କୋହଲିଙ୍କୁ ପଛରେ ପକାଇ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ପାଲଟିଲେ ବାବର ଆଜମ


ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ପାକିସ୍ତାନୀ କ୍ରିକେଟ ଟିମ୍‌ର କ୍ୟାପଟେନ୍ ବାବର ଆଜମ୍। ୨୬ ବର୍ଷୀୟ ଏହି ଉଦୀୟମାନ କ୍ରିକେଟର କୋହଲିଙ୍କୁ ପଛରେ ପକାଇ ବିଶ୍ୱର ଏକ ନମ୍ବର ଦିନିକିଆ ବ୍ୟାଟସ୍‌ମ୍ୟାନ୍ ପାଲଟିଛନ୍ତି। ଦକ୍ଷିଣ ଆଫ୍ରିକା ବିରୋଧରେ ନିକଟରେ ଶେଷ ହୋଇଥିବା ସିରିଜରେ  ଦମଦାର ବ୍ୟାଟିଂ କରି ବାବର ଏହି ରେକର୍ଡ ନିଜ ନାଁରେ କରିଛନ୍ତି। ଆଇସିସି ଦ୍ୱାରା ବୁଧବାର ଜାରି କରାଯାଇଥିବା ତାଜା ରାଙ୍କିଙ୍ଗରେ ଅନୁସାରେ, ବାବରଙ୍କ ପାଖରେ ୮୬୫ ପଏଣ୍ଟ ରହିଛି, ଯାହାକି ଭାରତୀୟ କ୍ରିକେଟ କ୍ୟାପଟେନ୍ କୋହଲିଙ୍କଠାରୁ ୮ ପଏଣ୍ଟ ଅଧି। କୋହଲି ଏବେ ଦ୍ୱିତୀୟ ସ୍ଥାନକୁ ଖସି ଯାଇଛନ୍ତି। ସେଭଳି ଟିମ୍ ଇଣ୍ଡିଆର ଉପ-ଅଧିନାୟକ ରୋହିତ ଶର୍ମା ତୃତୀୟ ସ୍ଥାନରେ ରହିଛନ୍ତି।

ବାବର ଆଜମ୍ ବିଶ୍ୱର ଏକ ନମ୍ବର ବ୍ୟାଟସମ୍ୟାନ୍ ହୋଇଥିବା ଚତୁର୍ଥ ପାକିସ୍ତାନୀ। ତାଙ୍କ ପୂର୍ବରୁ ଜହିର ଆବାସ୍(୧୯୮୩-୮୪), ଜାଭେଦ ମିୟାଁଦାଦ୍(୧୯୮୮-୮୯) ଓ ମହମ୍ମଦ ୟୁସୁଫ୍ ଏହି ସ୍ଥାନରେ ପହଁଞ୍ଚି ସାରିଛନ୍ତି। ୨୦୧୦ ଓ ୨୦୧୨ ଅଣ୍ଡର-୧୯ ବିଶ୍ୱକପ୍‌ରେ ଧମାଲ କରିଥିବା ବାବର ୨୦୧୫ ରୁ ପାକିସ୍ତାନୀ ଦିନିକିଆ ଟିମ୍‌ରେ ସାମିଲ ହୋଇଥିଲେ।ଦକ୍ଷିଣ ଆଫ୍ରିକା ସିରିଜ୍ ପୂର୍ବରୁ ତାଙ୍କ ପାଖରେ ୮୩୭ ରେଟିଂ ପଏଣ୍ଟ ଥିଲା। ଏହି ମ୍ୟାଚ୍‌ରେ ଖୁବ୍ ସୁନ୍ଦର ଶତକ (୧୦୩ ରନ୍) ତାଙ୍କର ରେଟିଂ ପଏଣ୍ଟ ବଢାଇ ଦେଇଥିଲା। ଏହାପରେ ତୃତୀୟ ଓ ନିର୍ଣ୍ଣାୟକ ମ୍ୟାଚରେ ୯୪ ରନ୍‌ର ସୁନ୍ଦର ଇନିଂସ ଖେଳିଥିଲେ, ଯାହାଫଳରେ ପାକିସ୍ତାନ ତିନୋଟି ମ୍ୟାଚ୍‌ର ଦିନିକିଆ ସିରିଜ୍‌ ୨-୧ ରେ ଜିତିଥିଲା।


Share It

Comments are closed.