ଭାରତ-ଶ୍ରୀଲଙ୍କା ସିରିଜ ଉପରେ କରୋନାର କଳା ବାଦଲ, ପୁନଃସୂଚୀ ପଇଁ ବିସିସିଆଇକୁ ଏସଏଲସିର ପ୍ରସ୍ତାବ


ଘରୋଇ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ଆସନ୍ତା ସୀମିତ ଓଭର କ୍ରିକେଟ୍‌ ସିରିଜ୍‌କୁ କରୋନା ଭୟ ଘାରିଛି । ଶ୍ରୀଲଙ୍କା ଦଳର ୨ ଜଣ ସଦସ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ଼ (ଏସ୍‌ଏଲ୍‌ସି) ସିରିଜ୍‌କୁ ଘୁଞ୍ଚାଇବା ପାଇଁ ବିସିସିଆଇକୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି । ଶନିବାର ବିସିସିଆଇ ସହ ଆଲୋଚନା କରିବା ପରେ ଏସ୍‌ଏଲ୍‌ସି ସିରିଜର ପୁନଃସୂଚୀ ଘୋଷଣା କରିବା ସମ୍ଭାବନା ରହିଛି ।

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ଟି ଦିନିକିଆ (୧୩, ୧୬, ୧୮ ତାରିଖ) ଓ ୩ଟି ଟି-ଟ୍ୱେଣ୍ଟି (୨୧, ୨୩, ୨୫ ତାରିଖ) ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ ଶ୍ରୀଲଙ୍କା ଦଳରେ ୨ଜଣ ସଦସ୍ୟ ପଜିଟିଭ୍‌ ଚିହ୍ନଟ ହୋଇଥିବାରୁ ଦଳର କ୍ୱାରେଣ୍ଟାଇନ୍‌ ଅବଧି ବୃଦ୍ଧି ହେବା ଜରୁରୀ ହୋଇପଡ଼ିଛି । ତେଣୁ ବୋର୍ଡ଼ ଦିନିକିଆ ସିରିଜ୍‌କୁ ଜୁଲାଇ ୧୩ ପରିବର୍ତ୍ତେ ୧୭ ତାରିଖରୁ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛି ।

ପ୍ରସ୍ତାବିତ କ୍ରୀଡ଼ାସୂଚୀ ମୁତାବକ ୧୯ରେ ଦ୍ୱିତୀୟ ଏବଂ ୨୧ରେ ତୃତୀୟ ଦିନିକିଆ ଖେଳାଯିବାକୁ ଥିବାବେଳେ ୨୪, ୨୫, ୨୭ରେ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳାଯିବ । ଗତ ଗୁରୁବାର ଶ୍ରୀଲଙ୍କା ବ୍ୟାଟିଂ କୋଚ୍‌ ଗ୍ରାଣ୍ଟ ଫ୍ଲାୱାରଙ୍କ ରିପୋର୍ଟ ପଜିଟିଭ୍‌ ବାହାରିଥିଲା । ଆଜି ଦଳର ଡାଟା ଆନାଲିଷ୍ଟ ଜିଟି ନିରୋଶାନଙ୍କ ରିପୋର୍ଟ ପଜିଟିଭ୍‌ ବାହାରିଛି । ଉଭୟ ଶ୍ରୀଲଙ୍କା ଦଳ ସହ ଇଂଲଣ୍ଡ ଗସ୍ତରେ ସାମିଲ ଥିଲେ । ଶ୍ରୀଲଙ୍କା ବିପକ୍ଷରେ ଘରୋଇ ସୀମିତ ଓଭର କ୍ରିକେଟ୍‌ ସିରିଜ୍‌ରେ ସାମିଲ ଥିବା ଇଂଲଣ୍ଡର ୭ଜଣ ସଦସ୍ୟ ପ୍ରଥମେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ ।


Share It

Comments are closed.