ଖେଲୋ ଇଣ୍ଡିଆ ୟୁନିଭର୍ସିଟି ପ୍ରତିଯୋଗିତା ପାଇଁ ଶୀର୍ଷ ବିଶ୍ୱବିଦ୍ୟାଳୟଗୁଡିକ ପ୍ରସ୍ତୁତ


ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ୩ଟି ସଂସ୍କରଣର ସଫଳ କାର୍ଯ୍ୟକାରିତା ପରେ ଭାରତ ସରକାର ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ଆୟୋଜନ କରିବାକୁ ନିଷ୍ପତି ନେଇଛନ୍ତି । ଏହାର ପ୍ରଥମ ସଂସ୍କରଣକୁ ସ୍ପୋର୍ଟସ୍ ଅଥୋରିଟି ଅଫ୍ ଇଣ୍ଡିଆ, ଆସୋସିଏଶନ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିଜ୍‌, ନ୍ୟାସ୍‌ନାଲ ସ୍ପୋର୍ଟସ୍ ଫେଡେରେଶନ, ଇଣ୍ଡିଆନ୍ ଅଲିମ୍ପିକ୍ ଆସୋସିଏଶନ (ଆଇଓଏ) ଏବଂ ଅଂଶଗ୍ରହଣକାରୀ ବିଶ୍ୱବିଦ୍ୟାଳୟଗୁଡିକର ସହଭାଗିତାରେ ଓଡିଶା ସରକାରଙ୍କ ଦ୍ୱାରା ଆସନ୍ତା ଫେବୃଆରୀ ୨୨ ତାରିଖରୁ ମାର୍ଚ୍ଚ ୧ ତାରିଖ ୨୦୨୦ ପର୍ଯ୍ୟନ୍ତ ଆୟୋଜିତ ହେବ ।

ଆମେରିକା ଓ ୟୁରୋପୀୟ ଦେଶଗୁଡିକରେ ୟୁନିଭର୍ସିଟି ଗେମ୍‌ସ ଖୁବ୍ ଲୋକପ୍ରିୟ ହୋଇଥିବା ବେଳେ ଏହା ସେମାନଙ୍କୁ ଅଲିମ୍ପିକ୍ ପାଇଁ ପ୍ରତିଭା ଚିହ୍ନଟ କରିବାରେ ସାହାର୍ଯ୍ୟ କରିଥାଏ । ତେଣୁ ଏବେ ଭାରତ ସରକାର ମଧ୍ୟ ବିଶ୍ୱବିଦ୍ୟାଳୟ ସ୍ତରୀୟ ପ୍ରତିଭାମାନଙ୍କୁ ସେମାନଙ୍କ ପ୍ରତିଭାର ପ୍ରଦର୍ଶନ କରିବା ଲାଗି ଏକ ମଂଚ ପ୍ରଦାନ କରି ଅଧିକରୁ ଅଧିକ ପ୍ରତିଭାଶାଳୀ ଖେଳାଳିଙ୍କୁ ଖୋଜି ବାହାର କରିବାକୁ ଯୋଜନା ରଖିଛନ୍ତି । ଭାରତରେ ଟେନିସ୍ ଖେଳାଳିଙ୍କ ପାଇଁ ସେତେଟା ଏକ୍ସପୋଜର୍ ନଥିବାରୁ ଜୈନ ବିଶ୍ୱବିଦ୍ୟାଳୟର ଜଣେ ଟେନିସ୍ ଖେଳାଳି ରାହୁଲ ସଙ୍କର ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଅଂଶଗ୍ରହଣ କରିବା ଲାଗି ଖୁବ୍ ଉତ୍ସାହିତ ଅଛନ୍ତି । ସେହିପରି ଭିଏନ୍‌ଏସ୍‌ଜି ବିଶ୍ୱବିଦ୍ୟାଳୟର କଲ୍ୟାଣୀ ସକ୍ସେନା ହେଉଛନ୍ତି ବର୍ତମାନ ଭାରତର ଶୀର୍ଷ ସନ୍ତରଣକାରୀଙ୍କ ମଧ୍ୟରୁ ଜଣେ ଏବଂ ସେ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଚାମ୍ପିଅନ ହେବାର ସମ୍ଭାବନା ରହିଛି । ୨୦୧୧ରୁ ବର୍ତମାନ ସୁଦ୍ଧା ସେ ୪୭ଟି ମେଡାଲ ଜିତିଛନ୍ତି ଯେଉଁଥିରେ ୭ଟି ନ୍ୟାସ୍‌ନାଲ ମେଡାଲ ସାମିଲ ରହିଛି । ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଦ୍ୱାରା କଲେଜ ସ୍ତରରେ ହେଉଥିବା ଖେଳରେ ଆଗାମୀ ଦିନରେ ଏକ ବଡ ପରିବର୍ତନ ଆସିବ ବୋଲି କଲ୍ୟାଣୀଙ୍କ ପିତା କହିଛନ୍ତି ।

ପଞ୍ଜାବ ୟୁନିଭର୍ସିଟିର ଫେନ୍ସର ଏନା ଅରୋରା ବିଶ୍ୱାସ କରନ୍ତି ଯେ, ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଫେନ୍ସିଙ୍ଗ୍‌କୁ ଜାତୀୟ ସ୍ତରରେ ହାଇଲାଇଟ୍ କରିପାରିବ ଏବଂ ଅଧିକରୁ ଅଧିକ ଖେଳାଳିଙ୍କୁ ଏହି ଖେଳ ପ୍ରତି ଆକୃଷ୍ଟ କରିପାରିବ । ଭାରତରେ କମ୍ ପ୍ରତିଯୋଗିତା ଓ ଏହି ଖେଳର କମ୍ ଏକ୍ସପୋଜର୍ କାରଣରୁ ସେମାନେ ନିରାଶ ହୋଇପଡିଥିଲେ । ଇଣ୍ଟର-ୟୁନିଭର୍ସିଟି ଗେମ୍ସରେ ବ୍ରୋଞ୍ଜ ମେଡାଲ ଜିତିଥିବା ଏନା ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ନିଜ ପାଇଁ ତଥା ନିଜ ଟିମ୍ ପାଇଁ ଗୋଲ୍ଡ ଜିତିବାକୁ ଆଶା ରଖିଛନ୍ତି । ଏହି ଟୁର୍ଣ୍ଣାମେଂଟ୍‌ରେ ଭାରତର ୧୭୬ଟି ଇନ୍‌ଷ୍ଟିଚ୍ୟୁଟ୍‌ରୁ ୪୦୦୦ରୁ ଅଧିକ ପ୍ରତିଯୋଗୀ ୧୭ଟି ବିଭାଗରେ ଅଂଶଗ୍ରହଣ କରିବେ ।


Share It

Comments are closed.