ଅଷ୍ଟ୍ରେଲିଆକୁ ଏକା ଧୋଇଲେ ରୋହିତ, ୬ ୱିକେଟରେ ଜିତିଲା ଭାରତ


ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇଛି ଭାରତ। ଏହି ମ୍ୟାଚ୍ ଟିମ୍ ଇଣ୍ଡିଆ ପାଇଁ କର ବା ମର ପରିସ୍ତିତି ସୃଷ୍ଟି କରିଥିଲା। କାହିଁକି ନା ଯଦି ଏହି ମ୍ୟାଚରେ ଭାରତୀୟ ଦଳ ହାରିଯାଏ ତେବେ ସିରିଜ୍ ହାରିଯାଇଥାନ୍ତା।। ପ୍ରଥମ ଟି -୨୦ରେ ଅଷ୍ଟ୍ରେଲିଆ ଚାରିଟି ୱିକେଟ୍ ନେଇ ଭାରତକୁ ପରାସ୍ତ କରିଥିଲା। ଚଳିତ ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପଡ଼ିଆ ଓଦା ଥିବା ହେତୁ ଏହି ମ୍ୟାଚ୍ ଆଠ ଓଭର ଖେଳାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଆଠ ଓଭରରେ ପାଞ୍ଚଟି ୱିକେଟ ହରାଇ ୯୦ ରନ୍‌ କରିଥିଲା। ଏହାର ଜବାବରେ ଭାରତ ୪ ୱିକେଟ୍ ହରାଇ ୭ ଓଭର ୨ଟି ବଲରେ ଟାର୍ଗେଟ ପୂରଣ କରିଥିଲା।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୯୦ ରନ୍‌ କରି ଭାରତକୁ ୯୧ରନ୍‌ର ଟାର୍ଗେଟ ଦେଇଥିଲା। ତେବେ ଲକ୍ଷପୂରଣ କରିବା ନେଇ ଭାରତୀୟ ଦଳ ମଧ୍ୟ ମଇଦାନକୁ ଓହ୍ଲାଇଥିଲେ। ପ୍ରଥମ ଓଭରରେ ରୋହିତ ଶର୍ମା ଓ କେ ଏଲ ରାହୁଲଙ୍କ ଓପନିଂ ୨୦ରନ୍‌ର ଖାତା ଖୋଲିଥିଲା। ଜୋଶ ହାଜଲେଉଡଙ୍କ ଏହି ଓଭରରେ ରୋହିତ ଦୁଇଟି ଛକା ମାରିଥିବା ବେଳେ ରାହୁଲ ଗୋଟିଏ ଛକା ମାରିଥିଲେ। ତୃତୀୟ ଓଭରରେ ୩୦ ରନରେ ଭାରତ ପ୍ରଥମ ୱିକେଟ ହରାଇଥିଲା। ୬ ଟି ବଲରେ ୧୦ ରନ୍ କରି କେ.ଏଲ୍ ରାହୁଲ ପାଭିଲିୟନ ଫେରିଥିଲେ। ଆଡାମ ଜାମ୍ପା ରାହୁଲଙ୍କ ବିପକ୍ଷରେ ବୋଲିଂ କରିଥିଲେ।

ତେବେ ପଞ୍ଚମ ଓଭରର ଦ୍ୱିତୀୟ ବଲରେ ଭାରତ ଦ୍ୱିତୀୟ ୱିକେଟ ହରାଇଥିଲା। ଲେଗ୍ ସ୍ପିନର ଆଡାମ ଜାମ୍ପା ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କୁ କ୍ଳିନ ବୋଲ୍ଡ କରିଥିଲେ। କୋହଲି ୬ ଟି ବଲରେ ୧୧ ରନ୍ କରିଥିଲେ। ସେ ଦୁଇଟି ୪ ମାରିଥିଲେ। ପରବର୍ତ୍ତି ବଲ୍‌ରେ ଜମ୍ପା ସୂର୍ଯ୍ୟକୁମାର ଯାଦବଙ୍କୁ ଆଉଟ୍ କରିଥିଲେ। ଖାତା ନ ଖୋଲି ସୁର୍ଯ୍ୟକୁମାର ପାଭିଲିୟନ ଫେରିଥିଲେ। ପାଞ୍ଚ ଓଭର ଶେଷ ସୁଦ୍ଧା ଭାରତ ତିନୋଟି ୱିକେଟ ହରାଇ ଭାରତ ୫୮ ରନ୍‌ କରି‌‌ଥିଲା।

୬ ଓଭର ପରେ ୩ଟି ୱିକେଟ୍ ହରାଇ ଭାରତ ୬୯ ରନ୍‌ କରିଥିଲା। ଦଳକୁ ଜିତିବା ପାଇଁ ୧୨ ଟି ବଲରେ ୨୨ରନର ଆବଶ୍ୟକ ରହିଥିଲା। ତେବେ ସପ୍ତମ ଓଭରରେ ୭୭ ରନ୍‌ କରି ଭାରତ ଚତୁର୍ଥ ୱିକେଟ ହରାଇଥିଲା। ନଅ ବଲରେ ନଅ ରନ୍ ସ୍କୋର କରିବା ପରେ ହାର୍ଦ୍ଦିକ ପାଭିଲିୟନ ଫେରିଥିଲେ। ସାତ ଓଭର ପରେ ଚାରିଟି ଓ୍ବିକେଟ ହରାଇ ଭାରତ ୮୨ ରନ୍‌ କରିଥିଲା। ଅନ୍ତିମ ଓଭରର ଦ୍ବିତୀୟ ବଲରେ ଭାରତ ତାର ଟାର୍ଗେଟ ହାସଲ କରିଥିଲା।


Share It

Comments are closed.