ଆଜି ପ୍ରଥମ କ୍ୱାଲିଫାୟ ମ୍ୟାଚ୍‌: ଇଡେନ୍‌ ଗାର୍ଡେନ୍ସରେ ଟାଇଟନ୍ସକୁ ଭେଟିବ ରୟାଲ


ଚଳିତ ଆଇପିଏଲ୍‌ର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି । ମଙ୍ଗଳାବାର ଦିନ ପ୍ଲେ-ଅଫ୍‌ ରାଉଣ୍ଡ ଆରମ୍ଭ ହେବ । ପ୍ରଥମ କ୍ୱାଲିଫାୟର ମୁକାବିଲାରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ । ଇଡେନ୍‌ ଗାର୍ଡେନ୍ସରେ ଏହି ମ୍ୟାଚ୍‌ ଖେଳାଯିବ। ବିଜୟୀ ଦଳ ସିଧା ସଳଖ ଫାଇନାଲ୍‌କୁ ଉନ୍ନୀତ ହେବ । ପରାଜିତ ଦଳ ପାଇଁ ମଧ୍ୟ ଆଉ ଏକ ସୁଯୋଗ ରହିଛି । ଲିଗ୍‌ ପର୍ଯ୍ୟାୟରେ ସର୍ବାଧିକ ପଏଣ୍ଟ ଅର୍ଜନ କରିଥିବା ଟାଇଟନ୍ସ ଆଧିପତ୍ୟ ଜାରି ରଖିବାକୁ ଯୋଜନା କରିଛି । ଅନ୍ୟ ପଟରେ ରୟାଲ୍ସ ଦଳ ପୂର୍ବ ପରାଜୟର ପ୍ରତିଶୋଧ ନେବା ସହ ଫାଇନାଲ୍‌ରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ।

ରୟାଲ୍ସ ଦଳ ୨୦୦୮ ସିଜନରେ ଚାମ୍ପିଅନ୍‌ ହୋଇଥିଲା । ଏହା ପରଠୁ କେବେ ବି ଫାଇନାଲ୍‌ରେ ପ୍ରବେଶ କରିପାରିନାହିଁ । ଆଜି ଦଳ ନିକଟରେ ସୁଯୋଗ ରହିଛି । ପ୍ରାୟତଃ ସବୁ ଖେଳାଳି ଫର୍ମରେ ରହିଛନ୍ତି । କେବଳ ଜୋସ ବଟଲର ସଫଳ ହେଲେ ରୟାଲ୍ସ ବିଜୟ ସହଜ ହେବ ।

ଟାଇଟନ୍ସ ଦଳ ସିଜନ ଆରମ୍ଭରୁ ସବୁ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରିଆସିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟାଇଟନ୍ସ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା । ଟସ୍‌ ମଧ୍ୟ ଦଳକୁ ପ୍ରଭାବିତ କରିନଥିଲା । ପ୍ରଥମ ଦଳ ଭାବେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ସହ ଟାଇଟନ୍ସ ବିଜୟୀ ହୋଇଥିଲା । ଉଭୟ ଦଳ ସମାନ ରଣନୀତି ନେଇ ଖେଳିବା ନିଶ୍ଚିତ । ଅର୍ଥାତ ୬ ବ୍ୟାଟର ଓ ୫ ବୋଲର ନେଇ ଉଭୟ ଦଳ ଗ୍ରାଉଣ୍ଡକୁ ଓହ୍ଲାଇବେ । ଟାଇଟନ୍ସ ପକ୍ଷରୁ ପାଣ୍ଡ୍ୟାଙ୍କ ଉପରେ ନଜର ରହିବ । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ଲିଗ୍‌ ମ୍ୟାଚ୍‌ରେ ପାଣ୍ଡ୍ୟା ୮୭ ରନ୍‌ର ଇନିଂସ ଖେଳିଥିଲେ । ସେହିପରି ଗତ କିଛି ମ୍ୟାଚ୍‌ରେ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନଥିବା ବଟଲରଙ୍କ ବ୍ୟାଟ୍‌ରୁ ରୟାଲ୍ସ ବଡ ଇନିଂସର ଆଶା ରଖିବ।

ଗୁଜରାଟ ଟାଇଟନ୍ସ: ଶୁଭମନ ଗିଲ, ରିଦ୍ଧିମାନ ଶାହା, ମାଥ୍ୟୁ ୱେଡ୍‌, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଡେଭିଡ୍‌ ମିଲର, ରାହୁଲ ତେୱାତିଆ, ରସିଦ ଖାନ, ସାଇ କିଶୋର, ମହମ୍ମଦ ସାମି, ଲୋକି ଫର୍ଗୁସନ, ୟଶ ଦୟାଲ ।

ରାଜସ୍ଥାନ ରୟାଲ୍ସ: ଜୋସ ବଟଲର, ଯସଶ୍ୱୀ ଜୈସ୍ୱାଲ, ସଞ୍ଜୁ ସାମସନ(ଅଧିନାୟକ), ଦେବଦତ୍ତ ପାଡ଼ିକଲ, ସିମରନ ହେତମେୟର, ରିୟାନ ପରାଗ, ଆର ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, ଓବେଡ ମ୍ୟାକୟ, ୟୁଝବେନ୍ଦ୍ର ଚହଲ, କୁଲଦୀପ ସେନ ।


Share It

Comments are closed.