ବଦଳିଗଲା ସୁପର ଓଭର ନିୟମ, ଏବେ ମ୍ୟାଚ ‘ଟାଇ’ ହେଲେ କ’ଣ ହେବ ଜାଣନ୍ତୁ


ଚଳିତ ଆଇପିଏଲ୍‌ରେ ମ୍ୟାଚ୍‌ ‘ଟାଇ’ ହେବା ପରେ ସୁପର ଓଭର ଖେଳ ହେଉଛି । ମ୍ୟାଚ୍‌ ଶେଷ ହେବାରେ ବିଳମ୍ବ ହେବାର ଆଶଙ୍କା ଥିବାରୁ ସୁପର ଓଭର ପାଇଁ ଆଇପିଏଲ୍‌ ଗଭର୍ଣ୍ଣିଂ କାଉନ୍‌ସିଲ ନୂଆ ନିୟମ ଲାଗୁ କରିଛି । ଶନିବାର ଓ ରବିବାର ଦିନ ୨ଟି ଲେଖାଏଁ ମ୍ୟାଚ୍‌ ରହିଛି । ଅପରାହ୍ନ ମ୍ୟାଚ୍‌ ‘ଟାଇ’ ହେଲେ ସୁପର ଓଭର ଖେଳାଯିବ। ତେବେ ରାତି ୮.୦୦ ପରେ ସୁପର ଓଭର ଖେଳ ହେବ ନାହିଁ । ଫଳରେ ଉଭୟ ଦଳ ପଏଣ୍ଟ ଭାଗ କରିବେ। ଉଦାହାରଣ ସ୍ୱରୂପ ମ୍ୟାଚ୍‌ ‘ଟାଇ’ ହେବା ବେଳକୁ ଭାରତୀୟ ସମୟ ରାତି ୮.୦୦ (ୟୁଏଇ ସମୟ ଅପରାହ୍ନ ୬.୩୦)ଅତିକ୍ରମ କରିଗଲେ ଆଉ ସୁପର ଓଭର ପରିବର୍ତ୍ତେ ଉଭୟ ଦଳ ପଏଣ୍ଟ ଭାଗ କରିବେ ।

ସେହିପରି ରାତି ମ୍ୟାଚ୍‌ ‘ଟାଇ’ ରହିଲେ ଭାରତୀୟ ସମୟ ଅନୁଯାୟୀ ରାତି ୧୨.୦୦ଟା(ୟୁଏଇ ସମୟ ରାତି ୧୦.୩୦) ପରେ ସୁପର ଓଭର ଆୟୋଜନ ନକରାଯାଇ ପଏଣ୍ଟ ଭାଗ କରାଯିବ । ପ୍ରତ୍ୟେକ ଦଳର ଅଧିନାୟକଙ୍କ ସହ ଆଲୋଚନା ପରେ ଆଇପିଏଲ୍‌ ଗଭର୍ଣ୍ଣିଂ କାଉନସିଲ ଏହି ନିୟମ ଲାଗୁ କରିଛି ।

ସୂଚନାଯୋଗ୍ୟ, ରବିବାର ଅନୁଷ୍ଠିତ ୨ଟି ଯାକ ମ୍ୟାଚ୍‌ର ଫଳାଫଳ ସୁପର ଓଭରରେ ନିର୍ଣ୍ଣୟ ହୋଇଥିଲା । କିଙ୍ଗସ ଏକାଦଶ ପଞ୍ଜାବ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଅନୁଷ୍ଠିତ (ରାତି)ମ୍ୟାଚ୍‌ରେ ୨ଟି ସୁପର ଓଭର ଖେଳ ହୋଇଥିଲା । ମ୍ୟାଚ୍‌ ‘ଟାଇ’ ହେବା ପରେ ସୁପର ଓଭର ଖେଳ ହୋଇଥିଲା । ସୁପର ଓଭର ମଧ୍ୟ ‘ଟାଇ’ ରହିଥିଲା । ଫଳରେ ଦ୍ୱିତୀୟ ସୁପର ଓଭର ଖେଳାଯାଇଥିଲା ।

ଏଥିରେ କିଙ୍ଗ୍‌ସ ଏକାଦଶ ବିଜୟ ହାସଲ କରିଥିଲା । ମ୍ୟାଚଟି ଶେଷ ହେବା ବେଳକୁ ବିଳମ୍ବ ହୋଇସାରିଥିଲା । ମ୍ୟାଚ୍‌ର ଦ୍ୱିତୀୟ ସୁପର ଓଭର ଆରମ୍ଭ ହେବା ବେଳକୁ ଭାରତୀୟ ସମୟ ଅନୁଯାୟୀ ରାତି ୧୨.୦୦ଟା ବାଜି ନଥିଲା । ଅର୍ଥାତ ଦ୍ୱିତୀୟ ସୁପର ଓଭରଟି ‘ଟାଇ’ ରହିଥିଲେ ଆଉ ଗୋଟିଏ ସୁପର ଓଭର ଖେଳ ହୋଇ ନଥାନ୍ତା । ଏହି ସ୍ଥାନରେ ଉଭୟ ଦଳ ମଧ୍ୟରେ ପଏଣ୍ଟ ଭାଗ କରାଯାଇଥାନ୍ତା । ଆଇପିଏଲ୍‌ ଇତିହାସରେ ପୂର୍ବରୁ ଏଭଳି ପରିସ୍ଥିତି ଉପୁଜି ନଥିବାରୁ କୌଣସି ପ୍ରକୃଷ୍ଠ ନିୟମ ମଧ୍ୟ ଲାଗୁ କରାଯାଇ ନଥିଲା ।


Share It

Comments are closed.