ଆଇସିସି ବଦଳାଇଲା ବିଶ୍ୱ ଟି-୨୦ ଚାମ୍ପିଆନସିପର ନାମ


ଆଇସିସି ପକ୍ଷରୁ ଶୁକ୍ରବାର ଦିନ ବିଶ୍ୱ ଟି-୨୦ ଚାମ୍ପିଆନସିପର ନାମକୁ ପରିବର୍ତ୍ତନ କରାଯାଇ ଟି-୨୦ ବିଶ୍ୱ କପ ନାମରେ ନାମିତ କରାଯାଇଛି । ପୂର୍ବରୁ ଆଇସିସି ପକ୍ଷରୁ ଦେଶ ଗୁଡିକ ମଧ୍ୟରେ ଖେଳାଯାଉଥିବା ଟି-୨୦ ମ୍ୟାଚ ଗୁଡିକୁ ଆନ୍ତର୍ଜାତିକ ମ୍ୟାଚ ରୂପେ ମାନ୍ୟତା ପ୍ରଦାନ କରାଯାଇଥିଲା । ଏହି ନିୟମ ଆଇସିସି କାଉନସିଲରେ ଥିବା ସମସ୍ତ ୧୦୪ଟି ଦେଶଙ୍କ ଉପରେ ଲାଗୁ କରାଯାଇଛି । ପୂର୍ବରୁ ଆଇସିସି କ୍ୟାଲେଣ୍ଡରରେ ଦିନିକିଆ ମ୍ୟାଚ ପାଇଁ ହେଉଥିବା ବଡ ଟୁର୍ଣ୍ଣାମେଣ୍ଟକୁ ବିଶ୍ୱ କପ ରୂପେ ମାନ୍ୟତା ଦିଆଯାଇ ଥିବାବେଳେ ଆଗାମୀ ବର୍ଷ ବିଶ୍ୱ ଟେଷ୍ଟ ଚାମ୍ପିଆନସିପର ଆରମ୍ଭ ହେବ ବୋଲି ସୂଚନା ମିଳିଛି ।
ଆଇସିସି ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, “ଅଷ୍ଟ୍ରେଲିଆରେ ଆଗାମୀ ୨୦୨୦ରେ ହେବାକୁ ଥିବା ଟି-୨୦ ଫର୍ମାଟର ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟକୁ ଟି-୨୦ ବିଶ୍ୱ କପ ନାମରେ ସମସ୍ତେ ଶୁଣିବାକୁ ପାଇବେ ।”
ଆଇସିସିର ଏହି ନିଷ୍ପତିକୁ କାଉନସିଲରେ ଥିବା ଅନେକ ଦେଶର ସଦସ୍ୟ ପ୍ରସଂଶା କରିଥିବାବେଳେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ, ‘ଟି-୨୦ ଫର୍ମାଟର ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟକୁ ବିଶ୍ୱ କପ ନାମରେ ଶୁଣିବାକୁ ମିଳିବ ଜାଣି ବହୁତ ଖୁସି ଲାଗୁଛି ଏବଂ ଏହା ଉପଯୁକ୍ତ ନାମ । ଭାରତ ୨୦୦୭ ରେ ଏହି ଟି-୨୦ ଚାମ୍ପିଆନସିପର ପ୍ରଥମ ଟାଇଟେଲ ହାସଲ କରିଥିବାବେଳେ ୨୦୨୦ରେ ହେବାକୁ ଥିବା ଏହି ବିଶ୍ୱ କପ ଭାରତ ହାସଲ କରିବ ବୋଲି ଆଶା କରୁଛି ।’


Share It

Comments are closed.