ଭାରତ ଦଖଲରେ ପାଙ୍ଗଙ୍ଗ ସୋ’ର ୩ ମହତ୍ତ୍ୱପୂର୍ଣ୍ଣ ପର୍ବତ ଶିଖର


ଲଦାଖ ସୀମାରେ ଚୀନ ସେନା ସହ ପୁଣି ଥରେ ମୁହାଁମୁହିଁ ସ୍ଥିତି ଜାରି ରହିଥିବା ବେଳେ ପୂର୍ବ ଲଦାଖର ପାଙ୍ଗଙ୍ଗ ସୋ’ ହ୍ରଦର ଦକ୍ଷିଣ ଉପକୂଳରେ ଅତି କମ୍‌ରେ ତିନିଟି ଗୁରୁତ୍ୱପୂର୍ଣ୍ଣ ପର୍ବତ ଶିଖରରେ ଭାରତୀୟ ଯବାନମାନେ ଆସ୍ଥାନ ଜମାଇ ରହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ହିମାଳୟର ଅତ୍ୟୁଚ୍ଚ ସ୍ଥାନରେ ଅବସ୍ଥିତ ଏହି ପାଙ୍ଗଙ୍ଗ ସୋ’ ହ୍ରଦ ଇଲାକା ଭାରତୀୟ ନିୟନ୍ତ୍ରଣ ସୀମା ଭିତରେ ରହିଛି। ସୁତରାଂ ଏଭଳି ଉଚ୍ଚ ସ୍ଥାନରେ ନିଜର ଯବାନମାନଙ୍କୁ ଅବସ୍ଥାପିତ କରି ଭାରତ ଏକ ସୁବିଧାଜନକ ସ୍ଥିତିରେ ରହିଛି। ଏହି ଉଚ୍ଚ ପାର୍ବତ୍ୟାଞ୍ଚଳରେ ଭାରତୀୟ ସେନା ନିଜର ସ୍ଥିତି ସୁଦୃଢ଼ କରି ଚୀନ ସେନାର ଯାବତୀୟ ଗତିବିଧିକୁ ଠଉରେଇ ପାରୁଛି। ତେଣୁ ଏଥିରେ ବିଶୃଙ୍ଖଳା ସୃଷ୍ଟି କରି କୌଣସିମତେ ଭାରତୀୟ ଉପସ୍ଥିତିକୁ ସେଠାରୁ ହଟାଇବା ପାଇଁ ଚୀନ କର୍ତ୍ତୃପକ୍ଷ ଉଦ୍ଦେଶ୍ୟମୂଳକ ଭାବେ ସେଠାରେ ଅତିକ୍ରମଣ ଉଦ୍ୟମ ଚଳାଇଛନ୍ତି। ତେବେ ପରିସ୍ଥିତିରେ ସୁଧାର ଆଣିବା ପାଇଁ ଦୁଇ ଦେଶ ମଧ୍ୟରେ ଲଗାତାର ତିନି ଦିନ ଧରି ଦ୍ୱିପାକ୍ଷିକ ସାମରିକ ଅଧିକାରୀସ୍ତରୀୟ ଆଲୋଚନା ଜାରି ରହିଥିବା ବେଳେ କୌଣସି ନିଷ୍କର୍ଷ ବାହାରି ପାରିନାହିଁ।

ସୂଚନା ଥାଉ କି, ଗତ ମେ ମାସରୁ ଚୀନ ସୈନିକମାନଙ୍କର ପ୍ରକୃତ ନିୟନ୍ତ୍ରଣ ରେଖା ଟପି ଭାରତୀୟ ସୀମା ପଟକୁ ଅତିକ୍ରମଣ ଉଦ୍ୟମ ପରଠାରୁ ଦ୍ୱିପାକ୍ଷିକ ସମ୍ପର୍କ ଖରାପ ହୋଇଛି। ଜୁନ୍ ୧୫ ତାରିଖ ରାତିର ରକ୍ତାକ୍ତ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହେବା ପରେ ଏସିଆ ମହାଦେଶର ଏହି ଦୁଇ ବୃହତ୍ ଶକ୍ତି ମଧ୍ୟରେ ରହିଥିବା ସମ୍ପର୍କରେ ଘୋର ଅବନତି ଘଟିଛି। ତେବେ ସ୍ୱାଭାବିକତା ଫେରାଇ ଆଣିବା ଲାଗି ନୂଆଦିଲ୍ଲୀ ଓ ବେଜିଂ ପ୍ରଶାସନ ସୀମାର ବିଭିନ୍ନ ଉତ୍ତେଜନା ସ୍ଥଳୀକୁ ସୈନ୍ୟ ପ୍ରତ୍ୟାହାର ପାଇଁ ସହମତ ହୋଇଥିଲେ ହେଁ ଚୀନ ସୈନିକମାନେ ପାଙ୍ଗଙ୍ଗ ସୋ’ ହ୍ରଦର ଦକ୍ଷିଣ ଉପକୂଳରେ ଦୁଇ ଦୁଇ ଥର ଅତିକ୍ରମଣ ଉଦ୍ୟମ କରି ଦ୍ୱିପାକ୍ଷିକ କଥାବାର୍ତ୍ତାର ଉଲ୍ଲଂଘନ କରିଛନ୍ତି।


Share It

Comments are closed.