ପ୍ରାଣୀ ଆଶ୍ରୟସ୍ଥଳୀରେ ନିଜ ଜନ୍ମଦିନ ପାଳନ କଲେ ଜ୍ୟାକ୍‌ଲିନ


ସୋସିଆଲ ମିଡିଆରେ ବେଶ ସକ୍ରିୟ ରହୁଥିବା ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍‌ଙ୍କର କାଲି ଥିଲା ଜନ୍ମଦିନ । ଚଳିତ ବର୍ଷ ଜ୍ୟାକି ନିଜ ସ୍ପେଶାଲ ଡେ’କୁ ନିରାଡ଼ମ୍ବର ଭାବେ ଏକ ପ୍ରାଣୀ ଆଶ୍ରୟସ୍ଥଳୀରେ ପାଳନ କରିଛନ୍ତି । ଇନ୍‌ଷ୍ଟାଗ୍ରାମ୍‌ରେ ଫ୍ୟାନ୍‌ଙ୍କ ସହ ଏକ ଭିଡିଓ ସେ ଶେୟାର କରିଛନ୍ତି । ଭିଡିଓରେ ସେ ଏକ ଗାଈ ସହିତ ସମୟ ବିତାଉଥିବା ନଜର ଆସିଛନ୍ତି । ଏଥିରେ ସେ ଅତ୍ୟନ୍ତ ସାଦାସିଧା ଦିଶୁଛନ୍ତି । ବିନା ମେକ୍‌ଅପ୍‌ରେ ଅଛନ୍ତି ।

ଫ୍ୟାନ୍‌ ତାଙ୍କ ଡି-ଗ୍ଲାମ୍‌ ଲୁକ୍‌କୁ ଖୁବ୍‌ ପସନ୍ଦ କରିଛନ୍ତି । ଜନ୍ମଦିନରେ ସବୁଠୁ ଖୁସିର ସ୍ଥାନରେ ପହଞ୍ଚିଛି ବୋଲି ଜ୍ୟାକି ଉଲ୍ଲେଖ କରିଛନ୍ତି । ଜୀବନର ଆଉ ଏକ ବର୍ଷ ଦେଖିଥିବାରୁ ନିଜକୁ ଭାଗ୍ୟଶାଳୀ ବୋଲି ସେ କହିଛନ୍ତି । ଏହି ଖୁସିର ମୁହୂର୍ତ୍ତକୁ ସେ ଖୁବ୍‌ ଉପଭୋଗ କରିଛନ୍ତି । ତାଙ୍କ ଜୀବନ ଯାତ୍ରାରେ ସାମିଲ ଥିବା ପ୍ରତ୍ୟେକଙ୍କୁ ଧନ୍ୟବାଦ ଦେଇଛନ୍ତି । ଭିଡିଓ ଶେୟାର କରିବା ପରେ ଫ୍ୟାନ୍‌ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।

ନିକଟରେ ଫିଲ୍ମ ‘ବିକ୍ରାନ୍ତ ରୋଣା’ରେ କିଚ୍ଚା ସୁଦୀପଙ୍କ ସହ ଜ୍ୟାକି ନଜର ଆସିଥିଲେ । ଖୁବ୍‌ଶୀଘ୍ର ରଣବୀର ସିଂହ ଓ ପୂଜା ହେଗ୍‌ଡେଙ୍କ ସହିତ ସେ ‘ସର୍କସ୍‌’ରେ ନଜର ଆସିବେ । ସଲମାନ୍‌ ଖାନ୍‌ ଷ୍ଟାରର୍‌ ‘କିକ୍‌-୨’ରେ ମଧ୍ୟ ତାଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଗତ ବର୍ଷ ଡିସେମ୍ବର ମାସରୁ ଅର୍ଥ ଠକେଇ ମାମଲାରେ ସମ୍ପୃକ୍ତିକୁ ନେଇ ଜ୍ୟାକି ଇଡି ଯାଞ୍ଚ୍‌ର ସମ୍ମୁଖୀନ ହେଉଛନ୍ତି । ଏହା ପରେ ତାଙ୍କ ହାତରୁ ଏକାଧିକ ମଞ୍ଚ କାର୍ଯ୍ୟକ୍ରମ, ଏପରିକି ଫିଲ୍ମ ଅଫର୍‌ ମଧ୍ୟ ଚାଲିଯାଇଥିବା ଚର୍ଚ୍ଚା ହେଲା । ସାଉଥ୍‌ ଷ୍ଟାର୍‌ ନାଗାର୍ଜୁନଙ୍କ ସହିତ ‘ଘୋଷ୍ଟ’ ଫିଲ୍ମରୁ ବିଦା ହେବାର କାରଣ ମନି ଲଣ୍ଡରିଂ ମାମଲା ବୋଲି କୁହାଯାଏ । ସର୍ବସାଧାରଣରେ ଜ୍ୟାକି ଯେଉଁଭଳି ଭାବେ ପୂର୍ବରୁ ନଜର ଆସୁଥିଲେ, ଏହି ମାମଲା ପରଠୁ ତାହା କମିଯାଇଛି । ତେବେ ଅପ୍‌କିମଙ୍ଗ ଫିଲ୍ମ ଜରିଆରେ ପୁଣି ଦର୍ଶକଙ୍କ ହୃଦୟ ଜିତିବେ ବୋଲି ସେ ଆଶାବାଦୀ ।


Share It

Comments are closed.