ତୃତୀୟ ଟି-୨୦ରେ କୋହଲି, ରାହୁଲଙ୍କୁ ବିଶ୍ରାମ


ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟି ଖେଳାଯିବ । ପ୍ରଥମ ୨ଟି ମ୍ୟାଚ୍‌ ଜିତିବା ପରେ ରୋହିତ ବାହିନୀର ନଜର ଏବେ ସିରିଜ ମୂଳପୋଛ ଉପରେ । ବିଶ୍ୱକପ୍‌ ପୂର୍ବରୁ ଏହା ଭାରତର ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍‌ । ତେଣୁ ମଙ୍ଗଳବାର ଦଳ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଶେଷ ପରୀକ୍ଷା କରିବ । ଅନ୍ୟପଟରେ ଦକ୍ଷିଣ ଆଫ୍ରିକା ସମ୍ମାନ ବଞ୍ଚାଇବାକୁ ପ୍ରୟାସ କରିବ । ଅନ୍ତିମ ଟି-ଟ୍ୱେଣ୍ଟିରୁ ଷ୍ଟାର୍‌ ବ୍ୟାଟର ବିରାଟ କୋହଲି ଓ ଲୋକେଶ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି । ତେଣୁ ଆଜି ରିଷଭ ପନ୍ତ କିମ୍ବା ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରୁ ଜଣଙ୍କୁ ଓପନିଂ ସୁଯୋଗ ମିଳିବ । ଶ୍ରେୟାସ୍‌ ୩ନଂ ସ୍ଥାନରେ ଖେଳିବେ । ସେହିପରି ଅଲରାଉଣ୍ଡର ଶାହବାଜ ଅହମ୍ମଦ ପଦାର୍ପଣ ସୁଯୋଗ ପାଇପାରନ୍ତି । ପୂର୍ବ ମ୍ୟାଚ୍‌ରେ ଭାରତ ଦୃଢ଼ ବ୍ୟାଟିଂ କରି ବିଶାଳ ସ୍କୋର (୩/୨୩୭) କରିଥିଲା ।

କିନ୍ତୁ ଏହାକୁ ଡିଫେଣ୍ଡ କରିବା ପାଇଁ ବୋଲିଂ ବିଭାଗକୁ ନାକେଦମ ହେବାକୁ ପଡ଼ିଥିଲା । ଯଶପ୍ରୀତ ବୁମରାଙ୍କ ଅନୁପସ୍ଥିତି ବୋଲିଂ ବିଭାଗକୁ ଦୁର୍ବଳ କରିଛି । ଆସନ୍ତାକାଲି ଦର୍ଶକ ସୂର୍ଯ୍ୟକୁମାରଙ୍କଠୁ ଏକ ବଡ଼ ଇନିଂସ୍‌ ଆଶା ରଖିବେ । ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚ୍‌ରେ ଶୋଚନୀୟ ଭାବେ ପରାଜିତ ହେବା ପରେ ଦ୍ୱିତୀୟ ମ୍ୟାଚ୍‌ରେ ଦୃଢ଼ ବ୍ୟାଟିଂ କରି ମନ ଜିଣି ନେଇଥିଲା । ବିଶ୍ୱକପ୍‌ ପୂର୍ବରୁ ଡେଭିଡ୍‌ ମିଲର ଓ କ୍ୱିଣ୍ଟନ ଡି’କକ୍‌ ଫର୍ମକୁ ଫେରିଛନ୍ତି । ମିଲର ଦ୍ୱିତୀୟ ମ୍ୟାଚ୍‌ରେ ୪୬ବଲ୍‌ରୁ ବିସ୍ଫୋରକ ଶତକ ଏବଂ ଡି’କକ୍‌ ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ ଅଧିନାୟକ ତେମ୍ବା ବଭୁମାଙ୍କ ଫର୍ମ ଦଳ ପାଇଁ ଚିନ୍ତାଜନକ ରହିଛି । ଆଜି ସେ ଫର୍ମ ଫେରି ପାଇବା ନେଇ ଜୋରଦାର ପ୍ରସ୍ତୁତି କରିଛନ୍ତି । ସ୍ପିନର କେଶବ ମହାରାଜଙ୍କୁ ଛାଡ଼ି ଅନ୍ୟ ସମସ୍ତ ବୋଲର ଉଭୟ ମ୍ୟାଚ୍‌ରେ ନିରାଶ କରିଥିଲେ । ମ୍ୟାଚ୍‌ ଜିତିବାକୁ ହେଲେ ବୋଲରଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ । ହୋଲକର କ୍ରିକେଟ ଷ୍ଟାଡିୟମ ଗ୍ରାଉଣ୍ଡ ଛୋଟ ଥିବାରୁ ଆସନ୍ତାକାଲି ହାଇ ସ୍କୋରିଂ ମ୍ୟାଚ୍‌ ହେବା ଆଶା କରାଯାଉଛି ।

ସମ୍ଭାବ୍ୟ ଏକାଦଶ

ଭାରତ : ରୋହିତ ଶର୍ମା (ଅଧିନାୟକ), ରିଷଭ ପନ୍ତ, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ଅକ୍ଷର ପଟେଲ, ଦିନେଶ କାର୍ତ୍ତିକ, ଶାହବାଜ ଅହମ୍ମଦ, ହର୍ଷଲ ପଟେଲ, ଦୀପକ ଚହର, ଆର୍‌ ଅଶ୍ୱିନ, ଅର୍ଶଦୀପ ସିଂହ ।

ଦ.ଆଫ୍ରିକା : ତେମ୍ବା ବଭୁମା, କ୍ୱିଣ୍ଟନ ଡି’କକ୍‌, ରିଲି ରୋଷୋ/ରିଜା ହେଣ୍ଡ୍ରିକ୍ସ, ଆଡେନ ମାରକ୍ରମ, ଡେଭିଡ୍‌ ମିଲର, ତ୍ରିଷ୍ଟନ ଷ୍ଟବ୍ସ, ୱେନ ପାର୍ନେଲ, କେଶଭ ମହାରାଜ, କାଗିସୋ ରାବାଡ଼ା, ଆନରିଚ ନର୍ଜ, ଲୁଙ୍ଗି ଏନ୍‌ଗିଡ଼ି ।


Share It

Comments are closed.