ଅକ୍ଟୋବର ୫ରୁ ୮ ତାରିଖ ୨୦୨୩ ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନରେ ଆଇଟି ଏକ୍ସପୋ-୨୦୨୩ର ଆୟୋଜନ କରିବ ଆଇଟିଏଓ


ଭୁବନେଶ୍ୱର : ଇନ୍‌ଫର୍ମେଶନ ଟେକ୍ନୋଲୋଜି ଆସୋସିଏଶନ ଅଫ୍ ଓଡିଶା (ଆଇଟିଏଓ) ପକ୍ଷରୁ ଲୋକମାନଙ୍କୁ ସଦ୍ୟତମ ବଜାର ଟ୍ରେଣ୍ଡ, ଉତ୍ପାଦ ଓ ସେବାଗୁଡିକ ଉପରେ ଗଭୀର ତଥ୍ୟ ପ୍ରଦାନ କରିବା ପାଇଁ ଆଇଟି ଏକ୍ସପୋ-୨୦୨୩ର ଘୋଷଣା କରାଯାଇଛି । ଏହି ୪ ଦିବସୀୟ ଏକ୍ସପୋ ଆସନ୍ତା ଅକ୍ଟୋବର ୫ରୁ ୮ ତାରିଖ ୨୦୨୩ ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନଠାରେ ଆୟୋଜିତ ହେବ ଏବଂ ଏଠାରେ ୫୦ରୁ ଅଧିକ ଆଇଟି-ଆଧାରିତ କମ୍ପାନୀ ଅଂଶଗ୍ରହଣ କରିବା ସହିତ ୬୦ରୁ ଅଧିକ ବ୍ରାଣ୍ଡ ନିଜର ଉତ୍ପାଦ ଓ ସେବାଗୁଡିକୁ ପ୍ରଦର୍ଶିତ କରିବେ ।

ଚଳିତ ବର୍ଷ ଏହି ଏକ୍ସପୋର ବିଷୟବସ୍ତୁ ହେଉଛି ‘ଡିସ୍କଭର ଅନ୍‌ଲାଇନ୍‌, ଏକ୍ସପେରିଏନ୍ସ ଅଫ୍‌ଲାଇନ୍‌’ । ଏହି କାର୍ଯ୍ୟକ୍ରମର ଆୟୋଜକମାନେ ରାଜ୍ୟର ଆଇଟି ଇକୋସିଷ୍ଟମକୁ ଉନ୍ନତ ଓ ମଜଭୁତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଆଇଟି ଏକ୍ସପୋ-୨୦୨୩ରେ ଏଗ୍‌ଜିବିଶନ ସ୍ପେଶ୍‌, ଷ୍ଟଲ୍ ସ୍ପେସ୍‌, ଏକ୍ସପେରିଏନ୍ସ ଜୋନ୍‌, ଫୁଡ୍ ଜୋନ୍ ଆଦି ରହିବ ।

ଆଇଟି ଏକ୍ସପୋ-୨୦୨୩ ଉପରେ ମତପ୍ରକାଶ କରି ଆଇଟିଏଓର ଅଧ୍ୟକ୍ଷ ଶ୍ରୀ ଅବିନାଶ ପଟ୍ଟନାୟକ କହିଛନ୍ତି, “ଆମେ ଆଇଟି ଏକ୍ସପୋ-୨୦୨୩ର ଘୋଷଣା କରି ଆନନ୍ଦିତ ଯାହା ଶିଳ୍ପ ଅଂଶଗ୍ରହଣକାରୀଙ୍କୁ ନେଟ୍‌ୱର୍କ ସ୍ଥାପନ କରିବା, ସହଭାଗିତା କରିବା,ସୂଚନା ଓ ଶିକ୍ଷା ଲାଭ କରିବା ପାଇଁ ସୁଯୋଗ ପ୍ରଦାନ କରିବ । ସେମାନେ ଲିଡ୍ ସୃଷ୍ଟି କରିପାରିବେ ଓ ନିଜର ବିକ୍ରି ବୃଦ୍ଧି କରିପାରିବେ । ମାର୍କେଟ୍ ରିସର୍ଚ୍ଚ ଓ ତଥ୍ୟ, ଉତ୍ପାଦ ଲଂଚ୍ ଓ ପ୍ରଦର୍ଶନ, ବ୍ରାଣ୍ଡ ଏକ୍ସପୋଜର ଓ ଦୃଶ୍ୟତା ଆଦି ଆକର୍ଷଣର ଅନ୍ୟାନ୍ୟ କେନ୍ଦ୍ର ଅଟେ ।”

ବ୍ୟବସାୟ ମାଲିକ, ଏମ୍‌ଏସ୍‌ଏମ୍‌ଇ, ଷ୍ଟାର୍ଟଅପ୍‌, ଉଦ୍ୟୋଗୀ, ସରକାରୀ ବିଭାଗ, ପିଏସୟୁ ଓ କର୍ପୋରେଶନ ସଂସ୍ଥା, କଲେଜ ଓ ସ୍କୁଲ ଛାତ୍ରଛାତ୍ରୀ, ସାଧାରଣ ଜନତାଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନ ସହିତ ଏହି ଏକ୍ସପୋକୁ ପ୍ରତିଦିନ ୫୦,୦୦୦ରୁ ଅଧିକ ପରିଦର୍ଶକ ଆସିବେ ବୋଲି ଆଶା କରାଯାଉଛି । ଏହି ଅବସରରେ ଭୁବନେଶ୍ୱର ଏବଂ ଆଖପାଖର ଅନେକ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ପ୍ରଯୁକ୍ତି ଏବଂ ଏଥିରେ ଥିବା ବିଭିନ୍ନ ନୂତନ ଦିଗ ଗୁଟିକ ଉପରେ ସଚେତନ କରାଯିବ ।

ଏହି ଅବସରରେ ଆଇଟିଏଓର ସଚିବ ଶ୍ରୀ ଦେବାଶିଷ ତ୍ରିପାଠୀ କହିଛନ୍ତି, “ଆର୍ଟିଫିସିଆଲ ଇଂଟେଲିଜେନ୍ସ, ମେଶିନ୍ ଲର୍ଣ୍ଣିଂ ଓ ବିଗ୍ ଡାଟା ଭଳି ଟେକ୍ନୋଲୋଜିଗୁଡିକ ଉଭା ହେବା ସହିତ ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ଦ୍ରୁତ ପରିବର୍ତନର ସମ୍ମୁଖୀନ ହେଉଛି । ଏହି ଏକ୍ସପୋ ମାଧ୍ୟମରେ ଆମେ ସାଧାରଣ ଜନତା ଓ ହିତାଧିକାରୀମାନଙ୍କୁ ନୂତନ ଟେକ୍ନୋଲୋଜି ଓ ଉତ୍ପାଦଗୁଡିକ ସମ୍ପର୍କରେ ସୂଚିତ କରିବା ପାଇଁ ଲକ୍ଷ୍ୟ ରଖିଛୁ ଯାହା ସେମାନଙ୍କୁ ନିଜର ଜୀବନ ଓ ବ୍ୟବସାୟକୁ ସ୍ଥାୟୀ କରିବା ପାଇଁ ଏଭଳି ଟେକ୍ନୋଲୋଜିଗୁଡିକୁ ଗ୍ରହଣ କରିବା ପାଇଁ ସକ୍ଷମ କରିବ । ପରିଦର୍ଶକମାନେ ଶିଳ୍ପ ଅଂଶଗ୍ରହଣକାରୀଙ୍କ ସହ ନିୟୋଜିତ ହେବା ପାଇଁ ସୁଯୋଗ ପାଇବେ ଏବଂ ନୂତନ ଉତ୍ପାଦ ଓ ସେବାଗୁଡିକର ଅନୁଭୂତି ପାଇପାରିବେ ।”

ଆଇଟି ଏକ୍ସପୋ ୨୦୨୩ ବିଦ୍ୟାଳୟ, କଲେଜ ଓ ଶିକ୍ଷାନୁଷ୍ଠାନଗୁଡିକରେ ଆଇଟି ଏକ୍ସପୋ ୨୦୨୩କୁ ପ୍ରୋତ୍ସାହିତ କରିବା ଏବଂ ବିଭିନ୍ନ ଟେକ୍ନିକାଲ ଓ ଅଣ ଟେକ୍ନିକାଲ ଗତିବିଧି ପାଇଁ ଇଂଟର କଲେଜ କମ୍ପିଟିଶନର ପରିଚାଳନା କରୁଛି । ଏହା ସରକାରୀ ବିଭାଗ, ଘରୋଇ, କର୍ପୋରେଟ ଓ ଆଇଟି କମ୍ପାନୀଗୁଡିକୁ ମଧ୍ୟ ଆମନ୍ତ୍ରିତ କରିଛି । ସେହିପରି ଏଠାରେ ଶିଳ୍ପ ବିଶେଷଜ୍ଞ ଓ ସର୍ବୋତମ ବକ୍ତାମାନଙ୍କ ଦ୍ୱାରା ବିଭିନ୍ନ ଅଧିବେଶନ ପରିଚାଳନା କରାଯିବ ।

ପ୍ଲେ ଷ୍ଟେସନ ଗେମିଙ୍ଗ ଆରେନା ସହିତ ଭର୍ଚୁଆଲ ରିଅଲିଟି ଏକ୍ସପେରିଏନ୍ସ ଜୋନ୍‌ର ଲାଇଭ୍ ଅନୁଭୂତି ଏକ୍ସପୋର ଅନ୍ୟତମ ଆକର୍ଷଣ ଅଟେ । ପରିଦର୍ଶକମାନେ ନିଜ ଆଗ୍ରହର କ୍ଷେତ୍ରଗୁଡିକୁ ଆବିଷ୍କାର କରିବା ସହିତ ଫୁଡ୍ ଜୋନ୍‌ରେ ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ କରିବାର ସୁଯୋଗ ପାଇବେ ।

ଏଲଜି ବିଜିନେସ୍ ସଲ୍ୟୁସନ ଏବଂ ସିପି ପ୍ଲସ୍ ସହଯୋଗରେ କରାଯାଉଥିବା ଏହି ପ୍ରଦର୍ଶନୀରେ ଟେକ୍ନୋଲୋଜି ଜଗତର ଅନେକ ପ୍ରତିଷ୍ଠିତ କମ୍ପାନୀ ଯୋଗଦେବେ । ସର୍ବୋତମ ଷ୍ଟଲ୍‌, ସର୍ବୋତମ ଟେକ୍ନିକାଲ ପ୍ରୋଜେକ୍ଟ ଓ ସର୍ବୋତମ ଅଣ ଟେକ୍ନିକାଲ ପ୍ରଦର୍ଶନଗୁଡିକ ପାଇଁ ପୁରସ୍କାର ପ୍ରଦାନ କରାଯିବ । ପ୍ରତିଷ୍ଠିତ କଳାକାର ଓ ଓଲିଉଡ୍ ଇଣ୍ଡଷ୍ଟ୍ରୀର ସେଲିବ୍ରିଟିମାନେ କଲ୍‌ଚରାଲ ପ୍ରୋଗ୍ରାମରେ ପ୍ରଦର୍ଶନ କରିବେ । ମନୋନୀତ ସାଂସ୍କୃତିକ ଅଂଶଗ୍ରହଣକାରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ପ୍ରଦର୍ଶନ କରିବେ ।

ଏକ୍ସପୋ ମାଧ୍ୟମରେ ଆଇଟିଏଓ ଜନତାଙ୍କ ମଧ୍ୟରେ ସୂଚନା ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଆଇଟି ପ୍ରଫେସ୍‌ନାଲ, ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ଆଲୋଚନା ମାଧ୍ୟମରେ ଶିକ୍ଷା, ଅନୁସନ୍ଧାନ ଓ ପ୍ରୟୋଗକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି ।


Share It

Comments are closed.