କିମ୍‍ସରେ ମାଗଣା ଗ୍ରହଣଖଣ୍ଡିଆ ଅସ୍ତ୍ରୋପଚାର ଅଗଷ୍ଟରୁ


ଭୁବନେଶ୍ୱର,୧୬ ।୭: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡ଼ିକାଲ୍‍ ସାଇନ୍‍ସେସ୍‍(କିମ୍‍ସ)ରେ ଆସନ୍ତା ଅଗଷ୍ଟ ମାସରୁ ମାଗଣା ଗ୍ରହଣଖଣ୍ଡିଆ ଅସ୍ତ୍ରୋପଚାର କରାଯିବ। ସ୍ମାଇଲ୍‍ ଫାଉଣ୍ଡେସନ୍‍ ସହଯୋଗରେ କିମ୍‍ସରେ ଏହି ସେବା ଯୋଗାଇ ଦିଆଯିବାକୁ ଥିବା ବେଳେ ସମାଜର ସବୁବର୍ଗ ଏହାର ସୁବିଧା ନେଇପାରିବେ। କିମ୍‍ସରେ ବିଶ୍ୱ ପ୍ଲାଷ୍ଟିକ ସର୍ଜରୀ ଦିବସ ପାଳନ ଅବସରରେ ସୋମବାର କିମ୍‍ସ ମେଡ଼ିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଅମ୍ବିକା ପ୍ରସାଦ ମହାନ୍ତି, କିମ୍‍ସ ମେଡ଼ିକାଲ୍‍ ଅଧୀକ୍ଷକ ପ୍ରଫେସର ଆର.ସି.ଦାସ, କିମ୍‍ସ୍‍ ପରାମର୍ଶଦାତା ଡ଼ା.ଆର.ଏନ୍‍ ସାମନ୍ତ ଏବଂ ଡ଼ା.ପି.କେ ପଟ୍ଟନାୟକଙ୍କ ଉପସ୍ଥିତିରେ କିମ୍‍ସ ପକ୍ଷରୁ ଏହି ଘୋଷଣା କରାଯାଇଛି।

କିମ୍‍ସ ପ୍ଲାଷ୍ଟିକ ଏବଂ ରିକନ୍‍ଷ୍ଟ୍ରକ୍‍ଟିଭ୍‍ ସର୍ଜରୀ ବିଭାଗର ବରିଷ୍ଠ ପରାମର୍ଶଦାତା ଡ଼ା.ସୁନୀଲ କୁମାର ରାଉତ ସୂଚନା ପ୍ରଦାନ କରି କହିଥିଲେ ଏନେଇ ଗତବର୍ଷ କିମ୍‍ସ ଓ ସ୍ମାଇଲ୍‍ ଫାଉଣ୍ଡେସନ୍‍ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷର ହୋଇଥିଲା। ସମସ୍ତଙ୍କ ପାଇଁ ଏହି ସେବା ଉପଲବ୍ଧ କରାଇବା ଉପରେ ଗୁରୁତ୍ୱାରୋପ କରି ପ୍ଲାଷ୍ଟିକ୍‍ ସର୍ଜରୀ ବିଭାଗର ସହକାରୀ ପ୍ରଫେସର ଡ଼ା. ସମୀର କୁମାର ପଟେଲ୍‍ କହିଲେ, ସମଗ୍ର ବିଶ୍ୱରେ ହାରାହାରି ୭ଶହ ଲୋକଙ୍କ ମଧ୍ୟରୁ ଜଣେ ଜନ୍ମରୁ ଗ୍ରହଣଖଣ୍ଡିଆ।

ଏହାର ମାଗଣା ଚିକିତ୍ସାର ଉପକାରିତା ଉପରେ ଆଲୋକପାତ କରି ବିଭାଗୀୟ ପରାମର୍ଶଦାତା ଡ଼ା. ବଂଶୀଧର ମୂଳିଆ କହିଥିଲେ ଏହା ପ୍ରଭାବିତ ଲୋକଙ୍କ ଜୀବନ ମାନରେ ଉଲ୍ଲେଖନୀୟ ସୁଧାର ଆଣିପାରିବ। ଆସନ୍ତା ବର୍ଷ ବିଶ୍ୱ ପ୍ଲାଷ୍ଟିକ ସର୍ଜରୀ ଦିବସରୁ କିମ୍‍ସରେ ନୂତନ ବର୍ନ ୟୁନିଟ୍‍ କାର୍ଯ୍ୟ କରିବ ବୋଲି ଏହି ଅବସରରେ ଡ଼ା. ପଟ୍ଟନାୟକ ଘୋଷଣା କରିଥିଲେ । ସ୍ମାଇଲ୍‍ ସହଯୋଗରେ କିମ୍‍ସର ଏହି ପ୍ରୟାସ ଅନେକ ପରିବାରରେ ଖୁସି ଆଣିଦେବ ବୋଲି ହସ୍‍ପିଟାଲ୍‍ ପକ୍ଷରୁ ଆଶା ପୋଷଣ କରାଯିବା ସହ ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଉପଲବ୍‍ଧ କରାଇବା ପ୍ରତିବଦ୍ଧତାର ଏକ ଅଂଶବିଶେଷ ବୋଲି ହସ୍ପିଟାଲ୍‍ ପକ୍ଷରୁ କୁହାଯାଇଛି।


Share It

Comments are closed.