ୟୁଏଇରେ ପହଞ୍ଚିଲେ ଆଇପିଏଲର ବିଭିନ୍ନ ଫ୍ରାଞ୍ଚାଇଜ ଦଳର ଖେଳାଳୀ


ଆଇପିଏଲ୍‍ ଖେଳିବା ପାଇଁ ୟୁନାଇଟେଡ୍‍ ଆରବ ଏମିରେଟ୍‍ସରେ ପହଞ୍ଚିବାରେ ପ୍ରଥମ ଦଳ ହେଉଛି କିଙ୍ଗ୍‍ସ ଏକାଦଶ ପଞ୍ଜାବ। ନୂଆଦିଲ୍ଲୀରୁ ଏକ ଚାର୍ଟଡ ବିମାନ ଯୋଗେ ଗୁରୁବାର କିଙ୍ଗ୍‍ସ ଏକାଦଶ ପଞ୍ଜାବ ଦଳର ଖେଳାଳି, ସପୋର୍ଟ ଷ୍ଟାଫ୍‍ ଏବଂ ଅନ୍ୟ ଅଧିକାରୀ ଦୁବାଇରେ ପହଞ୍ଚିଛନ୍ତି। ପଞ୍ଜାବ ଦଳର ଫାଷ୍ଟବୋଲର ମହମ୍ମଦ ସାମି ବିମାନ ଭିତରର କିଛି ଫଟୋ ତାଙ୍କ ଇନ୍‍ଷ୍ଟାଗ୍ରାମ୍‍ ପୃଷ୍ଠାରେ ଛାଡ଼ିଛନ୍ତି। ଏଥିରେ ସାମି ଲେଖିଛନ୍ତି- ଅପ୍‍ନେ ମୁଣ୍ଡେ ଅଫ୍‍ ଦୁ ଦୁବାଇ (ଆମ ପିଲା ଦୁବାଇ ବାହାରିଲେ)। କେବଳ କିଙ୍ଗ୍‍ସ ଏକାଦଶ ପଞ୍ଜାବ ନୁହେଁ; ସର୍ବପ୍ରଥମ ଆଇପିଏଲ୍‍ରେ ଚମ୍ପିଆନ୍‍ ରାଜସ୍ଥାନ ରୟାଲ୍‍ସ ଦଳ ମଧ୍ୟ ଗୁରୁବାର ଅପରାହ୍‍ଣରେ ୟୁଏଇରେ ପହଞ୍ଚିଛି। ରାଜସ୍ଥାନ ରୟାଲ୍‍ସ ପକ୍ଷରୁ ଟ୍ୱିଟର ଜରିଆରେ ତାଙ୍କ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫ୍‍ ହୋଟେଲ ରୁମ୍‍ ଛାଡ଼ି ବସ୍‍ରେ ବସି ବିମାନ ବନ୍ଦର ଅଭିମୁଖେ ବାହାରିବାର ଫଟୋ ଛାଡ଼ିଛନ୍ତି। ଦଳର ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ୍‍ଙ୍କର ୨ ରାଉଣ୍ଡ କୋଭିଡ୍‍ ପରୀକ୍ଷା ହୋଇଛି। ସମସ୍ତ ଖେଳାଳିଙ୍କ ଉଭୟ ରିପୋର୍ଟ ନେଗେଟିଭ୍‍ ଆସିବା ପରେ ସେମାନଙ୍କୁ ବିମାନ ଚଢ଼ିବାର ଅନୁମତି ମିଳିଥିଲା। ୟୁଏଇରେ ପହଞ୍ଚିବା ପରେ ପ୍ରତି ଫ୍ରାଞ୍ଚାଇଜିର ଖେଳାଳି ଓ ସପୋର୍ଟ ଷ୍ଟାଫ୍‍ଙ୍କୁ ଜୈବ ନିରାପତ୍ତା ପରିଧି ମଧ୍ୟରେ ରଖାଯାଇଛି। ସେହିପରି କୋଲକାତା ନାଇଟ୍‌ ରାଇଡର୍ସ ଖେଳାଳିମାନେ ଆବୁଧାବିରେ ପହଞ୍ଚିଛନ୍ତି। ୟୁଏଇରେ ୫୩ ଦିନରେ ଆଇପିଏଲ୍‍-୧୩ର ୬୦ଟି ମ୍ୟାଚ୍‍ ଖେଳାଯିବ। ଅପରାହ୍‍ଣ ମ୍ୟାଚ୍‍ ୩.୩୦ରୁ ଏବଂ ସନ୍ଧ୍ୟା ମ୍ୟାଚ୍‍ ୭.୩୦ରୁ ଖେଳାଯିବ। ଶୁକ୍ରବାର ଆଉ କିଛି ଦଳ ୟୁଏଇରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।


Share It

Comments are closed.