ଆଜି ସୁପରଜାଏଣ୍ଟ୍‌ସ ଓ ଟାଇଟନ୍ସ ମଧ୍ୟରେ କଡ଼ା ଫାଇଟ୍, ଜିତିଲେ ପ୍ଲେ-ଅଫ ପକ୍କା


ଚଳିତ ଆଇପିଏଲ୍‌ର ୫୭ତମ ଲିଗ୍‌ ମୁକାବିଲାରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଓ ଗୁଜରାଟ ଟାଇଟନ୍ସ ପରସ୍ପରକୁ ଭେଟିବେ। ପଏଣ୍ଟ ତାଲିକାରେ ଉଭୟ ଯଥାକ୍ରମେ ପ୍ରଥମ ୨ଟି ସ୍ଥାନ ଅକ୍ତିଆର କରିଛନ୍ତି । ମ୍ୟାଚ୍ ବିଜୟୀ ଦଳ ପ୍ଲେ-ଅଫରେ ପ୍ରବେଶ କରିବ । ତେଣୁ ଏହି ମ୍ୟାଚ୍‌ ତୀବ୍ର ସଂଘର୍ଷପୂର୍ଣ୍ଣ ହେବ ।

ଉଭୟ ଦଳ ୧୧ଟି ଲେଖାଏଁ ମ୍ୟାଚ୍‌ ଖେଳି ୮ ବିଜୟ ସହ ୧୬ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି । କେବଳ ରନ୍‌ ରେଟ୍‌ରେ ସୁପରଜାଏଣ୍ଟ୍‌ସ ଆଗରେ ରହିଛି । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ଟାଇଟନ୍ସ ଦଳ ବିଜୟୀ ହୋଇଥିଲା । ଏଥର ସୁପରଜାଏଣ୍ଟ୍‌ସ ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ଶେଷ ୪ଟି ଯାକ ମ୍ୟାଚରେ ସୁପରଜାଏଣ୍ଟ୍‌ସ ବିଜୟୀ ହୋଇଥିବାବେଳେ ଟାଇଟନ୍ସ ଖେଳିଥିବା ଶେଷ ୨ଟି ଯାକ ମ୍ୟାଚ ପରାଜିତ ହୋଇଛି ।

ଟାଇଟନ୍ସ ଦଳରେ ସେଭଳି ସମସ୍ୟା ନଥିଲେ ହେଁ ଏପର୍ଯ୍ୟନ୍ତ ୩ନଂ ସ୍ଥାନ ପାଇଁ ଉପଯୁକ୍ତ ବ୍ୟାଟର ମିଳିନାହିଁ । ହେଲେ ଓପନର ରିଦ୍ଧିମାନ ଶାହା ନିୟମିତ ଭାବେ ବିସ୍ଫୋରକ ବ୍ୟାଟିଂ ଜାରି ରଖି ଜିତାଇବା ଦଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି । ଶୁଭମନ ଗିଲ୍‌ ଓ ହାର୍ଦ୍ଦିକ ପାଣ୍ଡ୍ୟା ଫର୍ମକୁ ଫେରିଛନ୍ତି । ସୁପରଜାଏଣ୍ଟ୍‌ସର ମଧ୍ୟ କ୍ରମ ବ୍ୟାଟିଂ ବିଭାଗ ଦୁର୍ବଳ ରହିଛି । କେବଳ ଦୁଇ ଓପନର କ୍ୱିଣ୍ଟନ ଡି କକ୍‌ ଓ ଲୋକେଶ ରାହୁଲଙ୍କ ଉନ୍ନତ ବ୍ୟାଟିଂ ଜାରି ରଖିଥିବାରୁ ଦୁର୍ବଳତା ନଜରକୁ ଆସିନାହିଁ ।

ଉଭୟ ଦଳର ବୋଲିଂ ବିଭାଗ ଶକ୍ତିଶାଳୀ । ସୁପରଜାଏଣ୍ଟ୍‌ସ ଦଳରେ ଜାସନ ହୋଲ୍ଡର, ଅଭେଶ ଖାନ, ମହସିନ ଖାନ, ଦୁଷ୍ମନ୍ତ ଚାମୀରା, କୃନାଲ୍‌ ପାଣ୍ଡ୍ୟା ଓ ରବି ବିଶ୍ନୋଇ ବୋଲିଂ ବିଭାଗ ସମ୍ଭାଳୁଛନ୍ତି । ଟାଇଟନ୍ସ ଦଳରେ ମହମ୍ମଦ ସାମି, ଲୋକି ଫର୍ଗୁସନ, ରସିଦ ଖାନ, ଅଲଜାରୀ ଜୋଶେଫଙ୍କ ଭଳି ବୋଲର ରହିଛନ୍ତି ।

ସୁପରଜାଏଣ୍ଟ୍‌ସ: କ୍ୱିଣ୍ଟନ ଡି କକ୍‌, ଲୋକେଶ ରାହୁଲ(ଅଧିନାୟକ), ଦୀପକ ହୁଡ଼ା, ମାର୍କସ ଷ୍ଟଇନିସ, କୃନାଲ ପାଣ୍ଡ୍ୟା, ଆୟୁଷ ବଦୋନି, ଜାସନ ହୋଲ୍ଡର, ଅଭେଶ ଖାନ, ମହସିନ ଖାନ, ଦୁଷ୍ପନ୍ତ ଚାମୀରା, ରବି ବିଶ୍ନୋଇ ।

ଗୁଜରାଟ ଟାଇଟନ୍ସ: ଶୁଭମନ ଗିଲ, ରିଦ୍ଧିମାନ ଶାହା, ବି ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଡେଭିଡ୍‌ ମିଲର, ରାହୁଲ ତେୱାତିଆ, ରସିଦ ଖାନ, ଅଲଜାରୀ ଜୋଶେଫ, ଲୋକି ଫର୍ଗୁସନ, ମହମ୍ମଦ ସାମି, ପ୍ରଦୀପ ସାଙ୍ଗୱାନ ।


Share It

Comments are closed.