ଆଇସିସିର ଫିନୋପିଏସ୍-୨୦୧୯ ସମ୍ମିଳନୀ


ଦେଶର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥାଗୁଡ଼ିକୁ ଋଣ ତ ମିଳୁଛି । କିନ୍ତୁ ଯେଉଁ ସମୟରେ ଯେତିକି ପରିମାଣର ଋଣ ଦରକାର ତାହା ମିଳୁନାହିଁ । ଏହି ସମସ୍ୟାକୁ ଦୂର କରିବା ସହିତ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସୁଦୃଢ଼ କରିବାକୁ ହେଲେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକୁ ଏହି କ୍ଷେତ୍ରକୁ ଠିକ୍ ସମୟରେ ଏବଂ ଆବଶ୍ୟକ ପରିମାଣର ଋଣ ଯୋଗାଇବାକୁ ପଡ଼ିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ଶ୍ୟାମଳା ଗୋପୀନାଥ କହିଛନ୍ତି ।
ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ତରଫରୁ ଆଜି ହୋଟେଲ୍ ନ୍ୟୁ ମାରିଅନରେ “ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଉଦୀୟମାନ ଆହ୍ୱାନ-ଫୋକସରେ ଏମଏସଏମଇ ଶୀର୍ଷକ ସମ୍ମିଳନୀରେ ଅତିଥି ଭାବେ ଉଦବୋଧନ ଦେଇ ସେ କହିଛନ୍ତି ଯେ, ଦେଶର ଅର୍ଥନୀତି ଓ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଏମଏସଏମଇର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ସେମାନଙ୍କୁ ଠିକ୍ ସମୟରେ ଋଣ ଯୋଗାଇ ଦେବାକୁ ପଡ଼ିବ । ଏଥିପାଇଁ ବ୍ୟାଙ୍କଗୁଡ଼ିକ ପ୍ରଯୁକ୍ତିର ସହାୟତା ନେଇପାରିବେ । ଋଣ ପାଇଁ ଆବେଦନ କରୁଥିବା ସଂସ୍ଥାଗୁଡ଼ିକର ବିପଦ ଗ୍ରହଣ କରିବା କ୍ଷମତା ଆକଳନ କରିବା ପାଇଁ ବ୍ୟାଙ୍କଗୁଡ଼ିକ ପ୍ରଯୁକ୍ତି, ଫିଟଟେକମାନଙ୍କ ପାଖରେ ଥିବା ସୂଚନା ଏବଂ କ୍ରେଡିଟ୍ ବ୍ୟୁରୋର ସୂଚନାକୁ ବ୍ୟବହାର କରିପାରିବେ । ଏହା ହେଲେ ଏମଏସଏମଇ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକର ଏନ୍ପିଏ ସମସ୍ୟା ରହିବ ନାହିଁ ବୋଲି ସେ କହିଛନ୍ତି ।
ଭାରତୀୟ ବ୍ୟାଙ୍କ ଶିଳ୍ପ ସାମ୍ନା କରୁଥିବା ଅନେକ ଆହ୍ୱାନ ବିଷୟରେ ସେ ବିସ୍ତୃତ ଆଲୋଚନା କରିଛନ୍ତି । ଏନ୍ବିଏ ସମ୍ପର୍କରେ ସେ କହିଲେ, ଏନ୍ପିଏ ମାତ୍ରା ଅଧିକ ରହୁଥିବାରୁ ନିବେଶ ପରିମାଣ ବଢ଼ାଇବରେ ସମସ୍ୟା ହେଉଛି । ଅନାଦେୟ ଋଣ ସମସ୍ୟାକୁ ଆମକୁ ଆହୁରି ପ୍ରଭାବଶାଳୀ ଢ଼ଙ୍ଗରେ ପରିଚାଳନା କରିବାକୁ ହେବ । ସେହିପରି ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଆର୍ଥିକ ସାକ୍ଷରତା ବଢ଼ାଇବା ପାଇଁ ବ୍ୟାଙ୍କଗୁଡ଼ିକୁ ସେ ଗାଁକୁ ଯିବାକୁ ଆହ୍ୱାନ ଦେଇଛନ୍ତି । ବିଦ୍ୟୁତ ସଂଯୋଗ ଓ ଇଟଂରନେଟ୍ ସଂଯୋଗ ଏକ ସମସ୍ୟା ହୋଇ ରହିଥିବାରୁ ଏହାର ଅଭିନବ ସମାଧାନ ବାହାର କରିବାକୁ ସେ ବ୍ୟାଙ୍କଗୁଡ଼ିକୁ କହିଛନ୍ତି । ଗାଁରେ ଋଣ ପାଇଁ ଚାହିଦା ବଢ଼ାଇବା ଉପରେ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଋଣ ଚାହିଦା ବଢ଼ିଲେ ଆର୍ଥିକ ସାକ୍ଷରତା ଆପେ ବଢ଼ିଯିବ ବୋଲି ସେ କହିଛନ୍ତି ।
ରିଜର୍ଭ ବ୍ୟାଙ୍କର ପୂର୍ବତନ ମୁଖ୍ୟ ମହାପ୍ରବନ୍ଧକ, ପି କ୍ରିଷ୍ଣମୂର୍ତି କହିଛନ୍ତି ଯେ, ଏବେ ଦେଶରେ କାମ କରୁଥିବା ଏନବିଏଫସିଗୁଡ଼ିକ ବହୁତ ଭଲ କାମ କରୁଛନ୍ତି । ଋଣ ଦେବାରେ ସେମାନେ ବ୍ୟାଙ୍କଗୁଡ଼ିକ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେଥିପାଇଁ ଅନେକ ବିଦେଶୀ ସଂସ୍ଥା ଭାରତର ଏନ୍ବିଏଫ୍ସିଗୁଡ଼ିକ ସହିତ ସହଯୋଗିତା ସ୍ଥାପନ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ସରକାର ମଧ୍ୟ ଏନବିଏଫସି କ୍ଷେତ୍ରକୁ ଆବଶ୍ୟକ ସହାୟତା ଯୋଗାଇ ଦେଉଛନ୍ତି ବୋଲି ସେ କହିଛନ୍ତି ।
ସାଉଥ ଇଣ୍ଡିଆନ୍ ବ୍ୟାଙ୍କର ଅଧ୍ୟକ୍ଷ ସଲିମ୍ ଗଙ୍ଗାଧରନ୍ କହିଛନ୍ତି ଯେ, “ବ୍ୟାଙ୍କ ଶିଳ୍ପରେ ବାଲାନ୍ସ ସିଟ୍ ଉପରେ ଚାପ ଏକ ସମସ୍ୟା ହୋଇ ରହିଛି । ତଥାପି ଏସଏମଇ ଓ କୃଷି ଋଣ ବର୍ଗ ବହୁତ ଭଲ ପ୍ରଦର୍ଶନ କରୁଛି । କର୍ପୋରେଟ୍ ଋଣ ତୁଳନାରେ ଏହି ଦୁଇ କ୍ଷେତ୍ରରେ ଏନପିଏ ପରିମାଣ ତୁଳନାତ୍ମକ ଭାବେ ବହୁତ କମ୍ ରହିଛି ବୋଲି ସେ କହିଛନ୍ତି ।
ଆଇସିସି ଓଡ଼ିଶା ରାଜ୍ୟ ପରିଷଦର ସହ-ଅଧ୍ୟକ୍ଷ ଜେ ବି ପାଣି ସ୍ୱାଗତ ଭାଷଣ ପ୍ରଦାନ କରିଛନ୍ତି । ସେ ୟୁପିଆଇ, ମୋବାଇଲ ବ୍ୟାଙ୍କିଙ୍ଗ, ଜିଇଏମ୍ ଓ ଜିଏସ୍ଟି ଉପରେ ବିସ୍ତୃତ ଆଲୋଚନା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଆରବିଆଇ ଭୁବନେଶ୍ୱରର ଆଂଚଳିକ ନିର୍ଦେଶକ ଏମ୍ କେ ମଲ୍ଲ ଓ ଏଏଫ୍ଏଲ୍ସିର ପ୍ରତିଷ୍ଠାତା ତଥା ମ୍ୟାନେଜିଂ ପାର୍ଟନର୍ ଡି ମିଶ୍ର ଉପସ୍ଥିତ ଥିଲେ । ଏ କେ ସାବତ ଆଣ୍ଡ୍ କୋର ପାର୍ଟନର୍ ଏ କେ ସାବତ ଧନ୍ୟବାଦ ପ୍ରଦାନ କରିଛନ୍ତି ।


Share It

Comments are closed.