ଖୁବ ଶୀଘ୍ର ଅଷ୍ଟ୍ରେଲିଆ ଗସ୍ତ କରିପାରନ୍ତି ଇଶାନ୍ତ, ପ୍ରସ୍ତୁତି ଚଲାଇଛନ୍ତି ଜୋରଦାର


ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଇଶାନ୍ତ ଶର୍ମା ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ୨ ଘଣ୍ଟା ଧରି ଅଭ୍ୟାସ କରିଛନ୍ତି । ସେ ଆହତଜନିତ କାରଣରୁ ଆଇପିଏଲ-୨୦୨୦ର ବାଦ୍ ପଡିଥିଲେ । ତାଙ୍କ ମାଂସପେଶୀରେ ଆଘାତ ଲାଗିଥିଲା । ଆଇପିଏଲରେ ଇଶାନ୍ତ ଶର୍ମା ଦିଲ୍ଲୀ କ୍ୟାପିଟାଲ୍ସର ସଦସ୍ୟ ଥିଲେ । ସେ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଆହତ ହୋଇଛନ୍ତି । ଫେବ୍ରୁଆରୀରେ ମଧ୍ୟ ସେ ଆହତ ହୋଇଥିଲେ । ଆଇପିଏଲରେ ଆହତ ହେବା ପରେ ଇଶାନ୍ତ ଏନସିଏ ଆସିଥିଲେ । ସେଠାରେ ବୋଲିଂ ପ୍ରାକ୍ଟିସ୍ ଆରମ୍ଭ କରିଥିଲେ ।

କ୍ରିକଇନଫୋର ରିପୋର୍ଟ ଅନୁସାରେ, ଇଶାନ୍ତ ମୁଖ୍ୟ ଚୟନକର୍ତ୍ତା ସୁନିଲ ଜୋଶୀ ଓ ଏନସିଏ ମୁଖ୍ୟ ରାହୁଲ ଦ୍ରାବିଡଙ୍କ ଉପସ୍ଥିତିରେ ଅଭ୍ୟାସ କରିଛନ୍ତି । ସେ ଫିଟ୍ ଥିବା ନଜର ଆସିଥିଲେ । କ୍ରିକଇନଫୋ ଏନେଇ ନିଜ ଓ୍ୱେବସାଇଟରେ ଏକ ଭିଡିଓ ପୋଷ୍ଟ୍ କରିଛି । ଯେଉଁଥିରେ ଇଶାନ୍ତ ପୁରା ଲୟରେ ବୋଲିଂ କରୁଛନ୍ତି । ସେ ଅଣ୍ଡର-୧୯ ଟିମ୍‌ର ମୁଖ୍ୟ କୋଚ୍ ତଥା ପୂର୍ବତନ ଦ୍ରୁତ ବୋଲର ପାରସ ମହାମବରେଙ୍କ ତତ୍ତ୍ୱାବଧାନରେ ବୋଲିଂ କରୁଛନ୍ତି । ଯଦି ସେ ପୁରା ଫିଟ୍ ଘୋଷିତ ହୁଅନ୍ତି ତେବେ ଅଷ୍ଟ୍ରେଲିଆ ଗସ୍ତ କରି ଦଳରେ ସାମିଲ ହେବେ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ୍ ଆଡିଲେଡରେ ଡିସେମ୍ବର ୧୭ରେ ଖେଳାଯିବ । ସେହିପରି ରିଦ୍ଧିମାନ ଶାହ ମଧ୍ୟ ଟିମ୍ ଇଣ୍ଡିଆ ସହ ନେଟ୍ସ ପ୍ରାକ୍ଟିସ୍ କରୁଛନ୍ତି । କିନ୍ତୁ ତାଙ୍କର ଫିଟନେସକୁ ନେଇ କୌଣସି ସୂଚନା ମିଳିପାରି ନାହିଁ । ନିକଟରେ ବିସିସିଆଇ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ୍ କରିଥିଲା, ଯେଉଁଥିରେ ଶାହ ଦଳର ସପୋର୍ଟ ଷ୍ଟାଫଙ୍କ ସହ କ୍ରିକେଟ ଖେଳୁଥିବା ନଜର ଆସିଥିଲେ ।


Share It

Comments are closed.