ହାଇକୋର୍ଟରେ କଙ୍ଗନାଙ୍କ ବଡ ବିଜୟ, ଅଫିସ୍ ଭାଙ୍ଗିବା ପାଇଁ ବିଏମସିକୁ ଦେବାକୁ ପଡିବ କ୍ଷତିପୂରଣ


ପାଲି ହିଲରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ କାର୍ଯ୍ୟାଳୟ ଭାଙ୍ଗିବା ପ୍ରସଙ୍ଗରେ ହାଇକୋର୍ଟ ନିଜର ରାୟ ଦେଇଛନ୍ତି। ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ କଙ୍ଗନାଙ୍କ କାର୍ଯ୍ୟାଳୟରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯିବ। ଶୁଣାଣି ବେଳେ କୋର୍ଟ କହିଥିଲେ ଯେ, ଏହା ପ୍ରମାଣ ମିଳିଛି ଯେ ଷ୍ଟ୍ରକ୍‌ଚର ପୂର୍ବରୁ ପ୍ରସ୍ତୁତ ଥିଲା ମାତ୍ର ବିଏମସି ମନ୍ଦ ଉଦ୍ଦେଶ୍ୟ ରଖି କାର୍ଯ୍ୟାନୁଷ୍ଠାନ କରିଥିଲା । ବିଏମସିର ଅବୈଧ ନିର୍ମାଣ ବିରୋଧରେ ଜାରି କରାଯାଇଥିବା ନୋଟିସ୍ କୁ ଅକାମୀ କରିଦେଇଛନ୍ତି ହାଇକୋର୍ଟ । ଏହାସହ କୋର୍ଟ କଙ୍ଗନାଙ୍କର ହୋଇଥିବା କ୍ଷତିର ଆକଳନ ପାଇଁ ମୂଲ୍ୟାଙ୍କନକର୍ତ୍ତାକୁ ନିଯୁକ୍ତି କରିବା ପାଇଁ କହିଛନ୍ତି । ଫଳରେ କ୍ଷତିପୂରଣ ରାଶି ନିର୍ଧାରିତ କରାଯାଇପାରିବ । କୋର୍ଟ କଙ୍ଗନାଙ୍କୁ ସର୍ବସାଧାରଣରେ ବୟାନ ଦେବା ସମୟରେ ସଞ୍ଜମତା ରକ୍ଷା କରିବାକୁ କହିଛନ୍ତି ।

ନିଜ ସପକ୍ଷରେ କୋର୍ଟ ନିଷ୍ପତ୍ତି ଶୁଣାଇବା ପରେ କଙ୍ଗନା ଖୁବ୍ ଖୁସି ଅଛନ୍ତି । ସେ ଟ୍ବିଟରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ଯେତେବେଳେ କୌଣସି ବ୍ୟକ୍ତି ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥାଏ ଏବଂ ବିଜୟୀ ହୋଇଥାଏ ତେବେ ସେହି ବ୍ୟକ୍ତିର ବିଜୟ ନୁହେଁ ବରଂ ଏହା ଲୋକତନ୍ତ୍ରର ବିଜୟ । ଯେଉଁମାନେ ମୋତେ ସାହାସ ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ । ସେମାନଙ୍କୁ ମଧ୍ୟ ଧନ୍ୟବାଦ ଯେଉଁମାନେ ମୋ ଭଙ୍ଗା ସ୍ବପ୍ନକୁ ଗଢିଦେଲେ । ଏହାର କେବଳ ଗୋଟିଏ କାରଣ ଯେ, ଆପଣ ଜଣେ ଖଳନାୟକଙ୍କ ଭୂମିକା ଗ୍ରହଣ କରୁଥିଲେ, ଏଥିପାଇଁ ମୁଁ ଜଣେ ହିରୋ ହୋଇଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ବିଏମସି ସେପ୍ଟେମ୍ବର ୯ତାରିଖରେ କଙ୍ଗନା ରଣାଓ୍ବତଙ୍କ ବଙ୍ଗଳାର ଏକ ଅଂଶ ଭାଙ୍ଗିଦେଇଥିଲା । ବିଏମସିର ଏହି କାର୍ଯ୍ୟାନୁଷ୍ଠାନ ପରେ କଙ୍ଗନା ଅଭିଯୋଗ ଆଣିଥିଲେ ଯେ, ଶିବସେନା ଏବଂ ମହାରାଷ୍ଟ୍ର ସରକାର ତାଙ୍କ ବୟାନ ଯୋଗୁଁ ବିଚଳିତ ହୋଇଉଠିଲା ଯାହା ଫଳରେ ତାଙ୍କ ବଙ୍ଗଳାର ଏକ ଅଂଶ ଭାଙ୍ଗିଦେଇଥିଲା । ଅନ୍ୟପଟେ ବିଏମସି କଙ୍ଗନାଙ୍କ ଅଭିଯୋଗକୁ ଖଣ୍ଡନ କରି କହିଥିଲା ଯେ, କଙ୍ଗନାଙ୍କ ଅଫିସ ରେ ଅବୈଧ ନିର୍ମାଣ ରହିଥିଲା ।


Share It

Comments are closed.