ସୋନୁ ସୁଦଙ୍କ ଘରେ ଓ ଅଫିସରେ ଦ୍ୱିତୀୟ ଦିନରେ ଆୟକର ବିଭାଗର ଚାଲିଛି ଯାଞ୍ଚ


ବଲିଉଡ ଅଭିନେତା ସୋନୁ ସୁଦଙ୍କ ଘର ଓ କାର୍ଯ୍ୟାଳୟରେ ଆଜି ପୁଣି ଦ୍ୱିତୀୟ ଦିନ ମଧ୍ୟ ଆୟକର ବିଭାଗ ସର୍ଭେ ଜାରି ରହିଛି। ବୁଧବାର ଦିନ ୨୦ ଘଣ୍ଟାରୁ ଅଧିକ ଚାଲିଥିବା ସର୍ଭେ ପରେ ଗୁରୁବାର ଦିନ ପୁଣି ସର୍ଭେ ଆରମ୍ଭ ହୋଇଛି। ବୁଧବାର ଦିନ ସୋନୁ ସୁଦଙ୍କ ୬ଟି ଠିକଣାରେ ସର୍ଭେ ଚାଲିଥିଲା। ତେବେ ସର୍ଭେ ଦ୍ୱାରା ଆୟକର ବିଭାଗ କଣ ହାସଲ କରିଛି ତାହା ବିଭାଗ ସ୍ପଷ୍ଟ କରିନାହିଁ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏକ ଡିଲକୁ ନେଇ ଆୟକର ବିଭାଗ ସର୍ଭେ କରୁଛି ଯାହା ସେ ଲକ୍ଷ୍ନୌର ଏକ ରିୟଲ ଇଷ୍ଟେଟ କମ୍ପାନୀ ସହ କରିଥିଲେ। ମାମଲାରେ କୌଣସି ଅଫିସିଆଲ ବୟାନ ଆସିନାହିଁ।

ଦିଲ୍ଲୀ ସରକାରଙ୍କ ତରଫରୁ ସୋନୁ ସୁଦଙ୍କୁ ସ୍କୁଲ ଛାତ୍ରଛାତ୍ରୀଙ୍କ ମେଣ୍ଟରସିପ କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସେଡର କରାଯିବାର କିଛି ଦିନ ପରେ ଏହି ସର୍ଭେ ହୋଇଛି। ଏହାକୁ ନେଇ କେଜ୍ରିୱାଲ ସରକାର ବିରକ୍ତ ପ୍ରକାଶ କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, ସତ୍ୟର ରାସ୍ତାରେ ଅନେକ କଣ୍ଟା ସାମ୍ନାକୁ ଆସିଥାଏ କିନ୍ତୁ ବିଜୟ ସବୁବେଳେ ସତ୍ୟର ହିଁ ହୋଇଥାଏ। ସୋନୁଙ୍କ ସହ ଭାରତର ଲକ୍ଷ ଲକ୍ଷ ପରିବାରର ଆଶୀର୍ବାଦ ଓ ଶୁଭକାମନା ଅଛି ଯେଉଁମାନଙ୍କୁ ସେ ଅସୁବିଧା ସମୟରେ ସାହାଯ୍ୟ କରିଥିଲେ।


Share It

Comments are closed.