ଆଇସିସିର ବଜେଟ ପରବର୍ତି ଆଲୋଚନା ଅଧିବେଶନ


ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ୨୦୨୦-୨୧ର ବଜେଟରେ ଘୋଷଣା କରାଯାଇଥିବା ଅନେକ ପ୍ରସ୍ତାବ ଜନ କଲ୍ୟାଣକାରୀ ହେବ ଏବଂ ଏହା ବଜେଟକୁ ସୁହାଇବ ବୋଲି ବିଶେଷଜ୍ଞମାନେ କହିଛନ୍ତି । ସେମାନେ କହିଛନ୍ତି ଯେ ସାମାଜିକ କ୍ଷେତ୍ରର ବିକାଶ, ରପ୍ତାନି, ଭିତିଭୂମି, ଦକ୍ଷତା ବିକାଶ ଓ ଉତମ ପ୍ରଶାସନ ପାଇଁ ଯେଉଁ ସବୁ ଘୋଷଣା କରାଯାଇଛି ତାହା ବେଶ ସ୍ୱାଗତଯୋଗ୍ୟ ।
ଆଜି ହୋଟେଲ ନ୍ୟୁ ମାରିଅନଠାରେ ଇଣ୍ଡିଆନ ଚାମ୍ବର ଅଫ କମର୍ସ (ଆଇସିସି) ପକ୍ଷରୁ ଆୟୋଜନ କରାଯାଇଥିବା ବଜେଟ ପରବର୍ତି ଆଲୋଚନା ଅଧିବେଶନରେ ଯୋଗ ଦେଇ ଆଇସିସି ଓଡ଼ିଶା ରାଜ୍ୟ ପରିଷଦର ସହ-ଅଧ୍ୟକ୍ଷ, ଜେ ବି ପାଣି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ କହିଥିଲେ ଯେ, ବର୍ତମାନର ଜଟିଳ ଅର୍ଥନୈତିକ ସ୍ଥିତିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଇଁ ବିଶେଷ ସୁଯୋଗ ନଥିଲା । ତଥାପି ସେ ଅଭିବୃଦ୍ଧିକୁ ସୁହାଇବା ଭଳି ଏକ ବଜେଟ ଉପସ୍ଥାପନ କରିପାରିଛନ୍ତି ଯାହା ବେଶ ପ୍ରଶଂସାଯୋଗ୍ୟ । ମେଡିକାଲ ଉପକରଣ ଉପରେ ଘୋଷଣା କରାଯାଇଥିବା ଆଂଟି ଡମ୍ପିଂ ପଦକ୍ଷେପ ଦେଶ ପାଇଁ ଲାଭଦାୟକ ହେବ । ଲାଭାଂଶ ବଂଟନ ଟିକସ ଉଚ୍ଛେଦ କରାଯିବା ବିଷୟରେ ଘୋଷଣା କରାଯାଇଥିବାରୁ ଏହା ନିବେଶକମାନଙ୍କ ଦେଶରେ ଏକ ଉତମ ବାତାବରଣ ସୃଷ୍ଟି କରିବ ବୋଲି ସେ କହିଛନ୍ତି ।ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହର ଗୁଡ଼ିକରେ ଆୟୁଷ୍ମାନ ଭାରତ ଜରିଆରେ ନୂତନ ହସ୍ପିଟାଲ ସ୍ଥାପନ କରିବା ଲାଗି କରାଯାଇଥିବା ଘୋଷଣାକୁ ସେ ପ୍ରଶଂସା କରିଛନ୍ତି । ଏମଏମଏମଇଗୁଡ଼ିକ ପାଇଁ ଅଡିଟ ସୀମାକୁ ୧ କୋଟିରୁ ବଢ଼ାଇ ୫ କୋଟି ଟଙ୍କା କରିବା, ଜଳସେଚନ ଓ କୃଷି କ୍ଷେତ୍ର ଲାଗି କରାଯାଇଥିବା ଘୋଷଣାଗୁଡ଼ିକ ଦେଶକୁ ଦ୍ରୁତ ଅଭିବୃଦ୍ଧି ପଥରେ ଅପସ୍ଥାପିତ କରିବ ବୋଲି ସେ କହିଛନ୍ତି ।ବ୍ୟାଙ୍କ ଜମା ପାଇଁ ବୀମା ପରିମାଣକୁ ୧ ଲକ୍ଷ ଟଙ୍କାରୁ ବାଇ ୫ ଲକ୍ଷ ଟଙ୍କା କରାଯିବ ଓ କୃଷି କ୍ଷେତ୍ର ପାଇଁ ଜଳସେଚନ, ଗୋଦାମ, ଲଜିଷ୍ଟିକ୍ସ ଓ ବିତରଣ ଏବଂ ସୁଲଭ ବାସଗୃହ ପାଇଁ ଟିକସରେ ଦିଆଯାଇଥିବା ସୁବିଧାକୁ ଏହି ଅଧିବେଶନର ବିଶେଷଜ୍ଞମାନେ ସ୍ୱାଗତ କରିଛନ୍ତି ।
ଏହି ଅବସରରେ ଅତିଥି ଭାବେ ଯୋଗ ଦେଇ ଜିଏସଟି, କେନ୍ଦ୍ରୀୟ ଉତ୍ପାଦ ଓ ସୀମା ଶୁଳ୍କର ପ୍ରିନସିପାଲ କମିସନର, ବିଜୟ କୁମାର କର ଜିଏସଟି ସଂସ୍କାର ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସେହିପରି ଆଇସିସି ଓଡ଼ିଶା ରାଜ୍ୟ ପରିଷଦର କୋର ଆଣ୍ଡ ଆଡଭାଇଜରି ସଦସ୍ୟ ରାଜେନ ପାଢ଼ି ସଡ଼କ, ରେଳ ଓ ପରିବହନ କ୍ଷେତ୍ରର ବିକାଶ ପାଇଁ ଘୋଷଣା କରାଯାଇଥିବା ପ୍ରସ୍ତାବଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ । ମତ୍ସ୍ୟଚାଷ କ୍ଷେତ୍ର ଲାଗି କରାଯାଇଥିବା ଘୋଷଣା ଦେଶର ରପ୍ତାନି ବଢାଇବାରେ ସହାୟକ ହେବ ଏବଂ ଏହା ଏକ ମାଇଲଖୁଂଟ ବଜେଟ ବୋଲି ସେ କହିଛନ୍ତି । ସେହିପରି ଆଇସିସି ଓଡ଼ିଶା ରାଜ୍ୟ ପରିଷଦର ଫାଇନାନ୍ସ ଓ ଟିକସ କମିଟିର ସଂଯୋଜକ, ଏ କେ ସାବତ ଲାଭାଂଶ ବଂଟନ ଟିକସ ଉଚ୍ଛେଦ ଉପରେ ଆଲୋଚନା କରିଥିଲେ ।
ଏହି ଅବସରରେ ଇମ୍ଫାର ଉପ ସଭାପତି-କର୍ପୋରେଟ ବ୍ୟାପାର ଅଶୋକ କୁମାର ବେହେରା ଉପସ୍ଥିତ ଥିଲେ ।


Share It

Comments are closed.