ଆସୁମଲରୁ ଆଶାରାମ ପର୍ଯ୍ୟନ୍ତ ଯାତ୍ରା


ଭାରତ ହେଉଛି ସାଧୁସନ୍ଥମାନଙ୍କର ଦେଶ । ଧର୍ମ ନିରପେକ୍ଷ ତଥା ଧାର୍ମିକ ରାଷ୍ଟ୍ର ଭାବରେ ସାରା ବିଶ୍ୱରେ ଏହା ଜଣାଶୁଣା । କିନ୍ତୁ କେତେକ ଭଣ୍ଡ ସନ୍ଥ ଏହାର ସୁଯୋଗ ନେଇ ଲୋକମାନଙ୍କ ଏହି ଧାର୍ମିକ ଭାବନାର ଫାଇଦା ହାସଲ କରିବାରେ ସବୁବେଳେ ବ୍ୟସ୍ତ । ବଡ଼ ବଡ଼ ରାଜନେତା, ସୁରକ୍ଷାକର୍ମୀ, ବ୍ୟବସାୟୀମାନଙ୍କୁ ହାତମୁଠାରେ ରଖି ଧର୍ମ ନାଁରେ ସେମାନେ ଦେଶ ଓ ଦେଶବାସୀଙ୍କୁ ଲୁଟିବାରେ ବ୍ୟସ୍ତ । ଅହରହ ସେମାନେ ମହିଳାଙ୍କ ଇଜ୍ଜତ, ଲୋକଙ୍କଠାରୁ ଧନସମ୍ପତି ଲୁଟିବାରେ ଲିପ୍ତ । ସେ ସୁର, ସାରଥି ହୁଅନ୍ତୁ ବା ଆଶାରାମ, ରାମରହିମ ହୁଅନ୍ତୁ । ନାନା କୁକର୍ମରେ ସଂପୃକ୍ତ ଆତ୍ମଘୋଷିତ ସନ୍ଥ ଆଶାରାମ ବାପୁ(୭୭)ଙ୍କୁ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏହି ଘଟଣା ସହ ସଂପୃକ୍ତ ଆଶାରାମଙ୍କ ଦୁଇ ସହଯୋଗୀ ଶିଳ୍ପୀ ଓ ଶରତଚନ୍ଦ୍ରଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍ ହୋଇଛି । ତେବେ ଏଥିରେ ଥିବା ଅନ୍ୟ ଦୁଇ ଅଭିଯୁକ୍ତ ପ୍ରକାଶ ଓ ଶିବଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ୍ କରିଛି । ରାଜସ୍ଥାନ ହାଇକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ଯୋଧପୁର ସେଣ୍ଟ୍ରାଲ୍ ଜେଲ୍ ପରିସରରେ ସ୍ୱତନ୍ତ୍ର ଏସସିଏସଟି ଅଦାଲତର ବିଚାରପତି ମଧୁସୂଦନ ଶର୍ମା ଆଶାରାମ ଓ ତାଙ୍କର ଦୁଇ ସହଯୋଗୀଙ୍କ ବିରୁଦ୍ଧରେ ଏହି ରାୟ ଦେଇଥିଲେ । କୋର୍ଟଙ୍କର ଏହି ରାୟ ଶୁଣି ଆଶାରାମ କାନ୍ଦି ପକାଇଥିଲେ ଓ ନିଜର ପଗଡ଼ି ଖୋଲି ନିରବରେ ୧୦ ମିନିଟ୍ ଗୁମ୍ ମାରି ବସି ରହିଥିଲେ ।
କିପରି ହୋଇଥିଲା ଏହି ଘଟଣା:
ଆଶାରାମ ଗଣଦୁଷ୍କର୍ମ ଜାଲରେ ଛନ୍ଦି ହୋଇଯାଇଥିବା ଏହି ଘଟଣାଟି ଥିଲା ଏମିତି । ୨୦୧୩ ଅଗଷ୍ଟ ୬ତାରିଖର କଥା । ଆଶାରାମଙ୍କ ଗୁରୁକୁଳରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ଅଚାନକ ଦେହ ଖରାପ ହୋଇଯାଇଥିଲା । ଆଶାରାମଙ୍କ ଅନୁଗାମୀ ଶିଳ୍ପୀ ତାଙ୍କୁ ଭୂତ ଲାଗିଛି ବୋଲି କହିବା ସହ ଆଶାରାମ ବାପୁ ଏହାକୁ ଦୂର କରିପାରିବେ ବୋଲି କହିଥିଲେ । ୨୦୧୩ ଅଗଷ୍ଟ ୧୪ ତାରିଖରେ ତାଙ୍କୁ ଆଶାରାମଙ୍କ ନିକଟକୁ ନିଆଯାଇଥିଲା । ସେ ତାଙ୍କୁ ଠିକ୍ କରିଦେବାକୁ କହିବା ସହ ତାଙ୍କର ପାଠପଢ଼ା ବିଷୟରେ ପ୍ରଶ୍ନ କରିଥିଲେ । ବାଳିକା ସି.ଏ କରିବାକୁ ଚାହୁଁଛନ୍ତି ବୋଲି ଉତ୍ତର ଦେଇଥିଲେ । ଏହାପରେ ଆଶାରାମ ତାଙ୍କୁ ବିଇଡି କଲେ ନିଜ ଗୁରୁକୁଳର ଅଧ୍ୟକ୍ଷା କରିଦେବେ ବୋଲି ପ୍ରସ୍ତାବ ଦେଇଥିଲେ । ନାବାଳିକା ଜଣକ ଏଥିରେ ସହମତ ହୋଇଥିଲେ । ଏହାପରେ ତାଙ୍କୁ ଅଗଷ୍ଟ ୧୫ ଓ ୧୬ ତାରିଖ ରାତିରେ ତାଙ୍କ ପାଖକୁ ପୁଣି ନିଆଯାଇଥିଲା । ସେ ଏହି ୧୬ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ କରିବା ସହିତ ଘଟଣା ପ୍ରଘଟ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ନାବାଳିକା ଜଣକ ଏନେଇ ଥାନାରେ ଏତଲା ଦେବା ପରେ ଦୀର୍ଘ ସାଢ଼େ ଚାରି ବର୍ଷ ଧରି ଏହି ମାମଲାର ବିଚାର ଚାଲିଥିଲା । ତେବେ ଏହି ମାମଲାର ରାୟ ଚଳିତ ବର୍ଷ ଏପ୍ରିଲ ୨୫ ତାରିଖରେ ପ୍ରକାଶ ପାଇଛି । ରାଜସ୍ଥାନ ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଯୋଧପୁର ସେଣ୍ଟ୍ରାଲ୍ ଜେଲ୍ ପରିସରରେ ଏକ ସ୍ୱତନ୍ତ୍ର ଏସ୍ସିଏସ୍ଟି ଅଦାଲତରେ ଏହି ରାୟ ଶୁଣାଯାଇଛି । ଏହି ମାମଲା ଚିଚାରାଧିନ ଥିବା ସମୟରେ ୯ ଜଣ ମୂକସାକ୍ଷୀଙ୍କ ମଧ୍ୟରୁ ୩ ଜଣଙ୍କୁ ହତ୍ୟା କରାଯାଇଥିଲା । ମାମଲା ବିଚାରାଧିନ ଥିବା ସମୟରେ ଆଶାରାମ ଟ୍ରାଏଲ୍ କୋର୍ଟକୁ ୬ଥର, ହାଇକୋର୍ଟକୁ ୩ ଥର ଓ ସୁପ୍ରିମକୋର୍ଟକୁ ୩ ଥର ତାଙ୍କର ଜାମିନ ଆବେଦନ କରିଥିବା ସତ୍ତେ୍ୱ ସମସ୍ତ କୋର୍ଟ ତାଙ୍କର ଆବେଦନକୁ ଖାରଜ କରିଦେଇଥିଲେ ।
କୋର୍ଟଙ୍କ ଏହି ରାୟ ପ୍ରକାଶ ପରେ ହିଂସା ସୃଷ୍ଟି ହେବାକୁ ଆଶଙ୍କାରେ ରଖି ଯୋଧପୁରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଯୋଧପୁରରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ଏହାଛଡ଼ା ରାଜ୍ୟର ପ୍ରମୂଖ ସ୍ଥାନ, ରେଳ ଷ୍ଟେସନ୍, ବସ୍ ଷ୍ଟାଣ୍ଡମାନଙ୍କରେ ଓ ପିଡ଼ୀତାଙ୍କ ପରିବାରର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହାଛଡ଼ା ଆଶାରାମଙ୍କ ସମସ୍ତ ଆଶ୍ରମଗୁଡ଼ିକୁ ଖାଲି କରିବା ସହିତ ତାଙ୍କର କୌଣସି ସମର୍ଥକଙ୍କୁ ହୋଟେଲ୍ରେ ନରଖିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

ଏବେ ଆସନ୍ତୁ ଜାଣିବା ଆଶାରାମଙ୍କ ପ୍ରକୃତ ପରିଚୟ ବିଷୟରେ:
ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ହୋଇଥିବା ଆଶାରାମଙ୍କ ପ୍ରକୃତ ନାମ ହେଉଛି ଆସୁମଲ ଥାଉମଲ ହଲପଲାନି । ୧୯୪୧ ମସିହାରେ ତାଙ୍କର ଜନ୍ମ ହୋଇଥିଲା । ତାଙ୍କ ପରିବାର ପ୍ରଥମରୁ ପାକିସ୍ତାନ ନବାବଶାହ ଜିଲ୍ଲାର ବରାନି ଗ୍ରାମର ବାସିନ୍ଦା ଥିଲେ । ଦେଶ ବିଭାଜନ ପରେ ସେ ଅହମ୍ମଦାବାଦ ନିକଟସ୍ଥ ମଣିନଗରରେ ବାସ କରୁଥିଲେ । ବାପା ଥାଉମଲଙ୍କ ଦେହାନ୍ତ ପରେ ଆସୁମଲ ଚାହା ଓ ଅବୈଧ ଭାବେ ମଦ ବିକି ପରିବାର ପୋଷଣ କରୁଥିଲେ । ପରେ ସେ ନୈନିତାଲସ୍ଥିତ ଆଧ୍ୟାତ୍ମିକ ଗୁରୁ ଲୀଲାଶାହ ବାପୁଙ୍କ ସଂସ୍ପର୍ଶରେ ଆସିଥିଲେ । ଲୀଲାଶାହ ହିଁ ତାଙ୍କ ନାମକୁ ବଦଳାଇ ଆଶାରାମ ବାପୁ ରଖିଥିଲେ ।
କେମିତି ସୃଷ୍ଟି ହୋଇଥିଲା ତାଙ୍କର ବିଶାଳ ସାମ୍ରାଜ୍ୟ:
୧୯୭୨ ମସିହାରେ ଅହମ୍ମଦାବାଦ ନିକଟସ୍ଥ ସାବରମତୀ ନଦୀ କୂଳରେ ଆଶରାମ ତାଙ୍କର ପ୍ରଥମ ଆଶ୍ରମ ସ୍ଥାପନ କରିଥିଲେ । ପ୍ରଥମେ ସେ ଗରିବ ଓ ପଛୁଆ ବର୍ଗର ଲୋକମାନଙ୍କୁ ପ୍ରଭାବିତ କରିଥିଲେ । ଏହାପରେ ଧୀରେ ଧୀରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ଲୋକ ତାଙ୍କ ପ୍ରବଚନ ଶୁଣିବାକୁ ଆସିଥିଲେ । ଏହିପରି ଭାବେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ଓ ସମ୍ପତିର ପରିମାଣ ଦିନକୁ ଦିନ ବଢ଼ିବାରେ ଲାଗିଲା । ବର୍ତ୍ତମାନ ସେ ୧୦ ହଜାର କୋଟି ଟଙ୍କାର ମାଲିକ ହୋଇଥିବା ସହ ଦେଶବିଦେଶରେ ତାଙ୍କର ୪ କୋଟିରୁ ଉଦ୍ଧ୍ୱର୍ ଅନୁଗାମୀ ରହିଛନ୍ତି । ବିଶ୍ୱରେ ତାଙ୍କର ସମୁଦାୟ ୪୦୦ଟି ଆଶ୍ରମ ସ୍ଥାପନା କରାଯାଇଛି । ବେଆଇନ ଭାବେ ଅନେକ ଜମି ସେ ଦଖଲ କରିଛନ୍ତି । ତେଲ, ଧୂପକାଠୀ, ସାବୁନ, ପାର୍ଥନା ସିଡି, ପୁସ୍ତକ ଆଦି ଦ୍ରବ୍ୟ ବିକ୍ରିରୁ ତାଙ୍କର ଅନେକ ଲାଭ ଆସେ । ଆଶ୍ରମରେ ଆୟୋଜିତ ହେଉଥିବା ମାଗଣା ଭଣ୍ଡାର (ମାଗଣା ଖାଇବା) ତାଙ୍କ ଆୟର ଏକ ବଡ଼ ଉତ୍ସ । କାରଣ, ଅନେକ ଲୋକ ଏଥିପାଇଁ ବିପୁଳ ଅର୍ଥ ଦାନ କରିଥାଆନ୍ତି ଓ ଆଶାରାମ ଭଲ କାମ କରୁଥିବାର ଭ୍ରାନ୍ତ ଧାରଣାର ବଶୀଭୂତ ହୋଇ ଅନେକ ଲୋକ ତାଙ୍କର ଶିଶ୍ୟତ୍ୱ ମଧ୍ୟ ଗ୍ରହଣ କରିଥାଆନ୍ତି ।


Share It

Comments are closed.