ଆଇସିସି ଟେଷ୍ଟ ମାନ୍ୟତା ତାଲିକା, ପୁଣି ତଳକୁ ଖସିଲେ ବିରାଟ


ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଆଇସିସି ଟେଷ୍ଟ ଖେଳାଳି ମାନ୍ୟତା ତାଲିକା ଘୋଷଣା ହୋଇଛି । ଚେନ୍ନାଇ ଟେଷ୍ଟ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ବ୍ୟାଟିଂ ତାଲିକାରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ପଞ୍ଚମ ସ୍ଥାନକୁ ଖସିଯାଇଛନ୍ତି । ବୋଲିଂ ମାନ୍ୟତା ତାଲିକାରେ ଇଂଲଣ୍ଡର ଜେମ୍ସ ଆଣ୍ଡରସନ୍‌, ଭାରତର ଜଶପ୍ରୀତ୍‌ ବୁମ୍‌ରା ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ଉନ୍ନତି ଘଟିଛି ।

ବ୍ୟାଟିଂ ମାନ୍ୟତାରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲାମସନ୍‌ (୯୧୯) ଶୀର୍ଷ ଏବଂ ଅଷ୍ଟ୍ରେଲିଆର ଷ୍ଟିଭେନ୍‌ ସ୍ମିଥ୍‌ (୮୯୧) ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି । ଚେନ୍ନାଇ ଟେଷ୍ଟର ପ୍ରଥମ ଇନିଂସ୍‌ରେ ୨୧୮ରନ୍‌ର ମାରାଥନ ଇନିଂସ୍‌ ଖେଳିଥିବା ରୁଟ୍‌ ୨ଟି ସ୍ଥାନ ଉନ୍ନତି ଘଟାଇ ତୃତୀୟରେ ପହଞ୍ଚିଛନ୍ତି । ସେ ଦ୍ୱିତୀୟ ସ୍ଥାନରେ ଥିବା ସ୍ମିଥ୍‌ଙ୍କ (୯୯୧)ଠୁ ମାତ୍ର ୮ ରେଟିଂ ପଏଣ୍ଟ ପଛୁଆ ରହିଛନ୍ତି । ଭାରତ ବିପକ୍ଷରେ ଆଉ ୩ଟି ଟେଷ୍ଟ ରହିଛି । ତେଣୁ ସେ ସ୍ମିଥ୍‌ଙ୍କୁ ପଛରେ ପକାଇବା ସମ୍ଭାବନା ରହିଛି । ମାର୍ନସ ଲାବୁସାନ ଚତୁର୍ଥ ସ୍ଥାନ ବଜାୟ ରଖିଥିବାବେଳେ କୋହଲି ଗୋଟିଏ ସ୍ଥାନ ଖସି ପଞ୍ଚମରେ ରହିଛନ୍ତି ।

ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ପୂଜାରା ଗୋଟିଏ ସ୍ଥାନ ଖସି ସପ୍ତମରେ ଥିବାବେଳେ ରିଷଭ ପନ୍ତ (୭୦୦ପଏଣ୍ଟ) ୧୩ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ସେ ପ୍ରଥମ ଟେଷ୍ଟରେ ୯୧ରନ୍‌ର ଧୂଆଁଧାର ଇନିଂସ୍‌ ଖେଳିଥିଲେ । ୱେଷ୍ଟଇଣ୍ଡିଜ୍‌ର ଯୁବ ବ୍ୟାଟ୍ସମ୍ୟାନ୍‌ କେଲି ମେୟର୍ସ ୪୪୮ ରେଟିଂ ପଏଣ୍ଟ ସହ ୭୦ତମ ସ୍ଥାନ ଅଧିକାର କରିଛନ୍ତି । ସେ ବାଂଲାଦେଶ ବିପକ୍ଷ ଚଟ୍ଟୋଗ୍ରାମ ଟେଷ୍ଟରେ ପଦାର୍ପଣ କରି ଅପରାଜିତ ୨୧୦ରନ୍‌ର ଇନିଂସ୍‌ ଖେଳିଥିଲେ । ତାଙ୍କ ଇନିଂସ୍‌ ବଳରେ ଇଣ୍ଡିଜ୍‌ ୩୯୫ରନ୍‌ର ବିଶାଳ ଟାର୍ଗେଟର ପିଛା କରି ଅବିଶ୍ୱସନୀୟ ବିଜୟ ହାସଲ କରିଥିଲା ।

ବୋଲିଂ ମାନ୍ୟତା ତାଲିକାରେ ଅଷ୍ଟ୍ରେଲିଆର ପ୍ୟାଟ୍‌ କମିନ୍ସ (୯୦୮) ଓ ଷ୍ଟୁଆର୍ଟ ବ୍ରଡ (୮୩୦) ପ୍ରଥମ ଦୁଇଟି ସ୍ଥାନ ବଜାୟ ରଖିଥିବାବେଳେ ଆଣ୍ଡରସନ୍‌ ୩ଟି ସ୍ଥାନ ଉଠି ତୃତୀୟରେ ପହଞ୍ଚିଛନ୍ତି । ସେହିପରି ଭାରତୀୟ ବୋଲର ଅଶ୍ୱିନ ଓ ବୁମରା ଗୋଟିଏ ଲେଖାଏଁ ସ୍ଥାନ ଉଠି ଯଥାକ୍ରମେ ସପ୍ତମ ଓ ଅଷ୍ଟମ ସ୍ଥାନରେ ରହିଛନ୍ତି । ଇଂଲଣ୍ଡ ସ୍ପିନର ଜାକ୍‌ ଲିଚ୍‌ ୩୭ତମ ଓ ଡମ୍‌ ବେସ୍‌ ୪୧ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।


Share It

Comments are closed.