ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦


ଏସିଆ କପ୍ ପରେ ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି ଜାରି ରଖିଛି ଟିମ୍ ଇଣ୍ଡିଆ । ଏହି କ୍ରମରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍ । ଏହି ତିନି ଟିକିଆ ସିରିଜର ପ୍ରଥମ ମ୍ୟାଚ ଆଜି ପଞ୍ଜାବର ମୋହାଲିରେ ଖେଳାଯିବ । ବିଶ୍ୱକପ ପୂର୍ବରୁ ଉଭୟ ଦଳ ସେମାନଙ୍କ ତ୍ରୁଟି ଏହି ସିରିଜରେ ସଜାଡିବାକୁ ଚେଷ୍ଟା କରିବେ । ବିଶ୍ୱକପ ପୂର୍ବରୁ ଭାରତ ବୋଲିଂ ଲାଇନ ଅଫ ଓ ମଧ୍ୟକ୍ରମ ବ୍ୟାଟଇଂରେ ତ୍ରୁଟିକୁ ଏହି ସିରିଜରେ ସୁଧାରିବାକୁ ଚେଷ୍ଟା କରିବ । ଆଘାତ କାରଣରୁ ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିଥିବା ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଆଜିର ମ୍ୟାଚରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ । ବୁମ୍ରା ଦଳକୁ ଫେରିବା ପରେ ଦଳର ବୋଲିଂ ଲାଇନ ଅଫ ବେଶ୍ ସୁଦୃଢ଼ ହୋଇପାରିବ । ସେହିପରି ପ୍ରଥମ ମ୍ୟାଚରେ ଓ୍ୱିକେଟ କିପର ଭାବରେ ଦିନେଶ କାର୍ତ୍ତିକଙ୍କୁ ସ୍ଥାନ ମିଳିବ ନା ଋଷଭ ପନ୍ତଙ୍କୁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସେହିପରି ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆହତ କାରଣରୁ ଦଳରୁ ବାଦ ପଡ଼ିବା ପରେ ଆଜିର ମ୍ୟାଚରେ ତାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ସ୍ଥାନ ମିଳିପାରେ ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ କଥା ଯଦି କହିବା ତାହାଲେ ଆଘାତ କାରଣରୁ ଡେଭିଡ ଓ୍ୱାର୍ଣ୍ଣର, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ୍ ଓ ମିଚେଲ ମାର୍ସଙ୍କ ଭଳି ଖେଳାଳି ଦଳରେ ସାମିଲ ହୋଇନାହାନ୍ତି । ଅଷ୍ଟ୍ରେଲିଆ ମଧ୍ୟ ବିଶ୍ୱକପକୁ ଦୃଷ୍ଟିରେ ରଖି ଦଳରେ କିଛି ପରୀକ୍ଷା ନୀରକ୍ଷା କରିପାରେ ବୋଲି ଆକଳନ କରାଯାଉଛି ।


Share It

Comments are closed.