ଟି୨୦କ୍ରିକେଟ୍‌ ବିଶ୍ୱକପରେ ଭାରତୀୟ ମହିଳାଙ୍କ ବିଜୟ ଅଭିଯାନ ଜାରି


ଭାରତ-ଶ୍ରୀଲଙ୍କା ମଧ୍ୟରେ ହୋଇଥିବା ଆଜିର କ୍ରିକେଟ୍ ମ୍ୟାଚ୍‌ରେ ଭାରତ ଶ୍ରୀଲଙ୍କାକୁ ୭ଟି ୱିକେଟ୍‌ରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଦଳ ୨୦ ଓଭର ମଧ୍ୟରେ ୯ଟି ୱିକେଟ୍ ପତନରେ ମାତ୍ର ୧୧୩ ରନ୍ କରିବାରେ ସକ୍ଷମ ହୋଇଥିଲା । ଭାରତୀୟ ବୋଲରଙ୍କ ଆକ୍ରମଣାତ୍ମକ ବୋଲିଂରେ ଶ୍ରୀଲଙ୍କା ଖେଳାଳୀମାନେ ଅଧିକ ସମୟ ପର୍ଯ୍ୟନ୍ତ କ୍ରିଜ୍‌ରେ ଟିକି ପାରି ନଥିଲେ । ଭାରତ ପକ୍ଷରୁ ରାଧା ଯାଦବଙ୍କ ବୋଲିଂ ଟିମ୍‌କୁ ସବୁଠାରୁ ବଡ଼ ସଫଳତା ପ୍ରଦାନ କରିଥିଲା । ସେ ତାଙ୍କର ଚାରି ଓଭରରେ ମାତ୍ର ୨୩ ରନ୍ ଦେଇ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ । ଏହାପରେ ରାଜେଶ୍ୱରୀ ଗଡ଼କର ମଧ୍ୟ ୨ଟି ୱିକେଟ୍ ନେଇଥିଲେ । ସଫଲ ରହିଂ, ଦୀପ୍ତି ଶର୍ମା, ଶିଖା ପାଣ୍ଡେ ଓ ପୁନମ ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ନେବାରେ ସକ୍ଷମ ହୋଇଥିଲେ ।

ସର୍ବଶେଷରେ ମ୍ୟାଚ୍ ଜିତିବା ପାଇଁ ଭାରତୀୟ ଟିମ୍ ନିକଟରେ ୨୦ ଓଭରରେ ମାତ୍ର ୧୧୪ ରନ୍ କରିବାର ଥିଲା, ଯାହାକୁ ଭାରତୀୟ ମହିଳା ବ୍ୟାଟ୍ସମ୍ୟାନମାନେ ମାତ୍ର ୩ଟି ୱିକେଟ ପତନରେ ୧୪ ଓଭରରେ ପୂରା କରିଦେଇଥିଲେ । ସେଫାଳୀ ବର୍ମା ୭ଟି ଚୌକା ଓ ଗୋଟିଏ ଛକା ମାରି ମାତ୍ର ୩୪ଟି ବଲ୍‌ରେ ୪୭ ରନ୍ କରିବାରେ ସକ୍ଷମ ହୋଇଥିଲେ ଏବଂ ସ୍ମୃତି ମନ୍ଧାନା ୩ଟି ଚୌକା ମାରି ୧୨ଟି ବଲ୍‌ରେ ୧୭ ରନ୍ କରିଥିଲେ । ଭାରତ ଏହାର ପୂର୍ବ ମ୍ୟାଚ୍‌ରେ ନ୍ୟୁଜ୍‌ଲ୍ୟାଣ୍ଡ ଟିମ୍‌କୁ ମାତ୍ର ୩ ରନ୍‌ରେ ହରାଇ ବିଶ୍ୱକପ୍ ସେମିଫାଇନାଲ୍‌ରେ ତାହାର ସ୍ଥାନ ପକ୍କା କରିନେଇଛି । ପୁଣି ଆଜିର ବିଜୟ ବିଶ୍ୱକପ୍ ଟ୍ରଫି ହାସଲ କରିବା ନିମନ୍ତେ ଟିମ୍‌ର ମନୋବଳକୁ ଆହୁରି ଦୃଢ଼ କରିବା ସହିତ ବିଜୟ ଦିଗକୁ ଆଉ ପାଦେ ଅଗ୍ରସର କରାଇଛି ।


Share It

Comments are closed.