ଆଲୁମିନିୟମ୍ ଶିଳ୍ପରେ କୋଇଲା ସଙ୍କଟ ଯାଗୁଁ ଏସ୍‌ଏମ୍‌ଇଗୁଡ଼ିକର ବିପୁଳ କ୍ଷତି ବିପଦ


ଭୁବନେଶ୍ୱର: ସାରା ଭାରତରେ ଶିଳ୍ପ ଉତ୍ପାଦନ ଓ ଉପଯୋଗିତା ଯୋଗାଣ ଶୃଙ୍ଖଳ କାର୍ଯ୍ୟକଳାପ ସହ ଜଡ଼ିତ ଥିବା ସଂସ୍ଥାଗୁଡ଼ଇକର ସ୍ୱାର୍ଥକୁ ଉପସ୍ଥାପନ କରୁଥିବା ସଂସ୍ଥା, ଇଣ୍ଡିଆନ ଇଣ୍ଡଷ୍ଟ୍ର୍ରିଆଲ୍ ଭାଲ୍ୟୁ ଚେନ୍ କାଉନ୍‌ସିଲ୍ (ଆଇଆଇଭିସିସି) ପକ୍ଷରୁ ଆଜି ସୂଚିତ କରାଯାଇଛି ଯେ ଯଦି ପ୍ରାଥମିକ ଆଲୁମିନିୟମ୍ ଶିଳ୍ପ ବର୍ତମାନ ସାମ୍ନା କରୁଥିବା କୋଇଲା ସଙ୍କଟକୁ ଯଦି ଦୂର କରାନଯିବ ତେବେ ଆଲୁମିନିୟମ୍ ମୂଲ୍ୟ ଶୃଙ୍ଖଳାର ଅଂଶ ଥିବା ୫୦୦୦ରୁ ଅଧିକ ଏସ୍‌ଏମ୍‌ଇ ବିପୁଳ ପରିମାଣର କ୍ଷତି ସହିବାର ବିପଦ ରହିଛି । ଏଠାରେ ବୃହତ ଆଲୁମିନିୟମ୍ ଉତ୍ପାଦନକାରୀ ଏବଂ ତତ୍ ସମ୍ପର୍କିତ ମାନୁଫାକ୍‌ଚରିଂ ଶିଳ୍ପର ଯୋଗାଣ ଶୃଙ୍ଖଳରେ ୧୦୦୦ ଏସଏମଇ ଅଂଶ ହୋଇଥିବା ବେଳେ ପ୍ରାୟ ୪୦୦୦ ଏସଏମଇ ଆନୁଷଂଗିକ ଆଲୁମିନିୟମ୍ ଉତ୍ପାଦନ ଓ ବଂଟନ କାର୍ଯ୍ୟକଳାପ ସହିତ ଜଡ଼ିତ ରହିଛନ୍ତି । ଭାରତରେ ଆଲୁମିନିୟମ୍‌ରେ କୌଣସି ବଡ଼ ବଜାର ବିଭ୍ରାଟ ଘଟିଥିଲେ ତାହାର ଉତ୍କଟ ଆର୍ଥିକ ପ୍ରଭାବ ପ୍ରଭାବ ଏହି କ୍ଷୁଦ୍ର ସଂସ୍ଥାଗୁଡ଼ିକ ଉପରେ ପଡ଼ିଥାଏ ।
ଅର୍ଥନୀତିରେ ଦୃଢ଼ ସୁଧାର ହେଉଥିବା ବେଳେ ମହାମାରୀ ପରବର୍ତୀ ସମୟରେ ସମଗ୍ର ଶିଳ୍ପରେ ଚାହିଦାରେ ହଠାତ୍ ବୃଦ୍ଧି ହୋଇଛି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ କୋଇଲାର ଅଭାବ ସହିତ ଯୋଗାଣରେ ସମସ୍ୟା ଆଲୁମିନିୟମ୍ ନିର୍ମାଣକୁ ଗୁରୁତର ଭାବେ ପ୍ରଭାବିତ କରିଛି ଏବଂ ପ୍ରସ୍ତାବିତ ୧୫ ଦିନ ତୁଳନାରେ କୋଇଲା ଷ୍ଟକ୍ ମାତ୍ର ୧.୫-୩ ଦିନ ଭଳି ଚିନ୍ତାଜନକ ସ୍ତରକୁ ଖସିଯାଇଥିବାରୁ ଶିଳ୍ପ ସଂସ୍ଥାଗୁଡ଼ିକ ପରିଚାଳନା ବଜାୟ ରଖିବାକୁ ସଂଘର୍ଷ କରୁଛନ୍ତି । ନିଜର ବ୍ୟାପକ ବିଦ୍ୟୁତ ଆବଶ୍ୟକତା ପୂରଣ କରିବା ଏବଂ କାରଖାନାର କାର୍ଯ୍ୟକୁ ଚାଲୁ ରଖିବା ଲାଗି ଶିଳ୍ପ କୌଣସି ବିକଳ୍ପ ପନ୍ଥା ପାଉନାହିଁ । ଆଲୁମିନିୟମ୍ ନିର୍ମାଣ ହେଉଛି ଏକ ଅତ୍ୟଧିକ ବିଦ୍ୟୁତ ଶକ୍ତି ଦରକାର କରୁଥିବା କାର୍ଯ୍ୟ ଏବଂ ଏକ ନିରନ୍ତର ଭିତିକ ଶିଳ୍ପ ଯାହାକୁ ଆଡ୍ ହକ୍ ସଟ୍‌ଡାଉନ୍ ଲାଗି ପ୍ରସ୍ତୁତ କରାଯାଇନାହିଁ । ପରିଚାଳନାକୁ ଜାରି ରଖିବା ଲାଗି ବିପୁଳ ନିବେଶରେ କାରଖାନା ଭିତରେ ସ୍ଥାପନ କରାଯାଇଥିବା ନିଜସ୍ୱ ପାୱାର ପ୍ଲାଂଟ୍ ଉପରେ ଏହି ଶିଳ୍ପ ନିର୍ଭରଶୀଳ । ବିଦ୍ୟୁତ ଯୋଗାଣ ଓ ଆଲୁମିନିୟମ୍ ଉତ୍ପାଦନ ଜାରି ରଖିବା ଲାଗି ଏହି ପାୱାର ପ୍ଲାଂଟ୍‌ଗୁଡ଼ିକୁ ଦ୍ରୁତ ଗତିରେ କୋଇଲା ଯୋଗାଣ ଦରକାର ।


Share It

Comments are closed.