ମୁମ୍ବାଇକୁ ହରାଇ ପ୍ଲେ ଅଫରେ ପ୍ରବେଶ କଲା ହାଇଦ୍ରାବାଦ


ସରିଲା ଚଳିତ ବର୍ଷ ଆଇପିଏଲ ଟୁର୍ଣ୍ଣାମେଣ୍ଟର ଲିଗ୍‌ ଗ୍ରୁପ୍‌ ମ୍ୟାଚ। ଏଥିସହିତ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶେଷ ଲିଗ୍ ମ୍ୟାଚ୍‌ ପରେ ଆଇପିଏଲର ୧୩ତମ ସଂସ୍କରଣ ପାଇଁ ପ୍ଲେଅଫ୍‌ ଲାଇନ ଅପ ଚୂଡାନ୍ତ ହୋଇଛି। ମଙ୍ଗଳବାର ଖେଳାଯାଇଥିବା ୫୬ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ମାତ୍‌ ଦେଲା ସନରାଇଜର୍ସ ହାଇଦ୍ରାବାଦ। ମୁମ୍ବାଇକୁ ୧୦ ଓ୍ବିକେଟରେ ହରାଇ ୪ର୍ଥ ଟିମ୍‌ ଭାବେ ପ୍ଲେ ଅଫରେ ପ୍ରବେଶ କରିଛି ଡେଭିଡ ୱାର୍ଣ୍ଣରଙ୍କ ନେତୃତ୍ୱାଧୀନ ହାଇଦ୍ରାବାଦ ଟିମ୍। ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚାଲେଞ୍ଜର ବାଙ୍ଗାଲୋର ପ୍ଲେ ଅଫ୍‌କୁ କ୍ୱାଲିଫାଏ କରିଥିଲେ।

ନଭେମ୍ବର ୫ ତାରିଖରେ ପଏଣ୍ଟ ଟେବୁଲ ଶୀର୍ଷରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ଓ ଦ୍ୱିତୀୟ ସ୍ଥାନରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚରେ ଯେଉଁ ଦଳ ବିଜୟୀ ହେବ ସେ ସିଧାସଳଖ ଭାବେ ଫାଇନାଲରେ ପ୍ରବେଶ କରିବ। ଯେଉଁ ଟିମ୍‌ ହାରିବ ସେହି ଟିମ୍‌କୁ ଦ୍ୱିତୀୟ କ୍ୱାଲିଫାଏର ମ୍ୟାଚ୍‌ ଖେଳିବାକୁ ପଡ଼ିବ।ସେହିପରି ପଏଣ୍ଟ ଟେବୁଲର ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚାଲେଞ୍ଜର ବାଙ୍ଗାଲୋର ମଧ୍ୟରେ ଏଲିମିନେଟର ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚରେ ଯିଏ ବିଜେତା ହେବ ସେ କ୍ୱାଲିଫାଏର -୨ ଖେଳିବ। ପ୍ରଥମ କ୍ୱାଲିଫାଏରେ ହାରିଥିବା ଟିମ୍‌ ଓ ଏଲିମିନେଟର ମ୍ୟାଚର ବିଜେତାଙ୍କ ମଧ୍ୟରେ ଦ୍ୱିତୀୟ କ୍ୱାଲିଫାଏର ମ୍ୟାଚ୍‌ ଖେଳାଯିବ। ସେହି ମ୍ୟାଚରେ ଯିଏ ବିଜେତା ହେବ ସେ ଫାଇନାଲ ମୁକାବିଲା ଖେଳିବ।

ସୂଚନାଥାଉକି, ନଭେମ୍ବର ୫ ତାରିଖରେ ପ୍ରଥମ କ୍ୱାଲିଫାଏର, ନଭେମ୍ବର ୬ରେ ଏଲିମିନେଟର ଖେଳାଯିବ। ସେହିପରି ନଭେମ୍ବର ୮ ତାରିଖରେ ଦ୍ୱିତୀୟ କ୍ୱାଲିଫାଏ ଓ ନଭେମ୍ବର ୧୦ ତାରିଖରେ ଫାଇନାଲ ମୁକାବିଲା ଖେଳାଯିବ।


Share It

Comments are closed.