟୁଜିର ଉଦ୍‌ଘାଟନୀ ଋତୁ ପାଇଁ ପ୍ରମୁଖ ପିଏସ୍‌ୟୁ ଗୁଡିକ ଏହି କ୍ରୀଡା କ୍ରାନ୍ତିକୁ ପ୍ରାୟୋଜିତ କରିବା ଲାଗି ଆଗେଇ ଆସିଛନ୍ତି । ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ପ୍ରଥମ ସିଜନ୍ ପାଇଁ ଇଣ୍ଡିଆନ୍ ଅଏଲ୍ ମୁଖ୍ୟ ପ୍ରାୟୋଜକ ହୋଇଥିବାବେଳେ ଗେଲ୍ ଓ ଓଏନ୍‌ଜିସି ମଧ୍ୟ ଏହି ଟୁର୍ଣ୍ଣାମେଂଟ୍‌କୁ ସମର୍ଥନ କରୁଛନ୍ତି । ଉଚ୍ଚଶିକ୍ଷା କ୍ଷେତ୍ରରେ କ୍ରୀଡାର ମୂଲ୍ୟ ବୃଦ୍ଧି କରିବା ଏବଂ କେୟୁଆଇଜି ସହ ମାର୍ଗଦର୍ଶନନ ଓ ଭିତିଭୂମି ବିକାଶ ମାଧ୍ୟମରେ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ନେଇ ରହିଥିବା ଭାରତ ସରକାରଙ୍କ ଗମ୍ଭୀର ଉଦ୍ଦେଶ୍ୟ ପ୍ରତି ପ୍ରମୁଖ କମ୍ପାନୀଗୁଡିକର ପ୍ରୟୋଜକ ଭାବେ ସାମ୍‌ନାକୁ ଆସିବା ଏକ ବଡ ପ୍ରମାଣ ସଦୃଶ । ସେହିପରି ଭାରତର ପ୍ରମୁଖ ସ୍ପୋର୍ଟସ ବ୍ରଡ୍‌କାଷ୍ଟର ଷ୍ଟାର ସ୍ପୋର୍ଟସ୍‌, ଖେଲୋ ଇଣ୍ଡିଆ ସହ ସହଭାଗିତା ଜାରି ରଖିବା ସହ ଆସନ୍ତା ଫେବୃଆରୀ ୨୨ ତାରିଖରୁ ମାର୍ଚ୍ଚ ୧ ତାରିଖ ୨୦୨୦ ପର୍ଯ୍ୟନ୍ତ ଓଡିଶାରେ ଆୟୋଜିତ ହେବାକୁ ଥିବା ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ପ୍ରସାରଣ କରିବ ।

ଏହି ଅବସରରେ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତିଯେ, “ପ୍ରଥମ ଥର ପାଇଁ ଭାରତରେ ବିଶ୍ୱବିଦ୍ୟାଳୟ ସ୍ତରରେ ଏଭଳି ଏକ ପେସାଦାର ରୂପେ ସଂଗଠିତ ପ୍ରତିଯୋଗିତାର ଆୟୋଜନ ହେବାକୁ ଯାଉଛି । ମୁଁ କେୟୁଆଇଜି ପାଇଁ ମୁଖ୍ୟ ପ୍ରାୟୋଜକ ହୋଇଥିବା ଇଣ୍ଡିଆନ୍ ଅଏଲ୍ କର୍ପୋରେଶନକୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ।”

ସେହିପରି ଆଇଓସିଏଲ୍‌ର କର୍ପୋରେଟ୍ କମ୍ୟୁନିକେସନ୍ସ ବ୍ରାଣ୍ଡିଂ ବିଭାଗର କାର୍ଯ୍ୟକାରୀ ନିର୍ଦ୍ଦେଶକ ସୁବୋଧ ଡାଖୱାଲେ କହିଛନ୍ତିଯେ, “ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁଥିବା କେୟୁଆଇଜି ସହ ସହଭାଗିତାର ସୁଯୋଗ ଦେଇଥିବାରୁ ମୁଁ ମାନ୍ୟବର କ୍ରୀଡା ରାଷ୍ଟ୍ରମନ୍ତ୍ରୀ, କିରେନ୍ ରିଜିଜୁଙ୍କୁ ଧନ୍ୟବାଦ ଜଣାଉଛି । ମୋ ମତରେ ମୌଳିକ ଭିତିଭୂମିର ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହାଦ୍ୱାରା ଏହି ଖେଳାଳିମାନେ ଭବିଷ୍ୟତରେ ଭାରତର ପ୍ରତିନିଧିତ୍ୱ କରିପାରିବେ । ଏହି କାର୍ଯ୍ୟକ୍ରମରେ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ଆନ୍ଥେମ୍ ଲଂଚ୍ ହୋଇଥିଲା ଯାହାକୁ ପ୍ରଖ୍ୟାତ ଗାୟକ ତଥା ଭାଷ୍ୟକାର ପଦମ୍‌ଜୀତ୍ ସେରାୱତ ରଚନା କରିଥିଲେ । ସେ ଜଣେ ପୂର୍ବତନ ରଣଜୀ ଟ୍ରଫି ଖେଳାଳି ହେବାସହ ଭାଷ୍ୟକାର, ଗାୟକ, କମ୍ପୋଜର ଓ କ୍ରୀଡା ଭାଷ୍ୟକାର ଅଟନ୍ତି । ଏହି ଆନ୍ଥେମ୍‌ର ସଙ୍ଗୀତକୁ କମଲ୍ ଯୋଶୀ ଓ ପଦମ୍‌ଜୀତ୍ ମିଳିତ ଭାବେ ପ୍ରସ୍ତୁତ କରିଥିଲେ ।”

ଏହି ଅବସରରେ ପ୍ରଖ୍ୟାତ ସୁଟର୍ ମନୁ ଭାକର ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ଆରମ୍ଭ କରିଥିବାରୁ କ୍ରୀଡା ମନ୍ତ୍ରୀ, କିରେନ୍ ରିଜିଜୁଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହା ଭାରତର ଛାତ୍ରଛାତ୍ରୀମାନଙ୍କ ପାଇଁ ନିଜ କ୍ରୀଡା ପ୍ରତିଭା ପ୍ରଦର୍ଶନ କରିବାର ଓ ଏକ ଜାତୀୟ ପ୍ରତିଯୋଗିତାର ଅଂଶଗ୍ରହଣ କରିବାର ଏକ ବଡ ମଂଚ ହେବ ବୋଲି ସେ ମତ ଦେଇଥିଲେ । ଅନ୍ୟପକ୍ଷରେ ଷ୍ଟାର୍ ସ୍ପୋର୍ଟସ୍‌ର ସିଇଓ ଗୌତମ ଠାକର୍ କହିଛନ୍ତିଯେ, “ଷ୍ଟାର ସ୍ପୋର୍ଟସ୍ ଭାରତ ସରକାରଙ୍କ ଫିଟ୍ ଇଣ୍ଡିଆ ଓ ଖେଲୋ ଇଣ୍ଡିଆ ଅଭିଯାନକୁ ସମର୍ଥନକରି ଖୁବ୍ ଗର୍ବିତ ଅନୁଭବ କରୁଛି । ଖେଲୋ ଇଣ୍ଡିଆ ଅଭିଯାନକୁ ଉଚ୍ଚ ସ୍ତରକୁ ବଢାଇ ପ୍ରଥମ ଥର ପାଇଁ ଜାତୀୟ ସ୍ତରର ଏଭଳି ୟୁନିଭର୍ସିଟି ଗେମ୍ସର ଆୟୋଜନ କରିବା ନେଇ ସରକାରଙ୍କ ପ୍ରୟାସକୁ ଆମେ ପ୍ରଶଂସା କରୁଛୁ । ଏହି ଆନ୍ଥେମ୍ ଉନ୍ମୋଚନ ଉତ୍ସବରେ ମହାନନ ସୁଟର୍ ମନୁ ଭାକର, ଅନିଷ ଭାନ୍‌ୱାଲା, ସନ୍ଦୀପ ରାଜପୁତ ପ୍ରମୁଖ ଉପସ୍ଥିତ ଥିଲେ ।

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ୨୦୨୦ରେ ୧୭ଟି ବିଭାଗ ଯେପରିକି ଆର୍ଚେରୀ, ଆଥ୍‌ଲେଟିକ୍ସ, ବ୍ୟାଡ୍‌ମିଂଟନ, ବାସ୍କେଟ୍‌ବଲ, ବକ୍ସିଙ୍ଗ୍‌, ଫେନ୍ସିଙ୍ଗ୍‌, ଫୁଟ୍‌ବଲ, ହକି, ଜୁଡୋ, କବାଡି, ରଗ୍‌ବି, ସ୍ୱିମିଙ୍ଗ୍‌, ଟେବୁଲ ଟେନିସ୍‌, ଟେନିସ୍‌, ଭଲିବଲ, ଭାରୋତଳନ ଓ କୁସ୍ତି ଆଦି ଖେଳର ଆୟୋଜନ ହେବ । ଏହି ମଲ୍ଟିସ୍ପୋର୍ଟ କାର୍ଯ୍ୟକ୍ରମ ୯ ଦିନ ପାଇଁ ଆୟୋଜିତ ହେବ ଏବଂ ଏଥିରେ ୧୫୯ଟି ୟୁନିଭର୍ସିଟିର ମୋଟ ୩୩୯୯ ଜଣ ଖେଳାଳି ଅଂଶଗ୍ରହଣ କରିବେ । ଏହି ଟୁର୍ଣ୍ଣାମେଂଟ୍ ଆସନ୍ତା ଫେବୃଆରୀ ୨୨ରୁ ମାର୍ଚ୍ଚ ୧ ତାରିଖ ୨୦୨୦ ପର୍ଯ୍ୟନ୍ତ ଆୟୋଜିତ ହେବ ଏବଂ ଏହା ଷ୍ଟାର ସ୍ପୋର୍ଟସ୍ ଫାର୍ଷ୍ଟ, ଷ୍ଟାର୍ ସ୍ପୋର୍ଟସ୍ ୧, ଷ୍ଟାର ସ୍ପୋର୍ଟସ୍ ୧ ହିନ୍ଦୀ ଓ ଡିଡି ସ୍ପୋର୍ଟସ୍‌ରେ ପ୍ରସାରଣ ହେବ ।


Share It

Comments are closed.