Israel Iran conflict : ଇରାନୀୟମାନଙ୍କୁ ଆସନ୍ତା ୧୨ ଘଣ୍ଟା ପାଇଁ ଟ୍ରେନ୍ ବ୍ୟବହାର ନ କରିବାକୁ ଇସ୍ରାଏଲର କଡ଼ା ଚେତାବନୀ

Share It

Israel Iran conflict : ବଢୁଥିବା ଉତ୍ତେଜନା ମଧ୍ୟରେ ଇସ୍ରାଏଲ୍ ସେନା ଇରାନର ସମସ୍ତ ଲୋକଙ୍କୁ ଟ୍ରେନ୍ ଏବଂ ରେଳ ଭିତ୍ତିଭୂମିଠାରୁ ଦୂରେଇ ରହିବାକୁ ଏକ ସାର୍ବଜନୀନ ଚେତାବନୀ ଜାରି କରି କହିଛି ଯେ ସେମାନଙ୍କ ଜୀବନ ପ୍ରତି ବିପଦ ରହିପାରେ।

ଏକ୍ସ (X) ରେ ଏକ ବାର୍ତ୍ତା ପୋଷ୍ଟ କରି ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (IDF) କହିଛି, “ଇରାନରେ ଟ୍ରେନ୍ ବ୍ୟବହାରକାରୀ ଏବଂ ଯାତ୍ରୀମାନଙ୍କ ପାଇଁ ଜରୁରୀ ଚେତାବନୀ।” ଏହାସହ ତୁରନ୍ତ ରେଳ ପରିବହନ ବ୍ୟବହାର ବନ୍ଦ କରିବାକୁ ଆଇଡିଏଫ୍ (IDF) ସାଧାରଣ ନାଗରିକମାନଙ୍କୁ ଆହ୍ୱାନ ଦେଇଛି।

ତେହେରାନ ସମୟ ୨୧:୦୦ ରେ(ଭାରତୀୟ ସମୟ ସକାଳ ୧୧ଟା)  ଜାରି କରାଯାଇଥିବା ଏହି ଆଡଭାଇଜରିରେ ଲୋକଙ୍କୁ “ସମଗ୍ର ଇରାନରେ ଟ୍ରେନ୍ ବ୍ୟବହାର ଏବଂ ଯାତ୍ରା କରିବାରୁ ନିବୃତ୍ତ ରହିବାକୁ” କୁହାଯାଇଛି ଏବଂ ସ୍ପଷ୍ଟ କରାଯାଇଛି ଯେ ଏହି ସତର୍କତା ଆସନ୍ତା ୧୨ ଘଣ୍ଟା ପାଇଁ ବଳବତ୍ତର ରହିବ।

 

ଆହୁରି ପଢନ୍ତୁ : ଇରାନରେ ହମଲା, ବିଶ୍ୱ ସ୍ତରରେ ବାଧାପ୍ରାପ୍ତ ହୋଇପାରେ ପେଟ୍ରୋଲ-ଡିଜେଲ ଯୋଗାଣ!

 

ଏହି ବିବୃତ୍ତିରେ ଉଲ୍ଲେଖ କରାଯାଇଛି, “ଟ୍ରେନ୍ ଏବଂ ରେଳ ଲାଇନ୍ ନିକଟରେ ଆପଣଙ୍କ ଉପସ୍ଥିତି ଆପଣଙ୍କ ଜୀବନକୁ ବିପଦରେ ପକାଉଛି।”

କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳ କିମ୍ବା ମାର୍ଗ ଉଲ୍ଲେଖ ନକରି, ଏହି ଚେତାବନୀ ସମଗ୍ର ଇରାନ ପାଇଁ ବ୍ୟାପକ ଭାବରେ ଲାଗୁ ହେବ। ସମ୍ପୃକ୍ତ ଅଞ୍ଚଳରେ ବୃଦ୍ଧି ପାଉଥିବା ଶତ୍ରୁତା ମଧ୍ୟରେ ଏହି ଚେତାବନୀ ଆସିଛି, ଯାହା ପରିବହନ ଭିତ୍ତିଭୂମି ସହିତ ଜଡିତ ସମ୍ଭାବ୍ୟ ବିପଦ ବିଷୟରେ ଗଭୀର ଚିନ୍ତା ବଢ଼ାଇଦେଇଛି।

ଏହି ଆଡଭାଇଜରିକୁ ନେଇ ଇରାନ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ତତ୍କାଳ ପ୍ରତିକ୍ରିୟା ମିଳିନାହିଁ।

ଅନ୍ୟ ଦେଶର ସାଧାରଣ ନାଗରିକଙ୍କୁ ଉଦ୍ଦେଶ୍ୟ କରି ସାର୍ବଜନୀନ ପରାମର୍ଶ ଜାରି କରିବା ଏକ ଅସାଧାରଣ ଘଟଣା, ଏବଂ ବାର୍ତ୍ତାରେ ବ୍ୟବହୃତ ଭାଷା ଏକ ଗମ୍ଭୀର ସୁରକ୍ଷା ବିପଦର ସଙ୍କେତ ଦେଉଛି। ଉଭୟ ଦେଶ ମଧ୍ୟରେ ପରିସ୍ଥିତି କ୍ରମାଗତ ଭାବରେ ବଦଳୁଥିବାରୁ ଏହି ଚେତାବନୀ ଗ୍ରାଉଣ୍ଡ୍‌-ଲେଭେଲ୍‌ରେ ଅନିଶ୍ଚିତତା ବଢ଼ାଇଦେଇଛି, ବିଶେଷ କରି ଯେଉଁମାନେ ନିଜ ଯାତାୟାତ ପାଇଁ ରେଳ ଉପରେ ନିର୍ଭର କରନ୍ତି।


Share It

Comments are closed.