ଡ୍ରଗ୍ସ ମାମଲା, ବଲିଉଡ ଅଭିନେତା ବିବେକ ଓବେରୟଙ୍କ ଘରେ ବେଙ୍ଗାଲୁରୁ ପୋଲିସର ଚଢ଼ାଉ


ବଲିଉଡ ଅଭିନେତା ବିବେକ ଓବେରୟଙ୍କ ଘରେ ବେଙ୍ଗାଲୁରୁ ପୋଲିସ୍ ଚଢ଼ାଉ କରିଛି। ବେଙ୍ଗାଲୁରୁ ପୋଲିସର ୨ଜଣ ପୋଲିସ୍ ଦ୍ୱିପହର ୧ଟାରେ ଚଢ଼ାଉ ଆରମ୍ଭ କରିଛନ୍ତି। ଏହି ଚଢ଼ାଉ ବିବେକ ଓବେରୟଙ୍କ ଶଳା ଆଦିତ୍ୟ ଅଲଭାଙ୍କ ମାମଲାରେ କରାଯାଉଛି। ବେଙ୍ଗାଲୁରୁ ପୋଲିସ୍ ସର୍ଚ୍ଚ ୱାରେଣ୍ଟ ନେଇ ବିବେକ ଓବେରୟଙ୍କ ଜୁହୁ ସ୍ଥିତ ଘରେ ପହଞ୍ଚିଛି। ଆଦିତ୍ୟ ଅଲଭା ଫେରାର ଅଛନ୍ତି। ବିବେକ ଓବେରୟ ତାଙ୍କ ସମ୍ପର୍କୀୟ ଏବଂ ସୂଚନା ମିଳିଛି ଯେ ଆଦିତ୍ୟ ତାଙ୍କ ଘରେ ଲୁଚିଛି। ତେଣୁ ସେମାନେ ଏଠାରେ ଚଢ଼ାଉ କରିଛନ୍ତି। ଏଥିପାଇଁ କୋର୍ଟରୁ ୱାରେଣ୍ଟ ନିଆଯାଇଥିଲା ଏବଂ କ୍ରାଇମ ବ୍ରାଞ୍ଚର ଟିମ୍ ବେଙ୍ଗାଲୁରୁରୁ ମୁମ୍ବାଇରେ ତାଙ୍କ ଘରେ ପହଞ୍ଚିଛି। ଆଦିତ୍ୟ ଅଲଭାଙ୍କ ବେଙ୍ଗାଲୁରୁ ଘରର ମଧ୍ୟ ପୋଲିସ୍ ତଲାଶୀ ନେଇଛି। ଆଦିତ୍ୟ ଅଲଭା କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଜୀବରାଜ ଅଲଭାଙ୍କ ପୁଅ। ତାଙ୍କ ବିରୋଧରେ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଗାୟକ ଏବଂ ଅଭିନେତାଙ୍କୁ କଥିତ ଭାବେ ଡ୍ରଗ୍ସ ସପ୍ଲାଇ କରିବାର ଅଭିଯୋଗ ରହିଛି। କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିକୁ ସ୍ୟାଣ୍ଡଲଉଡ ନାମରେ ମଧ୍ୟ ଜଣା ଯାଏ। ବଲିଉଡ ଭଳି ସାଉଥରେ ମଧ୍ୟ ଡ୍ରଗ୍ସକୁ ନେଇ ଖୁଲାସା ହୋଇଥିଲା। ଏହି ହାଇ ଫାଇ ଡ୍ରଗ୍ କେସରେ ଅନେକ ବଡ଼ ବଡ଼ ନାଁ ସାମନାକୁ ଆସିଥିଲା। କେତେକ ପେଡଲର ମଧ୍ୟ ଗିରଫ ହୋଇଥିଲେ। ଏହା ସହିତ ଏହି ମାମଲାରେ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀ ଏବଂ ସଞ୍ଜନା ଗଲରାନିଙ୍କୁ ଗିରଫ କରାଯାଇଥିଲା।


Share It

Comments are closed.