ଆଇଆଇଟି ମାଡ୍ରାସ ପକ୍ଷରୁ ବିଶ୍ୱର ପ୍ରଥମ ଅନ୍‌ଲାଇନ୍ ବି.ଏସ୍‌ସି ଡିଗ୍ରୀ ପାଠ୍ୟକ୍ରମର ଶୁଭାରମ୍ଭ


ଭୁବନେଶ୍ୱର: ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମାଡ୍ରାସ (ଆଇଆଇଟି ମାଡ୍ରାସ) ପକ୍ଷରୁ ପ୍ରୋଗ୍ରାମିଙ୍ଗ ଓ ଡାଟା ସାଇନ୍ସରେ ଭାରତର ପ୍ରଥମ ଅନ୍‌ଲାଇନ୍ ବି.ଏସ୍‌ସି ଡିଗ୍ରୀ ପାଠ୍ୟକ୍ରମର ଶୁଭାରମ୍ଭର ଘୋଷଣା କରାଯାଇଛି । ଦଶମ ଶ୍ରେଣୀରେ ଇଂରାଜୀ ଓ ଗଣିତ ସହିତ ଦ୍ୱାଦଶ ପାସ୍ କରିଥିବା ଯେକୌଣସି ଛାତ୍ରଛାତ୍ରୀ ଏବଂ କୌଣସି ଅନ୍‌-କ୍ୟାମ୍ପସ୍ ୟୁଜି କୋର୍ସରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଖୋଲା ରହିଛି । ଏଥିସହିତ ୨୦୨୦ରେ ଦ୍ୱାଦଶ ଶ୍ରେଣୀ ପାସ କରୁଥିବା ବର୍ତମାନ ବ୍ୟାଚ୍‌ର ଛାତ୍ରଛାତ୍ରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ନାମ ଲେଖାଇବାକୁ ଯୋଗ୍ୟ ଅଟନ୍ତି । ଏହି ସ୍ୱତନ୍ତ୍ର ଅଫରିଙ୍ଗ୍ ବୟସ, ବିଷୟ ଓ ଭୌଗୋଳିକ ସ୍ଥାନର ସମସ୍ତ ପ୍ରତିବନ୍ଧକକୁ ହଟାଇଛି ଏବଂ ଡାଟା ସାଇନ୍ସ କ୍ଷେତ୍ରରେ ବିଶ୍ୱସ୍ତରୀୟ ପାଠ୍ୟକ୍ରମର ପହଂଚ ପ୍ରଦାନ କରୁଛି, ଯାହାର କୁଶଳୀ ପ୍ରଫେସ୍‌ନାଲଙ୍କ ମଧ୍ୟରେ ବିପୁଳ ଚାହିଦା ରହିଛି । ଏହି କାର୍ଯ୍ୟକ୍ରମ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ, କେନ୍ଦ୍ର ମାନବ ସମ୍ବଳ ବିକାଶ, ଯୋଗାଯୋଗ ଓ ଇଲେକ୍‌ଟ୍ରୋନିକ୍ସ ଓ ଆଇଟି ରାଷ୍ଟ୍ର ମନ୍ତ୍ରୀ ସଞ୍ଜୟ ଧୋତ୍ରୋଙ୍କ ସହିତ ବୋର୍ଡ ଅଫ୍ ଗଭର୍ଣ୍ଣର୍ସ, ଅଧ୍ୟକ୍ଷ, ନିର୍ଦ୍ଦେଶକ ଡଃ ପୱନ କୁମାର ଗୋଏଙ୍କା, ଇନ୍‌ଷ୍ଟିଚ୍ୟୁଟ୍‌ର ଫ୍ୟାକଲ୍ଟିମାନଙ୍କ ଉପସ୍ଥିତିରେ ଶୁଭାରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଏଆଇସିଟିଇ ଅଧ୍ୟକ୍ଷ ପ୍ରଫେସର ଅନିଲ ସାହସ୍ରବୁଦ୍ଧେ ଉପସ୍ଥିତ ଥିଲେ ।
ବର୍ତମାନ ଡାଟା ସାଇନ୍ସ ହେଉଛି ସବୁଠାରୁ ଦ୍ରୁତ ବେଗରେ ବିକଶିତ ହେଉଥିବା କ୍ଷେତ୍ର ମଧ୍ୟରୁ ଗୋଟିଏ, ଯାହାକି ୨୦୨୬ ସୁଦ୍ଧା ୧୧.୫ ମିଲିୟନ ନିଯୁକ୍ତି ସୃଷ୍ଟି କରିବ ବୋଲି ଆକଳନ କରାଯାଉଛି । ଏହି ଶୁଭାରମ୍ଭ ଅବସରରେ ଆଇଆଇଟି ମାଡ୍ରାସକୁ ଶୁଭେଚ୍ଛା ଜଣାଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖ୍‌ରିଆଲ ‘ନିଶାଙ୍କ’ କହିଛନ୍ତି ଯେ, “ଆଇଆଇଟି ମାଡ୍ରାସ ଭଳି ସଂସ୍ଥା ନିକଟରେ ଭାରତରେ ଏଭଳି ଗୁଣାତ୍ମକ ଶିକ୍ଷା ଓ ସ୍ୱତନ୍ତ୍ର ପାଠ୍ୟକ୍ରମ ଆଣି ଦେଶକୁ ଆତ୍ମନିର୍ଭରଶୀଳ ହେବା ଦିଗରେ ଆଗକୁ ବଢିବା ପାଇଁ ସାହାଯ୍ୟ କରିବା ଲାଗି ଦୂରଦୃଷ୍ଟି ଓ ଲକ୍ଷ୍ୟ ରହିଛି ।” ସେହିଭଳି କେନ୍ଦ୍ର ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ ଏବଂ ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ, ପ୍ରଫେସର ଭାସ୍କର ରାମାମୂର୍ତି ମଧ୍ୟ ଏହି ଅବସରରରେ ଉପସ୍ଥିତ ରହି ନିଜର ଅଭିବାଦନ ବ୍ୟକ୍ତ କରିଛନ୍ତି ।
ଏହି ସ୍ୱତନ୍ତ୍ର ଅନ୍‌ଲାଇନ୍ ଅଫରିଙ୍ଗକୁ ୩ଟି ଭିନ୍ନ ଭିନ୍ନ ପର୍ଯ୍ୟାୟ- ଫାଉଣ୍ଡେସ୍‌ନାଲ ପ୍ରୋଗ୍ରାମ, ଡିପ୍ଲୋମା ପ୍ରୋଗ୍ରାମ ଓ ଡିଗ୍ରୀ ପ୍ରୋଗ୍ରାମରେ ଉପଲବ୍ଧ କରାଯିବ । ପ୍ରତ୍ୟେକ ପର୍ଯ୍ୟାୟରେ ଛାତ୍ରଛାତ୍ରୀମାନଙ୍କ ନିକଟରେ ଏହି ପାଠ୍ୟକ୍ରମକୁ ଛାଡିବା ଓ ଆଇଆଇଟି ମାଡ୍ରାସରୁ ଏକ ସାର୍ଟିଫିକେଟ୍‌, ଡିପ୍ଲୋମା କିମ୍ବା ଡିଗ୍ରୀ ହାସଲ କରିବାର ସ୍ୱାଧୀନତା ରହିବ । ଯୋଗ୍ୟତା ଆଧାରରେ, ଇଚ୍ଛୁକ ପ୍ରାର୍ଥୀମାନଙ୍କୁ ଏକ ଫର୍ମ ପୂରଣ କରିବାକୁ ପଡିବ ଏବଂ ଯୋଗ୍ୟତା ପରୀକ୍ଷା ପାଇଁ ୩୦୦୦ ଟଙ୍କାର ଏକ ନୋମିନାଲ ଫି’ ପଇଠ କରିବାକୁ ହେବ । ଶିକ୍ଷାର୍ଥୀମାନେ ୪ଟି ବିଷୟ (ମ୍ୟାଥମ୍ୟାଟିକ୍ସ, ଇଂଲିସ୍‌, ଷ୍ଟାଟିଷ୍ଟିକ୍ସ ଓ କମ୍ପ୍ୟୁଟେସ୍‌ନାଲ ଥିଙ୍କିଙ୍ଗ୍‌)ରେ ୪ ସପ୍ତାହର କୋର୍ସ କଂଟେଂଟ୍ ପାଇପାରିବେ । ଏହି ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ପାଠ୍ୟକ୍ରମର ଅଧ୍ୟୟନ କରିବେ, ଅନ୍‌ଲାଇନ୍ ଆସାଇନ୍‌ମେଂଟ୍ ସବ୍‌ମିଟ କରିବେ ଓ ୪ ସପ୍ତାହ ଶେଷରେ ଏକ ବ୍ୟକ୍ତିଗତ ଯୋଗ୍ୟତା ପରୀକ୍ଷା ଦେବେ । ସୀମିତ ସଂଖ୍ୟକ ଇନ୍‌-କ୍ୟାମ୍ପସ ସିଟ୍ ପାଇଁ ବାଧାପ୍ରାପ୍ତ ଥିବା ଆଇଆଇଟିର ସାଧାରଣ ଆଡ୍‌ମିଶନ ପ୍ରକ୍ରିୟା ବିପରୀତରେ, ଏହି ପାଠ୍ୟକ୍ରମ ଯୋଗ୍ୟତା ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା (ମୋଟ ୫୦% ମାର୍କ ସହିତ) ଛାତ୍ରଛାତ୍ରୀମାନେ ଫାଉଣ୍ଡେସ୍‌ନାଲ ପ୍ରୋଗ୍ରାମ ପାଇଁ ପଞ୍ଜୀକରଣ କରାଇବାକୁ ଯୋଗ୍ୟ ବିବେଚିତ ହେବେ । ଏହି ପାଠ୍ୟକ୍ରମ ସମ୍ପର୍କରେ ଅଧିକ ସୂଚନା ପାଇଁ ଦୟାକରି www.onlinedegree.iitm.ac.in ରେ ଲଗ୍ ଅନ୍ କରନ୍ତୁ ।


Share It

Comments are closed.