ଟିପିଏସ୍ଓଡିଏଲ୍ ପକ୍ଷରୁ ବୌଦ୍ଧରେ ଭରସାଯୋଗ୍ୟ ବିଜୁଳି ସେବା ପାଇଁ କଣ୍ଟାମାଳ ପିଏସ୍ଏସର କ୍ଷମତା ବୃଦ୍ଧି

Share It

ବ୍ରହ୍ମପୁର, ୨୦୨୫: ଦକ୍ଷିଣ ଓଡ଼ିଶାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ସ୍ଥିତ ପାୱାର ସବଷ୍ଟେସନର କ୍ଷମତା ବୃଦ୍ଧି ଏବଂ ଉନ୍ନତିକରଣ କରାଯାଇଛି। ଗ୍ରୀଷ୍ମକାଳୀନ ବିଦ୍ୟୁତ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।

ପୂର୍ବରୁ କଣ୍ଟାମାଳ ପିଏସ୍ଏସରେ ୫ ଏମଭିଏ ଏବଂ ୧.୫ ଏମଭିଏ କ୍ଷମତା ବିଶିଷ୍ଟ ଦୁଇଟି ପାୱାର ଟ୍ରାନ୍ସଫର୍ମର ଥିଲା। ବର୍ତ୍ତମାନ ଏହି ୧.୫ ଏମଭିଏ ଟ୍ରାନ୍ସଫର୍ମର ବଦଳରେ ଏକ ନୂତନ ୩.୧୫ ଏମଭିଏ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି। ଯାହା ଫଳରେ ସବଷ୍ଟେସନର ମୋଟ କ୍ଷମତା ୮.୧୫ ଏମଭିଏକୁ ବୃଦ୍ଧି ପାଇବା ସହ କ୍ରମ-ବର୍ଦ୍ଧିଷ୍ଣୁ ବିଜୁଳି ଚାହିଦା ପୂରଣ କରିବାରେ ସହାୟକ ହେବ।

ଏହି ଉନ୍ନତିକରଣ ପଦକ୍ଷେପ ଦ୍ଵାରା ପ୍ରତ୍ୟକ୍ଷ ଭାବେ କଣ୍ଟାମାଳ ବ୍ଲକ ଏବଂ ଆଖପାଖ ଗ୍ରାମାଞ୍ଚଳର ୫ ହଜାରରୁ ଉର୍ଦ୍ଧ୍ବ ଉପଭୋକ୍ତା ଉପକୃତ ହୋଇପାରିଛନ୍ତି। କଣ୍ଟାମାଳ ମେଡିକାଲ, ବ୍ଲକ ମୁଖ୍ୟାଳୟ, ଉଦୟପୁର ଭଳି ଗୁରୁତ୍ବପୁର୍ଣ ଅଞ୍ଚଳରେ ଥିବା ଫିଡରକୁ ଏହା ଗୁଣାତ୍ମକ ବିଦ୍ୟୁତ ପ୍ରଦାନ କରିବ। ବିଜୁଳି ଚାହିଦା ଅଧିକ ଥିବା ସମୟରେ ଏହି ଫିଡର୍ ସ୍ଥାନୀୟ ଅଞ୍ଚଳର ଜରୁରୀକାଳୀନ ସେବା ଏବଂ ଆବାସିକ ଇଲାକାକୁ ଭରସାଯୋଗ୍ୟ ବିଜୁଳି ଯୋଗାଉଛି।

ଏ ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଗ୍ରୀଷ୍ମ ଋତୁରେ ବିଜୁଳି ଚାହିଦା ଅଧିକ ଥିବା ବେଳେ ଭରସାଯୋଗ୍ୟ ବିଦ୍ୟୁତ ସେବା ଯୋଗାଣ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ଉନ୍ନତିକରଣ ପଦକ୍ଷେପ ଉପଭୋକ୍ତାଙ୍କ ବର୍ଦ୍ଧିଷ୍ଣୁ ଚାହିଦାକୁ ପୂରଣ କରିବା ପାଇଁ ଭିତ୍ତିଭୂମି ସୁଦୃଢ଼ କରିବା ଦିଗରେ ଆମର ନିରନ୍ତର ପ୍ରୟାସକୁ ଦର୍ଶାଉଛି।

ଭିତ୍ତିଭୂମି, ଟେକ୍ନୋଲଜି ଏବଂ ଉପଭୋକ୍ତା କୈନ୍ଦ୍ରିକ ପଦକ୍ଷେପରେ ନିବେଶ କରି ଦକ୍ଷିଣ ଓଡ଼ିଶାର ବିଦ୍ୟୁତ ବିତରଣ ନେଟୱର୍କକୁ ଉନ୍ନତ କରିବା ଦିଗରେ ଟିପିଏସ୍ଓଡିଏଲ୍ ପ୍ରତିବଦ୍ଧ ରହିଛି। ଯାହା ଏକ ସୁଦୃଢ ବିଦ୍ୟୁତ ଭିତ୍ତିଭୂମି ନିର୍ମାଣ କରିବାରେ ସହାୟକ ହେବ।


Share It

Comments are closed.