ଫେବୃଆରୀରେ ଟୋକିଓ ଟିକେଟ ପାଇବା ଆଶାରେ ଦୂତୀ


ଭୁବନେଶ୍ୱର: ଭାରତର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ୍ ବିଶ୍ୱାସ କରନ୍ତି ଯେ, ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଭବିଷ୍ୟତ ପାଇଁ ଭାରତକୁ ଏହାର ପ୍ରତିଭାମାନଙ୍କୁ ଖୋଜି ବାହାର କରିବାରେ ସହଯୋଗ କରିବ । ଏହି ପ୍ରତିଯୋଗିତାର ପ୍ରଥମ ସଂସ୍କରଣ ଭୁବନେଶ୍ୱରରେ ଆସନ୍ତା ଫେବୃଆରୀ ୨୨ ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଛି । ଗତ ବର୍ଷ ୱାଲ୍ଡ ୟୁନିଭର୍ସିଟି ଗେମ୍‌ସରେ ଗୋଲ୍ଡ ମେଡାଲ ହାସଲ କରିଥିବା ଏହି ସ୍ପ୍ରିଂଟର୍ ଦୂତୀ ଚାନ୍ଦଙ୍କ ମତରେ, ଦେଶର ଅଧିକ କ୍ରୀଡା ପ୍ରତିଭା ସ୍କୁଲ ଓ କଲେଜ ଗୁଡିକରେ ରହିଛି । ଦୂତୀଙ୍କ କହିବା ଅନୁସାରେ, ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଦେଶର ପ୍ରତିଭାମାନଙ୍କୁ ଖୋଜିବାର ଏକ ଉନ୍ନତ ମାଧ୍ୟମ । ବିଶେଷକରି ଖେଳ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ହିଁ ଖେଳା ଯାଇଥାଏ । ତେଣୁ ବାସ୍ତବରେ କେଉଁ ମାନଙ୍କ ପାଖରେ ପ୍ରତିଭା ରହିଛି ତାହା ଆମେ ୟୁନିଭର୍ସିଟି ଗେମ୍ସେରେ ଜାଣିପାରିଥାଏ । ମୁଁ ମଧ୍ୟ ଏହି ଟୁର୍ଣ୍ଣାମେଂଟ୍‌ରେ ଅଂଶଗ୍ରହଣ କରିବି ।
ଗତ ବର୍ଷ ନ୍ୟାସ୍‌ନାଲ ଓପନ୍ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍‌ରେ ୧୧.୨୨ ସେକେଣ୍ଡର ଟାଇମିଙ୍ଗ୍ ସହ ୧୦୦ ମିଟରରେ ନିଜର ଜାତୀୟ ରେକର୍ଡକୁ ଉନ୍ନତ କରିବା ସହ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିବା ଚାନ୍ଦ କ୍ରୀଡାବିତ୍ ମାନଙ୍କୁ ଖେଳରେ କ୍ୟାରିୟର କରିବା ପାଇଁ ସହାୟତା ପ୍ରଦାନ କରି ପ୍ରୋତ୍ସାହିତ କରୁଥିବାରୁ ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ, ଓଡିଶା ସରକାର କ୍ରୀଡା ଜଗତକୁ ବେଶ ଭଲ ଭାବରେ ସମର୍ଥନ କରୁଛନ୍ତି । ଖେଳାଳୀମାନେ ସରକାରୀ କ୍ଷେତ୍ରରେ ଚାକିରି ପାଇବା ସହ ସେମାନଙ୍କୁ ସମସ୍ତ ପ୍ରକାରର ଖେଳ ପାଇଁ ଭଲ ପ୍ରଦର୍ଶନ କରିବା ଲାଗି ସୁବିଧାସୁଯୋଗ ପ୍ରଦାନ କରାଯାଉଛି । ସରକାରଙ୍କ ପକ୍ଷରୁ ଖେଳାଳୀମାନଙ୍କୁ ସହଯୋଗ ମିଳୁଥିବାରୁ ମୁଁ ବହୁତ ଖୁସି । କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌) ତରଫରୁ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍‌ରେ ଅଂଶଗ୍ରହଣ କରିବାକୁ ଥିବା ଏହି ରାଷ୍ଟ୍ରୀୟ ରେକର୍ଡ ଧାରକ ଭାରତ ସରକାରଙ୍କ ଦ୍ୱାରା ଭାରତୀୟ ଖେଳାଳୀମାନଙ୍କୁ ସହଯୋଗ କରାଯାଉଥିବା ଦେଖି ଖୁବ୍ ଖୁସିବ୍ୟକ୍ତ କରିଛନ୍ତି ।
ଦୂତୀଙ୍କ ମତରେ, ପୂର୍ବରୁ କେବଳ କ୍ରିକେଟ୍ ଉପରେ ଅଧିକ ଧ୍ୟାନ ଦିଆଯାଉଥିଲା କିନ୍ତୁ ବର୍ତମାନ ଆଥ୍‌ଲେଟିକ୍ସକୁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି । ଖେଲୋ ଇଣ୍ଡିଆ ଗେମ୍ସ ମାଧ୍ୟମରେ ଗ୍ରାମାଂଚଳର ଆଥ୍‌ଲେଟ୍‌ମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ସୁଯୋଗ ଦିଆଯାଉଛି । ଏଥିସହିତ ସେମାନଙ୍କୁ କ୍ରୀଡା ସମ୍ବନ୍ଧିତ ଅନ୍ୟାନ୍ୟ ସୁବିଧା ମଧ୍ୟ ପ୍ରଦାନ କରାଯାଉଛି । ପ୍ରତ୍ୟେକ ରାଜ୍ୟରେ ଏକ ଏସ୍‌ଏଆଇ କ୍ୟାମ୍ପସ କରାଯାଇଛି ଯେଉଁଠାରେ ନୂଆ ଆଥ୍‌ଲେଟ୍‌ମାନେ ପ୍ରଶିକ୍ଷଣ ପାଇପାରିବେ । ବର୍ତମାନ ଦୂତୀ ଚାନ୍ଦ୍ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ୧୦୦ ମିଟର ଇଭେଂଟ୍ ପାଇଁ କ୍ୱାଲିଫିକେସନ ମାର୍କ ୧୧.୧୫ ସେକେଣ୍ଡ ରଖାଯାଇଛି । ସେହିପରି ଦୂତୀ କହିଥିଲେ, ମୁଁ ବର୍ତମାନ ପର୍ଯ୍ୟନ୍ତ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିନାହିଁ । ତେଣୁ ମୋତେ ଏହି ୧୧.୧୫ ସେକେଣ୍ଡର ଯୋଗ୍ୟତା ପଏଂଟ୍ ହାସଲ କରିବାକୁ ହେବ । ଆସନ୍ତା ଫେବୃଆରୀ ମାସରେ ହେବାକୁ ଥିବା ପ୍ରତିଯୋଗିତାଗୁଡିକରେ ମୋତେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାର ଏକ ସୁଯୋଗ ମିଳିବ ।


Share It

Comments are closed.