ଚେନ୍ନାଇ ଠାରୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ଆଜି ମଇଦାନକୁ ଓହ୍ଲାଇବ ମୁମ୍ବାଇ


ଆଜି ଚଳିତ ଆଇପିଏଲ୍‌ରେ ରହିଛି ଏକ ରୋମାଞ୍ଚକର ମୁକାବିଲା । ଦୁଇ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍‌ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ମ୍ୟାଚ୍‌ ଜିତି ସମର୍ଥକଙ୍କ ମନ ଜିତିବାକୁ ଲକ୍ଷ୍ୟ ରଖିଛି ସୁପରକିଙ୍ଗ୍‌ସ । ଅନ୍ୟ ପଟରେ ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଯୋଜନା ପ୍ରସ୍ତୁତ କରିଛି।

ଉଭୟ ଦଳ ମଧ୍ୟରେ ଖେଳାଯାଇଥିଲା ଉଦଘାଟନୀ ମୁକାବିଲା । ସୁପରକିଙ୍ଗ୍‌ସ ଏହି ମ୍ୟାଚ୍‌କୁ ୫ ୱିକେଟ୍‌ରେ ଜିତିଥିଲା। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ସଂଗ୍ରହ କରିଥିଲା ୯/୧୬୨ ରନ୍‌ । ଜବାବରେ ସୁପରକିଙ୍ଗ୍‌ସ ୧୯.୨ ଓଭରରେ ୫ ୱିକେଟ୍‌ ହରାଇ ବିଜୟ ହାସଲ କରିଥିଲା । ଅମ୍ବାତି ରାୟୁଡୁ ୪୮ଟି ବଲ୍‌ରୁ ୭୧(୬ଚୌକା, ୩ଛକା) ରନ୍‌ କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହାପରେ ସୁପରକିଙ୍ଗ୍‌ସର ପ୍ରଦର୍ଶନରେ ଅବନତି ଘଟିଥିଲା । ହେଲେ ମୁମ୍ବାଇ ଇଣ୍ଡିଆନ୍ସ ଲୟକୁ ଫେରିଥିଲା । ମୁମ୍ବାଇ ଇଣ୍ଡିଆନ୍ସ ଦଳ ଇତି ମଧ୍ୟରେ ୯ଟି ମ୍ୟାଚ୍‌ ଖେଳି ୬ବିଜୟ ସହ ୧୨ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାରେ ତୃତୀୟ ସ୍ଥାନରେ ରହିଛି ଡିଫେଣ୍ଡିଂ ଚାମ୍ପିଅନ୍‌ ଦଳ । ଅନ୍ୟ ପଟରେ ସୁପରକିଙ୍ଗ୍‌ସ ୧୦ଟି ମ୍ୟାଚ୍‌ରୁ ୩ବିଜୟ ସହ ମୋଟ୍‌ ୬ ପଏଣ୍ଟ ହାସଲ କରିଛି । ଶେଷ ୪ଟି ଯାକ ମ୍ୟାଚ୍‌ ଜିତିଲେ ସୁପରକିଙ୍ଗ୍‌ସ ପ୍ଲେ-ଅଫ୍‌ରେ ପ୍ରବେଶ କରିପାରିବ । ତେଣୁ ଆଜିର ମ୍ୟାଚ୍‌ ସୁପରକିଙ୍ଗ୍‌ସ ଦଳର ଭାଗ୍ୟ ନିର୍ଦ୍ଧାରଣ କରିବ।

ମୁମ୍ବାଇ ଇଣ୍ଡିଆନ୍ସ ଗତ ରବିବାର କିଙ୍ଗ୍‌ସ ଏକାଦଶ ପଞ୍ଜାବ ବିପକ୍ଷରେ ପରାଜୟର ସାମ୍ନା କରିଥିଲା । ମ୍ୟାଚ୍‌ ‘ଟାଇ’ ହେବା ପରେ ସୁପର ଓଭର ମଧ୍ୟ ‘ଟାଇ’ ହୋଇଥିଲା । ଦ୍ୱିତୀୟ ସୁପର ଓଭରରେ କିଙ୍ଗସ ଏକାଦଶ ବିଜୟ ହାସଲ କରିଥିଲା । ଇତି ମଧ୍ୟରେ ଚାମ୍ପିଅନ୍‌ ଦଳକୁ ୪ଦିନର ବିଶ୍ରାମ ସମୟ ମିଳିଛି । ପ୍ରତ୍ୟେକ ଖେଳାଳି ଫିଟ୍‌ ଓ ଫର୍ମରେ ରହିଛନ୍ତି । ବୋଲିଂ ବିଭାଗକୁ ନେଇ ସାମାନ୍ୟ ଚିନ୍ତା ରହିଛି । ଜେମ୍ସ ପ୍ୟାଟିନସନଙ୍କ ଅନୁପସ୍ଥିତି ଦଳ ଅନୁଭବ କରୁଛି ।
ସୁପରକିଙ୍ଗ୍‌ସ ଦଳକୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଦଳର ଷ୍ଟାର୍‌ ଖେଳାଳି ସୁରେଶ ରାଇନା ନଥିବାବେଳେ ଡ୍ୱେନ ବ୍ରାଭୋ ପୁଣି ଥରେ ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି । ବୋଲିଂ ବିଭାଗ ସନ୍ତୁଳିତ ରହିଛି । ହେଲେ ବ୍ୟାଟିଂ ବିଭାଗକୁ ନେଇ ଦଳର ଚିନ୍ତା ଦିନକୁ ଦିନ ବଢି ଚାଲିଛି । କେବଳ ଫାଫ ଡୁ ପ୍ଲେସିଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଫର୍ମରେ ନାହାନ୍ତି । ଯୁବ ଖେଳାଳିମାନେ ମଧ୍ୟ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରୁ ନାହାନ୍ତି । ତଥାପି ମହେନ୍ଦ୍ର ସିଂହ ଧୋନିଙ୍କ ଚତୁର ରଣନୀତି ଦଳକୁ ଜିତାଇବା ପାଇଁ ଯଥେଷ୍ଟ ।


Share It

Comments are closed.