ଶେଷ ଦୁଇଟି ଟେଷ୍ଟ ମ୍ୟାଚରେ ରୋହିତଙ୍କୁ ମିଳିଲା ଉପ-ଅଧିନାୟକ ଦାୟିତ୍ୱ


ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଶେଷ ୨ଟି ମ୍ୟାଚ୍‌ ପାଇଁ ଦଳରେ ସାମିଲ ହୋଇଥିବା ଅଭିଜ୍ଞ ଓପନିଂ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମାଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଛି। ବିରାଟ କୋହଲି ପ୍ରଥମ ଟେଷ୍ଟ ଖେଳି ସ୍ୱଦେଶ ଫେରିବା ପରେ ତାଙ୍କ ସ୍ଥାନରେ ଅଜିଙ୍କ୍ୟ ରାହାଣେଙ୍କୁ ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଚେତେଶ୍ୱର ପୂଜାରା ଉପ ଅଧିନାୟକ ନିଯୁକ୍ତ ହୋଇଥିଲେ। ମେଲବୋର୍ଣ୍ଣରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଭାରତ ବିଜୟ ହାସଲ କରିଥିଲା । ଫିଟ୍‌ନେସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ରୋହିତଙ୍କୁ ତୃତୀୟ ଓ ଚତୁର୍ଥ ଟେଷ୍ଟ ପାଇଁ ଦଳରେ ସାମିଲ କରାଯାଇଥିଲା। ଦଳ ସହ ଯୋଗଦେବାର ଦିନକ ମଧ୍ୟରେ ପୂଜାରାଙ୍କୁ ହଟାଇ ରୋହିତଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଛି । ଅର୍ଥାତ ତୃତୀୟ ଟେଷ୍ଟରେ ରୋହିତ ଖେଳିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ରୋହିତ ସର୍ବଦା ନିଜକୁ ଜଣେ ଦକ୍ଷ ଓ ବିଚକ୍ଷଣ ଅଧିନାୟକ ଭାବେ ପ୍ରମାଣିତ କରିଆସିଛନ୍ତି । ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୫ଥର ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିସାରିଛି । ସେ ମଧ୍ୟ ସୀମିତ ଓଭର କ୍ରିକେଟ୍‌ ଦଳର ଉପଅଧିନାୟକ ଭାବେ କାର୍ଯ୍ୟ ତୁଲାଇସାରିଛନ୍ତି ।

ରୋହିତଙ୍କ ଫର୍ମକୁ ନେଇ ଉତ୍ସାହିତ ଦଳ: ରୋହିତ ଆଜି ଅଭ୍ୟାସ ଶିବିରରେ ଦୀର୍ଘ ସମୟ ଧରି ବ୍ୟାଟିଂ କରିଥିବା ଦେଖିବାକୁ ମିଳିଥିଲା । ତାଙ୍କ ଅଭ୍ୟାସରେ କୋଚ ରବି ଶାସ୍ତ୍ରୀ ସନ୍ତୁଷ୍ଟ ରହିଛନ୍ତି । ରୋହିତ ପୂର୍ବ ଭଳି ଫର୍ମରେ ଅଛନ୍ତି ଓ କୌଣସି ବଲ୍‌ ଖେଳିବାରେ ଅସୁବିଧାର ସମ୍ମୁଖୀନ ହୋଇନଥିବା ପ୍ରମାଣିତ ହୋଇଛି । ଆହତ ସମସ୍ୟା ଓ ମାନସିକ ଚାପରେ ଦେଢ ମାସ କଟାଇବା ପରେ ରୋହିତ ଦଳରେ ଯୋଗ ଦେଇଥିଲେ । ଏଭଳି ପରିସ୍ଥିତିରେ ପ୍ରତ୍ୟେକ ଖେଳାଳି ମନୋବଳ ହରାଇବା ସ୍ୱାଭାବିକ୍‌ । ହେଲେ ରୋହିତ ପୂର୍ବଭଳି ଦୃଢ ଆତ୍ମବିଶ୍ୱାସ ସହ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଥିଲା । ରୋହିତ ଇତିମଧ୍ୟରେ ୩୨ଟି ଟେଷ୍ଟ ଖେଳି ୬ଟି ଶତକ ସହ ୪୬ରୁ ଊଦ୍ଧ୍ୱର୍ ହାରରେ ୨୧୪୧ ରନ୍‌ ସଂଗ୍ରହ କରିସାରିଛନ୍ତି । ସିଡନୀରେ ରୋହିତ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କଲେ ଭାରତ ବିଜୟଧାରା ଜାରି ରଖିପାରିବ। ୫ତାରିଖ ସକାଳ ପର୍ଯ୍ୟନ୍ତ ଭାରତୀୟ ଦଳ ମେଲବୋର୍ଣ୍ଣରେ ଅଭ୍ୟାସ କରିବା ପରେ ଅପରାହ୍ଣରେ ସିଡନୀ ଯାତ୍ରା କରିବ। ନଟରାଜନ, ଠାକୁର ସାମିଲ: ମହମ୍ମଦ ସାମି ଓ ଉମେଶ ଯାଦବ ଆହତ ହୋଇ ଦଳରୁ ବାଦ ପଡ଼ିବା ପରେ ବର୍ତ୍ତମାନ ଦଳରେ ଦୁଇ ଯୁବ ପେସ୍‌ ବୋଲର ସର୍ଦୁଲ ଠାକୁର ଓ ଟି ନଟରାଜନଙ୍କୁ ସାମିଲ କରାଯାଇଛି । ଠାକୁର ଦୀର୍ଘ ଦିନ ହେଲା ସୀମିତ ଓଭର ଦଳରେ ସ୍ଥାନ ପାଇ ଖେଳିଆସୁଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ଟେଷ୍ଟ ପଦାର୍ପଣ କରିଥିଲେ ହେଁ ମାତ୍ର ଗୋଟିଏ ଓଭର ବୋଲିଂ କରି ଆହତ ହୋଇଥିଲେ । ସେ ଇତିମଧ୍ୟରେ ୬୨ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳି ୨୦୬ଟି ୱିକେଟ୍‌ ଅକ୍ତିଆର କରିସାରିଛନ୍ତି । ତାଙ୍କ ନାମରେ ୬ଟି ଅର୍ଦ୍ଧଶତକ ମଧ୍ୟ ରହିଛି ।

ଅନ୍ୟପଟରେ ନଟରାଜନ ନିଜର ନିଷ୍ଠା ଓ କଠିନ ପରିଶ୍ରମର ମୂଲ୍ୟ ପାଇଛନ୍ତି । ସେ ନେଟ୍‌ ବୋଲର ଭାବେ ଦଳ ସହ ଅଷ୍ଟ୍ରେଲିଆ ଆସିଥିଲେ । ବରୁଣ ଚକ୍ରବର୍ତ୍ତୀ ଆହତ ହୋଇ ଟି-ଟ୍ୱେଣ୍ଟି ଦଳରୁ ବାଦ ପଡ଼ିବା ପରେ ନଟରାଜନଙ୍କୁ ଦଳରେ ସ୍ଥାନ ମିଳିଥିଲା । ଏହାପରେ ନବଦୀପ ସାଇନି ପିଠିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ସ୍ଥାନରେ ନଟରାଜନ ଦିନିକିଆ ଦଳରେ ସ୍ଥାନ ପାଇ ଖେଳିଥିଲେ। ଉଭୟ ଦିନିକିଆ ଓ ଟି-ଟ୍ୱେଣ୍ଟିରେ ତାଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା। ବର୍ତ୍ତମାନ ସେ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି । ୭ ତାରିଖରୁ ସିଡନୀରେ ତୃତୀୟ ଟେଷ୍ଟ ଆରମ୍ଭ ହେବ । ଠାକୁର ଓ ନଟରାଜନଙ୍କ ମଧ୍ୟରୁ ଜଣେ ଖେଳିବା ନିଶ୍ଚିତ । ୨୦୧୪ରେ ଜାହିର ଖାନ୍‌ ଅବସର ନେବା ପରଠୁ ଭାରତୀୟ ଦଳରେ କୌଣସି ବାମ ହାତି ପେସ୍‌ ବୋଲର ଏପର୍ଯ୍ୟନ୍ତ ଟେଷ୍ଟ ଖେଳିନାହାନ୍ତି । ନଟରାଜନ ଏହି ସ୍ଥାନ ପୂରଣ କରିବା ଆଶା କରାଯାଉଛି । ଦଳ: ଅଜିଙ୍କ୍ୟ ରାହାଣେ(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), ମୟଙ୍କ ଅଗ୍ରୱାଲ୍‌, ପୃଥ୍ୱୀ ଶ, ଲୋକେଶ ରାହୁଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଶୁଭମନ ଗିଲ, ରିଦ୍ଧିମାନ ଶାହା, ରିଶଭ ପନ୍ତ, ଜଶପ୍ରୀତ ବୁମରା, ନବଦୀପ ସାଇନି, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ, ମହମ୍ମଦ ସିରାଜ, ସର୍ଦୁଲ ଠାକୁର, ଟି ନଟରାଜନ।


Share It

Comments are closed.