ରାଜ୍ୟରେ ଖରିଫ ଧାନସଂଗ୍ରହ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ


ଭୁବନେଶ୍ୱର : ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ରାଜ୍ୟରେ ଖରିଫ ଧାନସଂଗ୍ରହ କାର୍ଯ୍ୟ ଚାଲୁ ରହିଥିବାବେଳେ ଆଜି ସୁଦ୍ଧା ମୋଟ ୩୫ ୬ ହଜାର ୧୮୩ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି । ଏହା ଗତବର୍ଷ ଆଜି ଦିନ ସୁଦ୍ଧା ସଂଗ୍ରହ କରାଯାଇଥିବା ଖରିଫ ଧାନ ତୁଳନାରେ ୨୨ ପ୍ରତିଶତ ଅଧିକ । ଗତବର୍ଷ ଆଜିର ତାରିଖରେ ମୋଟ ୨୮ ଲକ୍ଷ ୮୧ ହଜାର ୪୭୫ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିଲା । ନାମ ପଂଜୀକରଣ କରିଥିବା ଚାଷୀମାନେ ଯେପରି ସହଜରେ ଓ ସୁବିଧାରେ ପ୍ୟାକ୍ସ/ଲ୍ୟାମ୍ପସ/ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକରେ ସେମାନଙ୍କ ଧାନ ବିକ୍ରି କରିପାରିବେ, ସେଥି ନିମନ୍ତେ ବିଭାଗୀୟ ଅଧିକାରୀମାନେ ସମସ୍ତ ପଦକ୍ଷେପ ନେବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ବିଭାଗ ଦ୍ୱାରା ନାମ ପଂଜୀକରଣ କରିଥିବା ଚାଷୀମାନଙ୍କଠାରୁ ପି-ପାସ ଓ ଆଗୁଆ ଟୋକେନ ପ୍ରଦାନ ମାଧ୍ୟମରେ ଖରିଫ ଧାନ ସଂଗ୍ରହ କରାଯାଉଛି । ଏହା ସହିତ କୋଭିଡ-୧୯ ସ୍ଥିତିରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଓ ସାମାଜିକ ଦୂରତ୍ୱକୁ ଅନୁପାଳନ କରି ଧାନ ସଂଗ୍ରହ କରାଯାଉଛି ।
ଚଳିତ ଖରିଫରେ ଆଜି ପର୍ଯ୍ୟନ୍ତ ଅଧିକ ଧାନ ସଂଗ୍ରହ ହୋଇଥିବା ଜିଲ୍ଲାଗୁଡିକ ମଧ୍ୟରେ ବରଗଡରେ ୬,୬୫,୦୪୮ ମେଟ୍ରିକ ଟନ ଧାନ ସଂଗୃହୀତ ହୋଇଛି ଯାହାକି ଗତବର୍ଷ ଆଜି ତାରିଖରେ ସଂଗୃହୀତ ଧାନ ତୁଳନାରେ ୧୩ ପ୍ରତିଶତ ଅଧିକ । ବଲାଙ୍ଗୀର ଜିଲ୍ଲାରେ ୨,୮୪,୪୯୧ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି । ଏହା ଗତବର୍ଷ ତୁଳନାରେ ୪୦ ପ୍ରତିଶତ ଅଧିକ । ସେହିପରି କଳାହାଣ୍ଡିରେ ୪,୧୨,୬୪୯ ମେଟ୍ରିକ ଟନ, କୋରାପୁଟରେ ୨,୧୧,୨୧୭ ମେଟ୍ରିକ ଟନ, ଗଞ୍ଜାମରେ ୧,୧୪,୩୨୫ ମେଟ୍ରିକ ଟନ, ନବରଙ୍ଗପୁର ୧,୩୫,୬୧୮ ମେଟ୍ରିକ ଟନ, ନୂଆପଡାରେ ୧,୨୦,୯୦୭ ଟନ, ସମ୍ବଲପୁରରେ ୩,୩୭,୨୩୩ ମେଟ୍ରିକ ଟନ, ସୁବର୍ଣ୍ଣପୁରରେ ୨,୮୧,୪୩୫ ମେଟ୍ରିକ ଟନ, ସୁନ୍ଦରଗଡରେ ୧,୦୨,୬୫୭ ମେଟ୍ରିକ ଟନ ଏବଂ ମାଲକାନଗିରିରେ ୧,୦୩,୦୮୨ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି । ଗତବର୍ଷ ଆଜି ଦିନ ତୁଳନାରେ କଳାହାଣ୍ଡିରେ ୧୬ ପ୍ରତିଶତ, କୋରାପୁଟରେ ୧୭ ପ୍ରତିଶତ, ନବରଙ୍ଗପୁରରେ ୪୭ ପ୍ରତିଶତ, ନୂଆପଡାରେ ୩୩ ପ୍ରତିଶତ, ସମ୍ବଲପୁରରେ ୩୪ ପ୍ରତିଶତ, ସୁବର୍ଣ୍ଣପୁରରେ ୧୯ ପ୍ରତିଶତ, ସୁନ୍ଦରଗଡରେ ୨୭ ପ୍ରତିଶତ ଓ ମାଲକାନଗିରିରେ ୧୭ ପ୍ରତିଶତ ଅଧିକ ଖରିଫ ଧାନ ସଂଗ୍ରହ କରାଯାଇଛି ।


Share It

Comments are closed.