ପାକିସ୍ତାନକୁ ଘାରିଲା ଭାରତର ସର୍ଜିକାଲ ଷ୍ଟ୍ରାଇକ ଭୟ : ସୈନ୍ୟଙ୍କୁ ହାଇ ଆଲର୍ଟ ଜାରି କଲା ପାକ୍


ପାକିସ୍ତାନକୁ ପୁଣି ଥରେ ଭାରତର ସର୍ଜିକାଲ ଷ୍ଟ୍ରାଇକର ଭୟ ଡରାଉଛି। ପାକିସ୍ତାନର ପ୍ରମୁଖ ଖବରକାଗଜ ଏକ୍ସପ୍ରେସ ଟ୍ରିବ୍ୟୁନ ଲେଖିଛି ଯେ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନରୁ ଦୃଷ୍ଟି ଆକର୍ଷଣ କରିବାକୁ ଭାରତ ପୁଣି କୌଣସି ଦୁଃସାହସ କରିପାରେ ବୋଲି ଗୁପ୍ତଚର ଏଜେନ୍ସି ପକ୍ଷରୁ ସୂଚନା ମିଳିଛି। ଖବରକାଗଜରେ ସାମରିକ ସୂତ୍ରରୁ ପ୍ରକାଶ ଯେ ସର୍ଜିକାଲ ଷ୍ଟ୍ରାଇକ୍ ଭୟରେ ପାକିସ୍ତାନ ଭାରତ ସୀମାରେ ଥିବା ସୈନ୍ୟ ଉପରେ ହାଇ ଆଲର୍ଟ ମଧ୍ୟ କରିଛି।

ଏକ୍ସପ୍ରେସ୍ ଟ୍ରିବ୍ୟୁନରେ ଖବର ପ୍ରକାଶ ପାଇଛି ଯେ, ମୋଦୀ ସରକାର ଦେଶରେ ଜାରି ବିରୋଧ ପ୍ରଦର୍ଶନକୁ ଦୁର୍ବଳ କରିବା ପାଇଁ କୌଣସି ବି ପଦକ୍ଷେପ ନେଇପାରନ୍ତି । ଭାରତ ସରକାର କୃଷକ ଆନ୍ଦୋଳନକୁ ଖଲିସ୍ତାନ ଆନ୍ଦୋଳନର ସହଯୋଗ ମିଳିବା କଥା ଚାହୁଁନାହାଁନ୍ତି । ସମ୍ଭାବ୍ୟ ସର୍ଜିକାଲ ଷ୍ଟ୍ରାଇକ ଭୟରେ ଏଲଓସିରେ ପାକିସ୍ତାନୀ ସୈନିକଙ୍କୁ ଆଲର୍ଟ କରାଯାଇଛି ।

ସେହିପରି ଜିୟୋ ନ୍ୟୁଜର ରିପୋର୍ଟ ଅନୁସାରେ,ଏଲଓସି ଓ ଫେନସିଂ ବାଉଣ୍ଡରୀରରେ ସୈନିକଙ୍କୁ ହାଇ ଆଲର୍ଟ କରାଯାଇଛି । ଭାରତର କୌଣସି ଦୁଃସାହସର ଜବାବ ଦେବାକୁ ସୈନ୍ୟଙ୍କୁ କୁହାଯାଇଛି । ଭାରତ ସଂଖ୍ୟାଲଘୁ, କୃଷକ ଆନ୍ଦୋଳନ ଓ କାଶ୍ମୀର ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ସରକାର ଏହି ପଦକ୍ଷେପ ନେଇପାରନ୍ତି । ଏପରିକି ଲଦାଖରେ ମଧ୍ୟ ଅନେକ ଚ୍ୟାଲେଞ୍ଜକୁ ଭାରତ ସାମ୍ନା କରୁଛି ।

ସୂଚନାଯୋଗ୍ୟ, ଭାରତ ସରକାର ଉରି ଆକ୍ରମଣ ଓ ପୁଲଓ୍ୱାମା ଆକ୍ରମଣ ପରେ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ ଓ ଏୟାର ଷ୍ଟ୍ରାଇକ କରିଥିଲା । ଯେଉଁଥିରେ ୪୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିଲେ । ଭାରତର ଏହି ଆକ୍ରମଣ ପାକିସ୍ତାନକୁ ଥରାଇ ଦେଇଥିଲା ।


Share It

Comments are closed.