ଆଜିର ମହାସଂଗ୍ରାମରେ ଶୀର୍ଷକ ସ୍ଥାନ ପାଇଁ ଦିଲ୍ଲୀ-ବାଙ୍ଗାଲୋର ମଧ୍ୟରେ ହେବ ଜୋରଦାର ଲଢେଇ


ଆଇପିଏଲ୍‌ ୨୦୨୦ରେ ଆଜି ଦମ୍‌ଦାର ମୁକାବିଲା । ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଜି ମୁହାଁମୁହିଁ ହେବେ । ଦୁଇ ଟିମ୍‌ ଜବରଦସ୍ତ ଫର୍ମରେ ରହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଟିମ୍‌ ୪ଟି ମ୍ୟାଚ୍‌ ଖେଳି ୩ଟିରେ ବିଜୟୀ ହୋଇଛନ୍ତି । ଆଇପିଏଲ୍‌ ୨୦୨୦ ଅଙ୍କ ତାଲିକାରେ ଉଭୟ ଟିମ୍‌ କ୍ରମଶଃ- ୨ୟ ଓ ୩ୟ ସ୍ଥାନରେ ରହିଛନ୍ତି । ଆଜିର ମ୍ୟାଚ୍‌ରେ ବିଜୟୀ ଦଳ ତାଲିକାରେ ନମ୍ବର ହେବାର ସୁଯୋଗ ରହିଛି । ଉଭୟ ଟିମ୍‌ ନିଜର ଚତୁର୍ଥ ବିଜୟ ଲକ୍ଷ୍ୟପେ ମଇଦାନକୁ ଓହ୍ଲାଇବ ।

ଗତ ମ୍ୟାଚ୍‌ରେ ଟିମ୍‌ର ଜୋରଦାର ପ୍ରଦର୍ଶନ ବଳରେ ବାଙ୍ଗାଲୋର ରାଜସ୍ଥାନ ବିପକ୍ଷରେ ବଡ଼ ଧରଣର ବିଜୟ ହାସଲ କରିଥିଲା । ବିରାଟ କୋହଲିଙ୍କ ନେତୃତ୍ୱାଧିନ ରୟାଲ୍‌ ଚ୍ୟାଲେଞ୍ଜର୍ସ ଶେଷ ୨ଟି ମୁକାବିଲାରେ ଚମତ୍କାର ପ୍ରଦର୍ଶନ କରିଥିଲା। ଦଳ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ସୁପର ଓଭରରେ ହରାଇ ଥିବାବେଳେ ରାଜସ୍ଥାନ ରୟାଲ୍ସକୁ ୮ ୱିକେଟ୍‌ରେ ପରାସ୍ତ କରିଥିଲା। ଦୁବାଇ ଗ୍ରାଉଣ୍ଡରେ ଖେଳାଯାଇଥିବା ମୁମ୍ବାଇ ବିପକ୍ଷ ଲିଗ୍‌ ମ୍ୟାଚ୍‌କୁ ପ୍ରଶଂସକ ଭୁଲି ପାରିନଥିବେ। ଖାସ୍‌ କରି ଯୁବ ପେସ୍‌ ବୋଲର ନବଦୀପ ସାଇନିଙ୍କ ସୁପର ଓଭର ପ୍ରଦର୍ଶନ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ମ୍ୟାଚ୍‌ରେ ଯୁବ ଓପନର ଦେବଦତ୍ତ ପାଡିକଲ୍‌ (୫୪), ଆରୋନ ଫିଞ୍ଚ (୫୨) ଓ ଏବି ଡି’ଭିଲର୍ସ (୫୫) ଧୂଆଁଧାର ଇନିଂସ୍‌ ଖେଳିଥିଲେ ।

ସେହିପରି ରୟାଲ୍ସ ବିପକ୍ଷରେ ପାଡିକଲ (୬୩ରନ୍‌) ଓ କୋହଲି (ଅପରାଜିତ ୭୨ରନ୍‌) ଦଳ ବିଜୟରେ ଅନ୍ୟତମ ଭୂମିକା ଗ୍ରହଣ କରିଥିଲେ। ପାଡିକଲ ସିଜନରେ ୩ଟି ଅର୍ଦ୍ଧଶତକ ହାସଲ କରି ଚର୍ଚ୍ଚାରେ ରହିଛନ୍ତି । କୋହଲି ଫର୍ମ ଫେରି ପାଇଛନ୍ତି । ଏହା ଦଳର ବ୍ୟାଟିଂ ବିଭାଗର ସମସ୍ୟା ଦୂର କରିଛି। ବୋଲିଂ ବିଭାଗରେ ଦଳ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରୁଛି । ପେସ୍‌ ବୋଲର ଇସୁରୁ ଉଦାନା, ସାଇନି ଏବଂ ଅଭିଜ୍ଞ ୟୁଝବେନ୍ଦ୍ର ଚହଲ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ୍‌ମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛନ୍ତି । ଆଜି କ୍ୟାପିଟାଲ୍ସ ବୋଲିଂ ଏବଂ ରୟାଲ୍‌ ଚ୍ୟାଲେଞ୍ଜର୍ସ ବ୍ୟାଟିଂ ବିଭାଗ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।

ଚଳିତ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଦର୍ଶନ ଉଚ୍ଚକୋଟୀର ରହିଛି। ଦଳ ମାତ୍ର ଗୋଟିଏ ମ୍ୟାଚ୍‌ ହାରିଥିବାବେଳେ ୩ଟିରେ ବିଜୟୀ ହୋଇଛି। ଅଧିନାୟକ ଶ୍ରେୟାସ୍‌ ଆୟରଙ୍କ ଯୁବ ଦଳ ସବୁ ବିଭାଗରେ ଦୃଢ଼ ରହିଛି। ଦଳ ତା’ର ତୃତୀୟ ମୁକାବିଲା ସନ୍‌ରାଇଜର୍ସ ହାଇଦ୍ରାବାଦ (୧୫ରନ୍‌ରେ)ଠୁ ହାରିବା ପରେ ଚତୁର୍ଥ ମ୍ୟାଚ୍‌ରେ ନାଇଟ୍‌ ରାଇଡର୍ସକୁ ହରାଇ ବିଜୟଧାରାକୁ ଫେରିଥିଲା।

ତେଣୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ବିପକ୍ଷରେ ଦଳ ବିଜୟଧାରା ଅବ୍ୟାହତ ରଖିବା ଲକ୍ଷ୍ୟରେ ରହିବ। ଶ୍ରେୟାସ୍‌ଙ୍କ ସମେତ ଯୁବ ବ୍ୟାଟିଂ ବିସ୍ମୟ ପୃଥ୍ୱୀ ଶ’ ଓ ରିଶଭ ପନ୍ତ ନିୟମିତ ଭଲ ପ୍ରଦର୍ଶନ କରୁଛନ୍ତି। କେବଳ ଓପନର ଶିଖର ଧାୱନଙ୍କ ଫର୍ମ ଏକମାତ୍ର ଚିନ୍ତାର କାରଣ ରହିଛି।ଗତ ମ୍ୟାଚ୍‌ରେ ପ୍ରମୁଖ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଦଳକୁ ଫେରିଥିବାବେଳେ ପେସ୍‌ ବୋଲର ହର୍ଷଲ ପଟେଲ ସୁଯୋଗର ଫାଇଦା ଉଠାଇଥିଲେ । ବୋଲିଂ ବିଭାଗରେ କାଗିସୋ ରାବାଡ଼ା, ଆନରିଚ୍‌ ନର୍ଜ ଓ ସ୍ପିନର ଅମିତ୍‌ ମିଶ୍ରା ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି ।

ଆଇପିଏଲ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ଓ କ୍ୟାପିଟାଲ୍ସ ୨୩ଥର ପରସ୍ପରକୁ ଭେଟିଛନ୍ତି। ସେଥିମଧ୍ୟରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ୧୪ଟି ମ୍ୟାଚ୍‌ ଜିତିଛି। ଗତ ସଂସ୍କରଣରେ କ୍ୟାପିଟାଲ୍ସ ଉଭୟ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ହରାଇଥିଲା । ତେଣୁ ଦଳ ବିଜୟଧାରା ଜାରି ରଖିବାକୁ ପ୍ରୟାସ କରିବ ।
ସମ୍ଭାବ୍ୟ ଏକାଦଶ
ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର : ଦେବଦତ୍ତ ପାଡିକଲ, ଆରୋନ୍‌ ଫିଞ୍ଚ, ବିରାଟ କୋହଲି (ଅଧିନାୟକ), ଏବି ଡି’ଭିଲର୍ସ, ଗୁରକୀରତ ସିଂହ, ଶିବମ ଦୁବେ, ଇସୁରୁ ଉଦାନା, ୱାସିଂଟନ୍‌ ସୁନ୍ଦର, ନବଦୀପ ସାଇନି, ୟୁଝବେନ୍ଦ୍ର ଚହଲ, ଆଡାମା ଜାମ୍ପା।

ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ୱୀ ଶ’, ଶିଖର ଧାୱନ, ଶ୍ରେୟାସ ଆୟର (ଅଧିନାୟକ), ରିଶଭ ପନ୍ତ, ସିମରନ ହେତମେୟାର, ମାର୍କସ ଷ୍ଟଇନିସ୍‌, ରବିଚନ୍ଦ୍ରନ ଅଶ୍ୱିନ, କାଗିସୋ ରାବାଡ଼ା, ଆନରିଚ୍‌ ନର୍ଜ, ଅମିତ୍‌ ମିଶ୍ରା, ହର୍ଷଲ ପଟେଲ ।


Share It

Comments are closed.