ଦ୍ୱିତୀୟ ଟେଷ୍ଟରେ ବାଦ ପଡିପାରନ୍ତି ନଦୀମ, ସୁସ୍ଥ ହୋଇ ଅଭ୍ୟାସ ଆରମ୍ଭ କଲେ ଅକ୍ଷର


ପ୍ରଥମ ଟେଷ୍ଟ୍‌ରେ ଲଜ୍ଜାଜନକ ପରାଜୟ ବରଣ କରିବା ପରେ ଶନିବାରଠାରୁ ଏଠାରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ ଲାଗି ଭାରତୀୟ ଦଳରେ ବ୍ୟାପକ ନହେଲେ ବି ଛୋଟ କାଟିଆ ଅଦଳ ବଦଳ ହେବା ଏକ ପ୍ରକାର ନିଶ୍ଚିତ। ବିଶେଷ କରି ଝାଡ଼ଖଣ୍ଡର ବାମହାତୀ ସ୍ପିନର ଶାହାବାଜ ନଦୀମ ଏହି ମ୍ୟାଚ୍‌ରୁ ବାଦ୍‌ ପଡ଼ିବାର ସମ୍ଭାବନା ଅଧିକ। ନଦୀମ ଭାରତୀୟ ସମ୍ଭାବ୍ୟ ଦଳରେ ନଥିଲେ ମଧ୍ୟ ଅଲରାଉଣ୍ଡର ଅକ୍ଷର ପଟେଲ ଦୁର୍ଭାଗ୍ୟଜନକ ଭାବେ ଅଭ୍ୟାସ ବେଳେ ଆହତ ହେବାରୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିଲେ। ହେଲେ ଭାଗ୍ୟ ବଳରେ ମିଳିଥିବା ସୁଯୋଗରୁ କୌଣସି ଫାଇଦା ଉଠାଇ ପାରିନଥିଲେ। ଆଶାଜନକ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ଦୁଇଟି ପାଳିରେ ୫୯ ଓଭର ବୋଲିଂ କରି ୨୩୩ ରନ୍ ବିନିମୟରେ ମାତ୍ର ୪ ୱିକେଟ୍ ନେଇଥିଲେ ସେ। ଆଉ ଓଭର ପିଛା ୪ରୁ ଅଧିକ ରନ୍ ବ୍ୟୟ କରିଥିଲେ। ସେହିଭଳି ଉଭୟ ପାଳିରେ ଖାତା ଖୋଲି ପାରିନଥିଲେ। ନଦୀମଙ୍କ ବଦଳ ଖେଳାଳିଙ୍କ ନାଁ ଶୁକ୍ରବାର ଅର୍ଥାତ୍ ମ୍ୟାଚ୍ ପୂର୍ବଦିନ ନିଆଯିବ ବୋଲି ସଂକେତ ଦେଇଛି ଟିମ୍ ଇଣ୍ଡିଆ।

ସଂପୂର୍ଣ୍ଣ ସୁସ୍ଥ ହୋଇ ପୁଣି ଥରେ ଅଭ୍ୟାସ ଆରମ୍ଭ କରିଥିବା ଅକ୍ଷର ହିଁ ତାଙ୍କ ସ୍ଥାନ ନେଇପାରନ୍ତି। ଅଧିନାୟକ ବିରାଟ କୋହଲି ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ନଦୀମଙ୍କ ସହ ଅଲରାଉଣ୍ଡର ୱାସିଂଟନ୍ ସୁନ୍ଦରଙ୍କ ବୋଲିଂ ପ୍ରଦର୍ଶନ ନେଇ ନିରାଶା ଜାହିର କରିଥିଲେ। ଯଶପ୍ରୀତ ବୁମ୍‌ରା, ଈଶାନ୍ତ ଶର୍ମା ଓ ରବିଚନ୍ଦ୍ରନ୍ ଅଶ୍ବିନ ସୃଷ୍ଟି କରିଥିବା ଚାପକୁ କାଏମ ରଖିବାକୁ ନଦୀମ ଓ ସୁନ୍ଦର ସକ୍ଷମ ନହେବା ପରେ ଇଂଲଣ୍ଡ ତାର ପ୍ରଥମ ପାଳିରେ ୫୭୮ ରନ୍‌ର ବିଶାଳ ସ୍କୋର କରିନେଲା ବୋଲି କୋହଲି ସିଧାସିଧା କହିଥିଲେ। ନିଜ ବୋଲିଂରେ ତ୍ରୁଟି ଥିବା ନି‌ଜେ ନଦୀମ ବି ସ୍ବୀକାର କରିଥି‌ଲେ। ଏଭଳି ସ୍ଥିତିରେ ସେ ଆଉ ଦଳରେ ରହିବା ସମ୍ଭାବନା ବହୁତ କମ୍। ଅନ୍ୟପକ୍ଷରେ ଇଂଲଣ୍ଡ ପ୍ରଥମ ପାଳିରେ ସୁନ୍ଦର ୨୬ ଓଭର ବୋଲିଂ କରି ୯୮ ରନ୍ ବ୍ୟୟ କରିଥିଲେ। ଦ୍ବିତୀୟ ପାଳିରେ ମାତ୍ର ଗୋଟିଏ ଓଭର ବୋଲିଂ ପାଇଥି‌ଲେ। ହେଲେ ବୋଲିଂ ବିଫଳତାକୁ ବ୍ୟାଟିଂରେ ଭରଣା କରି ‌ନେଇଥିଲେ। ଦ୍ବିତୀୟ ପାଳିରେ ଖାତା ଖୋଲି ପାରିନଥିଲେ ବି ପ୍ରଥମରେ ୮୫ ରନ୍‌ର ମହତ୍ବପୂର୍ଣ୍ଣ ସ୍କୋର କରିଥିଲେ। ଏଣୁ ତାଙ୍କ ସ୍ଥାନ ଅପରିବର୍ତ୍ତିତ ରହିବ।


Share It

Comments are closed.