ଇସରାଏ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଚାର୍ଟରିଙ୍ଗ୍ ସେରିମନି ପାଳିତ


ଭୁବନେଶ୍ୱର: ଇଣ୍ଡିଆନ୍ ସୋସାଇଟି ଅଫ୍ ହିଟିଂ, ରେଫ୍ରିଜରେଟିଙ୍ଗ୍ ଆଣ୍ଡ ଏୟାର କଣ୍ଡିସ୍‌ନିଂ ଇଞ୍ଜିନିୟର୍ସ (ଆଇଏସ୍‌ଏଚ୍‌ଏଆର୍‌ଏଇ) ଭୁବନେଶ୍ୱର ଚାପ୍ଟର ଗର୍ବର ସହିତ ଏହାର ଚାର୍ଟରିଂ ସେରିମନିର ଆୟୋଜନ କରିଛି, ଯାହା ରାଜ୍ୟରେ ଏହାର ଅଭିନବ ଓ ଉଲ୍ଲେଖନୀୟ ଯାତ୍ରା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଚିହ୍ନିତ କରୁଛି ।

ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ପିପୁଲ ପଦ୍ମଜା ପ୍ରିମିୟମ ହୋଟେଲ ଆଣ୍ଡ୍ କନ୍‌ଭେନ୍‌ଶନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆସୋସିଏଶନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏହି ସେରିମନିରେ ଗଭର୍ଣ୍ଣର ବୋର୍ଡ ପାଇଁ ଏକ ଶପଥ ଗ୍ରହଣ ସମାରୋହ ସାମିଲ ଥିଲା ଯେଉଁଥିରେ ଇସରାଏର ଭୁବନେଶ୍ୱର ଚାପ୍ଟର୍‌ର ତତ୍କାଳ ପୂର୍ବତନ ଅଧ୍ୟକ୍ଷ ବାଲାଜୀ କୁମାର ଚୌଧୁରୀ, ଅଧ୍ୟକ୍ଷ ନୀଳାଚଳ କାଶୀନାଥ ଗୌଡ, ନିର୍ବାଚିତ ଅଧ୍ୟକ୍ଷ ସଚିନ୍ଦ୍ର କୁମାର ରାଉତ, ସଚିବ ସଞ୍ଜିତ କୁମାର ଆଚାର୍ଯ୍ୟ, ଟ୍ରେଜରର୍ ନିଳୋତ୍ପଳା ବେଜ୍ ପ୍ରମୁଖ ସାମିଲ ଥିଲେ । ଏହି କାର୍ଯ୍ୟକ୍ରମକୁ ସୋସାଇଟିର ନିୟମ ଅନୁଯାୟୀ ପାଳନ କରାଯାଇଥିଲା ।

ଇସରାଏ କୋଲ୍‌କାତା ଚାପ୍ଟର ଅଧିନରେ ଏକ ସବ୍‌-ଚାପ୍ଟର ଭାବେ ମୂଳତଃ ୨୦୧୮ରେ ସି ଭି ରମଣ ଗ୍ଲୋବାଲ ୟୁନିଭର୍ସିଟିଠାରେ ପ୍ରଫେସର ସୁନୀଲ କୁମାର ସଡଙ୍ଗୀଙ୍କ ନେତୃତ୍ୱରେ ଏହାର ସ୍ଥାପନ କରାଯାଇଥିଲା । ବର୍ତମାନ ଇସରାଏ ଭୁବନେଶ୍ୱର ସବ୍‌-ଚାପ୍ଟର ଏକ ସ୍ୱାଧୀନ ପର୍ଯ୍ୟାୟକୁ ଅପ୍‌ଗ୍ରେଡ ହୋଇଛି ଓ ଚାପ୍ଟରରେ ରୂପାନ୍ତରିତ ହୋଇଛି । ଗତ ୬ ବର୍ଷ ମଧ୍ୟରେ ଏହା ୬୫ ଜଣ ସକ୍ରିୟ ସଦସ୍ୟଙ୍କୁ ଏବଂ ସିଭିଆର୍‌ଜିୟୁ, କିଟ୍‌, ପିଏମ୍‌ଇସି ବ୍ରହ୍ମପୁର, ଏନ୍‌ଆଇଟି-ରାଉରକେଲା ଓ ଡବ୍ଲ୍ୟୁଏସ୍‌ସି ଭଳି ବିଭିନ୍ନ ଇଞ୍ଜିନିୟରିଂ କଲେଜ ଓ ଅଗ୍ରଣୀ ଶିକ୍ଷାନୁଷ୍ଠାନଗୁଡିକରେ ୫ଟି ଷ୍ଟୁଡେଂଟ ଚାପ୍ଟରକୁ ସାମିଲ କରିବା ପାଇଁ ବିକଶିତ ହୋଇଛି ।

ଏହି ଗୁରୁତ୍ୱପୂର୍ଣ୍ଣ ଅପ୍‌ଗ୍ରେଡେଶନ ବର୍ତମାନର ଅଧ୍ୟକ୍ଷ ନୀଳାଚଳ କାଶୀନାଥ ଗୌଡଙ୍କ ଉତ୍ସର୍ଗୀକୃତ ନେତୃତ୍ୱ ଯୋଗୁଁ ସମ୍ଭବ ହୋଇପାରିଛି ।

ଏହି ସ୍ମରଣୀୟ ଅବସରରେ ସି ଭି ରମଣ ଗ୍ଲୋବାଲ ୟୁନିଭର୍ସିଟିର ଅଧ୍ୟକ୍ଷ, ଡଃ ସଞ୍ଜୀବ କୁମାର ରାଉତ କହିଛନ୍ତି, “ଇସରାଏ ଭୁବନେଶ୍ୱରର ଉଭୟ ବୈଜ୍ଞାନିକ ଓ ବୈଷୟିକ କ୍ଷେତ୍ରରେ ଦକ୍ଷ ମାନବସମ୍ବଳ ସୃଷ୍ଟି କରି ଏହି ବର୍ଦ୍ଧିତ ଶିଳ୍ପକୁ ସହଯୋଗ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଶିକ୍ଷାନୁଷ୍ଠାନ, ଆଇଟିଆଇ, ୟୁନିଭର୍ସିଟିଗୁଡିକ ସହ ସହଯୋଗରେ ଏହା ଶିଳ୍ପ ପାଇଁ ପ୍ରଶିକ୍ଷିତ ବ୍ୟକ୍ତି ସୃଷ୍ଟି କରିପାରିବ ଏବଂ ଅଣସଂଗଠିତ କ୍ଷେତ୍ରରେ ବିଦ୍ୟମାନ ବୈଷୟିକ କର୍ମଚାରୀମାନଙ୍କୁ ଅପ୍‌ଗ୍ରେଡ କରିପାରିବ । ମୁଁ ଏହା ଜାଣି ଖୁବ୍ ଖୁସି ଅନୁଭବ କରୁଛି ଯେ, ୭ ବର୍ଷ ପୂର୍ବେ ଆମେ ସୃଷ୍ଟି କରିଥିବା କ୍ଷୁଦ୍ର ସଂଗଠନଗୁଡିକ ଏବେ ଶିଳ୍ପ ଓ ବ୍ୟବସାୟଗୁଡିକ ସହ ସମନ୍ୱୟ ରକ୍ଷା କରି ବିକଶିତ ହୋଇଛନ୍ତି ଓ ବୃଦ୍ଧି ପାଉଛନ୍ତି । ମୁଁ ଆମ ସହରରେ ଇସରାଏ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଦେଖିବା ପାଇଁ ଅପେକ୍ଷା କରିଛି ।”

ଇସରାଏକୁ ଦିଲ୍ଲୀରେ ଡଃ ପି ସି ଜୈନଙ୍କ ନେତୃତ୍ୱ ଅଧିନରେ ୧୯୮୧ରେ ସ୍ଥାପନ କରାଯାଇଥିଲା । ଆଜି ଭାରତ ଓ ୬ଟି ଅନ୍ୟ ଦେଶରେ ଏହାର ୫୩ଟି ଚାପ୍ଟର ରହିଛି । ଏହି ସଂଗଠନ ଏୟାର କଣ୍ଡିସ୍‌ନିଂ, ରେଫ୍ରିଜରେଶନ କ୍ଷେତ୍ରରେ ଶିଳ୍ପ ଓ ଉପଭୋକ୍ତାଙ୍କ ମଧ୍ୟରେ ଅନ୍ତରକୁ ଦୂର କରିବା, ସଚେତନତା ବୃଦ୍ଧି କରିବା ପାଇଁ ବୈଷୟିକ ସମ୍ମିଳନୀର ଆୟୋଜନ କରିବା, ଦକ୍ଷତା ବୃଦ୍ଧି କରିବା ପାଇଁ ଟେକ୍ନିସିଆନମାନଙ୍କୁ ପ୍ରଶିକ୍ଷିତ କରିବା, ସଦସ୍ୟମାନଙ୍କ ପାଇଁ ଏକ ନିଯୁକ୍ତି ପୋର୍ଟାଲ ପ୍ରଦାନ କରିବା ଏବଂ ଶିଳ୍ପ ଅଗ୍ରଗତି ଓ ଭବିଷ୍ୟତର ବିକାଶ ସମ୍ପର୍କରେ ସୂଚିତ କରିବା ପାଇଁ ଷ୍ଟୁଡେଂଟ ଚାପ୍ଟରଗୁଡିକୁ ବିକଶିତ କରିବା କ୍ଷେତ୍ରରେ ସକ୍ରିୟ ଭାବେ ନିୟୋଜିତ ରହିଛି ।

ଏହି ଚାର୍ଟରିଂ ସେରିମନିରେ ଜାତୀୟ ଅଧ୍ୟକ୍ଷ-ନିର୍ବାଚିତ ଶ୍ରୀ ଜୟନ୍ତ କୁମାର ଦାସ, ଅଧ୍ୟକ୍ଷ-ଏମେରିସସ ଶ୍ରୀ ମନୋଜ ଚକ୍ରବର୍ତୀ, ଆଂଚଳିକ ନିର୍ଦ୍ଦେଶକ ଶ୍ରୀ କେ କେ ମିତ୍ର ଓ ଇଡ୍‌କୋର ସିଜିଏମ୍ (ପ୍ଲାନିଙ୍ଗ୍ ଆଣ୍ଡ କୋଅର୍ଡିନେଶନ) ବିଜୟ ଚନ୍ଦ୍ର ତ୍ରିପାଠୀଙ୍କ ସମେତ ସୋସାଇଟିର ବରିଷ୍ଠ ସଦସ୍ୟମାନେ ଯୋଗ ଦେଇଥିଲେ । ଏହାବ୍ୟତୀତ ‘ଅର୍ଥ ଓ ଶକ୍ତି ସଂଚୟ ପାଇଁ ସେଂଟ୍ରାଲ ଏୟାର କଣ୍ଡିସନିଙ୍ଗ ସିଷ୍ଟମଗୁଡିକର ରକ୍ଷଣାବେକ୍ଷଣ’ ପ୍ରସଙ୍ଗ ଉପରେ ଏକ ଟେକ୍ନିକାଲ ସେମିନାର୍‌ର ଆୟୋଜନ କରାଯାଇଥିଲା ଯେଉଁଥିରେ ଶ୍ରୀ ଜୟନ୍ତ କୁମାର ଦାସ ମୁଖ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ ।


Share It

Comments are closed.