ଜିଓ-ଫୋନକୁ ସମ୍ମାନଜନକ ନିକେୟୀ ଶ୍ରେଷ୍ଠ ଉତ୍ପାଦ ଓ ସେବା ସମ୍ମାନ


ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓର ଶସ୍ତା ୪-ଜି ଫିଚର ଫୋନ ଜିଓ-ଫୋନ୍କୁ ସମ୍ମାନଜନକ ନିକେୟୀ ଶ୍ରେଷ୍ଠ ଉତ୍ପାଦ ଓ ସେବା ସମ୍ମାନରେ ଭୂଷିତ କରାଯାଇଛି |  ଜାପାନର ଏହି ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ନିକେୟୀ ପକ୍ଷରୁ ଏସମ୍ପର୍କରେ ନିଜ ୱେବସାଇଟରେ ଘୋଷଣା କରାଯାଇ ସ୍ୱଳ୍ପ ମୂଲ୍ୟରେ ଉପଲବ୍ଧ ହେଉଥିବା ଅତ୍ୟାଧୁନିକ ଜିଓ-ଫୋନକୁ ବୈଷୟିକ କ୍ଷେତ୍ରରେ ଉତ୍ତମ ଗୁଣବତ୍ତା ସାଙ୍ଗକୁ ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଥିବା ଅଭିନବ ଉତ୍ପାଦ ଭାବରେ ୨୦୧୮ ପାଇଁ ନିକେୟୀ ଏସିଆନ ରିଭିଉ ଆୱାର୍ଡ ଫର ଏକସେଲେନ୍ସ ପୁରସ୍କାର ପ୍ରଦାନ କରାଯାଇଥିବା କୁହାଯାଇଛି |

ଭାରତରେ ଟେଲିକମ ଜଗତରେ ଶସ୍ତା ଇଣ୍ଟରନେଟ ଓ ଫ୍ରି-ଭଏସ ଜରିଆରେ ଚହଳ ସୃଷ୍ଟି କରିଥିବା ରିଲାଏନ୍ସ ଜିଓ ଇନ୍ଫୋକମ ବ୍ୟବସାୟିକ ବଜାର ପ୍ରବେଶର ଏକ ବର୍ଷ ମଧ୍ୟରେ ଆଣିଥିବା ଶସ୍ତା ଜିଓ ଫୋନ ଗ୍ରାମୀଣ ଏବଂ ସ୍ୱଳ୍ପ ଆୟ ବର୍ଗର ଲୋକମାନଙ୍କ ପାଇଁ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି | ଜିଓ ଫୋନ ଆସିବାର ଏକ ବର୍ଷ ମଧ୍ୟରେ ୨୫ ନିୟୁତରୁ ଅଧିକ ଉପଭୋକ୍ତା ହାସଲ କରିଥିବା ଏଥିରେ ସୂଚିତ କରାଯାଇଛି | ସୂଚନାଯୋଗ୍ୟଯେ ମାତ୍ର ୫୦୧ ଟଙ୍କାରେ ଉପଲବ୍ଧ ହେଉଥିବା ଜିଓ ଫୋନରେ ଯେକୌଣସି ଉଚ୍ଚ ବର୍ଗର ସ୍ମାର୍ଟଫୋନ ଭଳି ସମସ୍ତ ସୁବିଧା ସାଙ୍ଗକୁ ଜିଓ ଦ୍ୱାରା ପ୍ରସ୍ତୁତ ଜିଓଟିଭି, ଜିଓ ସିନେମା, ଜିଓ ମ୍ୟୁଜ଼ୀକ ଭଳି ପ୍ରିମିୟମ ଆପ ମାଗଣାରେ ମିଳିବା ସାଙ୍ଗକୁ ହ୍ୱାଟ୍ସଆପ୍ପ ଓ ଫେସବୁକ ଭଳି ସାମାଜିକ ନେଟୱର୍କିଙ୍ଗ ସାଇଟ ଉପଲବ୍ଧ ହେଉଛି |

୧୯୮୨ ରୁ ପ୍ରତି ବର୍ଷ ଉତ୍ତମ ନୂତନ ଉତ୍ପାଦ ଓ ସେବା ପାଇଁ ନିକେୟୀ ସୁପେରିଅର ପ୍ରଡକ୍ଟ ଓ ସର୍ଭିସେସ ଆୱାର୍ଡ ପ୍ରଦାନ କରାଯାଇଆସୁଛି | ଆବେଦନ ଆହ୍ୱାନ କରିବା ବଦଳରେ ନିକେୟୀର ଦି ନିକେୟୀ, ଦି ନିକେୟୀ ବିଜ଼ନେସ ଡେଲି, ଦି ନିକେୟୀ ମାର୍କେଟିଙ୍ଗ ଜର୍ଣ୍ଣାଲ, ଦି ନିକେୟୀ ଭେରିତସ, ନିକେୟୀ ଡଟ କମ ଏବଂ ଦି ନିକେୟୀ ଏସିଆନ ରିଭିଉ ରେ ପ୍ରକାଶିତ ପ୍ରାୟ ୨୦,୦୦୦ ନୂଆ ଉତ୍ପାଦ ଓ ସେବା ମଧ୍ୟରୁ ବିଜେତା ଚୟନ କରାଯାଇଥାଏ | ଚୟନର ୬ ଟି ମାପଦଣ୍ଡ ମଧ୍ୟରେ ରହିଛି ଜ୍ଞାନକୌଶଳ ବିକାଶରେ ଉତ୍କର୍ଷ, ସ୍ୱଳ୍ପ ମୂଲ୍ୟ, ବ୍ୟବସାୟିକ ପ୍ରଦର୍ଶନରେ ପ୍ରଭାବ, ଅଭିବୃଦ୍ଧି ସୁଯୋଗ, ସ୍ୱତନ୍ତ୍ରତା ଏବଂ ସାମାଜିକ ପ୍ରଭାବ |


Share It

Comments are closed.