କରୋନା ମୃତ୍ୟୁ ମାମଲାରେ ପଂଚମ ସ୍ଥାନକୁ ଉଠିଲା ଭାରତ, ୩୫ ହଜାର ପାର କଲା ମୃତ୍ୟୁ ସଂଖ୍ୟା


ଭାରତରେ କରୋନା ଭାଇରସ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ଗୁରୁବାର ଦିନ ଦେଶରେ ୫୪ ହଜାର ନୂତନ ମାମଲା ବାହାରିଥିଲା ଏବଂ ଏହି ମାରାତ୍ମକ ଭାଇରସ ଯୋଗୁଁ ୭୮୬ ଜଣ ପ୍ରାଣ ହରାଇଥିଲେ। ଗୋଟିଏ ଦିନରେ ଏହା ସର୍ବାଧିକ ସଂଖ୍ୟକ ମାମଲା ଅଟେ | ଏହା ସହ ଦେଶରେ ମୃତକଙ୍କ ସଂଖ୍ୟା ୩୫ ହଜାର ଅତିକ୍ରମ କରିଛି। ଗତ ସାତ ଦିନ ମଧ୍ୟରେ ଏହି ମହାମାରୀରେ ପାଞ୍ଚ ହଜାରରୁ ଅଧିକ ରୋଗୀଙ୍କର ମୃତ୍ୟୁ ଘଟିଛି।

ମୃତକଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ବିଶ୍ବରେ ବର୍ତମାନ ପଞ୍ଚମ ସ୍ଥାନରେ ପହଂଚିଛି। ଏହାପୂର୍ବରୁ ଇଟାଲୀ ପଞ୍ଚମ ସ୍ଥାନରେ ଥିଲା ଯେଉଁଠାରେ କୋଭିଡ-୧୯ କାରଣରୁ ୩୫,୧୩୨ ଲୋକ ପ୍ରାଣ ହରାଇଥିଲେ। ଗୁରୁବାର ଦିନ ଏହି ସଂଖ୍ୟା ଭାରତରେ ୩୫,୭୪୮ ରେ ପହଞ୍ଚିଛି। ଏଥିମଧ୍ୟରୁ କେବଳ ଜୁଲାଇ ମାସରେ ୧୮,୩୫୬ ଜଣଙ୍କର ମୃତ୍ୟୁ ଘଟିଛି। ପୂର୍ବ ମାସ ତୁଳନାରେ ଏହି ସଂଖ୍ୟା ବହୁତ ଅଧିକ |

ଭାରତରେ କରୋନା ଭାଇରସ ମାମଲା ୧୬ ଲକ୍ଷରୁ ଉର୍ଦ୍ଧ୍ବରେ ପହଞ୍ଚିଛି। ରାଜ୍ୟ ସରକାରଙ୍କଠାରୁ ସଂଗୃହିତ ତଥ୍ୟ ଅନୁଯାୟୀ ଗୁରୁବାର ଦିନ ଦେଶରେ ରେକର୍ଡ ୫୪,୨୧୧ ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ମହାରାଷ୍ଟ୍ରରେ ୧୧,୧୪୭ ତାଜା ସଂକ୍ରମଣ ମାମଲା ରିପୋର୍ଟ ହୋଇଥିଲା। ଗୋଟିଏ ରାଜ୍ୟରେ ଏହା ସର୍ବାଧିକ ରିପୋର୍ଟ ହୋଇଛି। ଆନ୍ଧ୍ରପ୍ରଦେଶରେ ୧୦,୧୬୭ ଟି ନୂଆ ମାମଲା ବାହାରିଛି। ଏହା ସହିତ କ୍ରମାଗତ ଦୁଇ ଦିନ ପାଇଁ ୧୦ ହଜାରରୁ ଅଧିକ ମାମଲା ବାହାରିଥିବାରେ ଏହା ଏକମାତ୍ର ରାଜ୍ୟ ହୋଇପାରିଛି।

ଗୁରୁବାର ଦିନ ଦେଶରେ କରୋନା କାରଣରୁ ୭୮୬ ଜଣଙ୍କର ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି ଏବଂ ମୃତ୍ୟୁ ସଂଖ୍ୟା ୩୫ ହଜାର ଅତିକ୍ରମ କରିଛି। ଏହାପୂର୍ବରୁ ମଙ୍ଗଳବାର ଦିନ ୭୮୧ ଲୋକ ସଂକ୍ରମଣ ହେତୁ ପ୍ରାଣ ହରାଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା କାରଣରୁ ଦେଢ଼ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି। ଏହା ପରେ ବ୍ରାଜିଲରେ ୯୦ ହଜାରରୁ ଅଧିକ, ବ୍ରିଟେନରେ ୪୫,୯୯୯ ଏବଂ ମେକ୍ସିକୋରେ ୪୫,୩୬୧ ଜଣଙ୍କର ମୃତ୍ୟୁ ଘଟିଛି। ଏହି ତାଲିକାରେ ଭାରତ ପଞ୍ଚମ ସ୍ଥାନରେ ରହିଛି।


Share It

Comments are closed.