ଖରାଦିନେ ଆପଣ ଫିଟ୍ ରହିବାକୁ ଚାହୁଁଛନ୍ତି କି ?


ଗ୍ରୀଷ୍ମ ଋତୁରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ହୋବାକୁ ଲାଗିଛି । ଏହି ଅସମ୍ଭାଳ ତାପମାତ୍ରାକୁ ନିୟନ୍ତ୍ରଣ କରିବା କଷ୍ଟକର କିନ୍ତୁ ଏହି ସମୟରେ ସ୍ୱାସ୍ଥ୍ୟର ସ୍ୱତନ୍ତ୍ର ଧ୍ୟାନ ନେବା ଆବଶ୍ୟକ । ଆସନ୍ତୁ ଜାଣିବା ଏହି ସମ୍ବନ୍ଧୀୟ କିଛି ଟିପ୍ସ ।
୧. ହାଇଡ୍ରେଟେଟ ରୁହନ୍ତୁ –

ଖରାଦିନେ ନିଜକୁ ହାଇଡ୍ରେଟେଟ ରଖିବା ଖୁବ ଆବଶ୍ୟକ । ଖରାଦିନେ ଶରୀରରୁ ଝାଳ ବାହାରୁଥିବାରୁ ଶରୀର ଅଧିକ ପରିମାଣର ଜଳ ଆବଶ୍ୟକ କରିଥାଏ । ଶରୀରରେ ଜଳଭାବ ହେଲେ ଅଂଶୁଘାତ ଏବଂ ଶକ୍ତିହିନତା ପରି ସମସ୍ୟା ଦେଖାଯାଇଥାଏ । ତେଣୁ ଦିନକୁ ୭ରୁ ୮ ଗ୍ଲାସ ପାଣି ପିଇବା ସହିତ ଲେମ୍ବୁ ପାଣି, ତରଭୁଜ, କିୱି ପରି ଫଳ ଖାଆନ୍ତୁ ଏବଂ ବାହାରକୁ ଯିବା ସମୟରେ ନିଜ ସହିତ ପାଣି ବୋଟଲ ନେବାକୁ ଭୁଲନ୍ତୁ ନାହିଁ ।

୨. ନିୟମିତ ଲାଇଟ ଖାଦ୍ୟ ଖାଆନ୍ତୁ –

ଅତ୍ୟଧିକ ତାପମାତ୍ରା ହେତୁ ଖାଦ୍ୟ ଖାଇବାର ଇଚ୍ଛା କମ ହୋଇଥାଏ । କିନ୍ତୁ ଜଳ ପାନ ସହିତ ନିୟମିତ ଭାବେ ଠିକ ସମୟରେ ଖାଇବା ମଧ୍ୟ ଆବଶ୍ୟକ । ଖରାଦିନେ ଆପଣ ମସଲାଯୁକ୍ତ ଖାଦ୍ୟ, ଜଙ୍କ ଫୁଡ, ମାଂସ, ଅଣ୍ଡା, ଅନ୍ୟାନ୍ୟ ପ୍ରୋଟିନ ଏବଂ ଲୁଣ ଇତ୍ୟାଦି ବାରଣ କରିବା ଉଚିତ । ପ୍ରତିଦିନ ଖାଦ୍ୟରେ କାକୁଡି, ପିଆଜ ଖାଆନ୍ତୁ ଏବଂ ଲାଉ, କ୍ୱାସ, ଅମୃତଭଣ୍ଡା ପରି ଖାଦ୍ୟ ଖାଆନ୍ତୁ ଯାହା ଶରୀରରେ ଜଳର ଅଂଶ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ ।

୩. ଥଣ୍ଡା ପାଣିରେ ଗାଧାନ୍ତୁ –

ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବାର ସହଜ ଉପାୟ ହେଉଛି ଥଣ୍ଡା ପାଣିରେ ଗାଧୋଇବା । ଖରାଦିନେ ଥଣ୍ଡା ପାଣିରେ ଗାଧୋଇବା ପରେ ହିଁ ଶାନ୍ତି ମିଳିଥାଏ । ଯଦି ଆପଣ କେବେ ଖରାରେ ବାହରୁ ଆସିବା ପରେ ଖରାପ ଅନୁଭବ କରୁଛନ୍ତି ତେବେ ବେକରେ କିଛି ବରଫ ଘସନ୍ତୁ ଯାହାକି ତତକ୍ଷଣାତ୍ ଶରୀରର ତାପମାତ୍ରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ ।

୪. ଅନାବଶ୍ୟକ ଲାଇଟର ସ୍ୱିଚ ଅଫ କରନ୍ତୁ –

ଗୋଟିଏ ରୁମରେ ଆବଶ୍ୟକତାରୁ ଅଧିକ ଲାଇଟ ଜଳୁଥିଲେ ମଧ୍ୟ ସେହି ରୁମର ତାପମାତ୍ରା ବୃଦ୍ଧି କରିଥାଏ । ତେଣୁ ଖରାଦିନେ କମରୁ କମ ଇଲେକଟ୍ରିକ ବଲବର ବ୍ୟବହାର କରନ୍ତୁ ।

୫. ଘରେ ରହିବା ପାଇଁ ଚେଷ୍ଟା କରନ୍ତୁ –

ଖରାଦିନେ ଦିନରେ ବାହାରକୁ ଯିବା ଖୁବ କଷ୍ଟକର । ଆପଣ ଅନାବଶ୍ୟକ ସ୍ଥଳେ ବାହାରକୁ ନ ଯିବା ପାଇଁ ଚେଷ୍ଟା କରନ୍ତୁ । ଘରୁ ବାହାରକୁ ଯିବା ସମୟରେ ଚଷମା ଏବଂ ଛତା ନେବାକୁ ଭୁଲନ୍ତୁ ନାହିଁ ।

୬. ଢିଲା ହାଲକା ବସ୍ତ୍ର ପିନ୍ଧନ୍ତୁ –

ଖରାଦିନେ ତାପମାତ୍ରାକୁ ନଜରରେ ରଖି ହାଲକା ବସ୍ତ୍ର ତଥା କଟନ, ରେୟନ, ଖଦି, ସିଲ୍କ କପଡା ପିନ୍ଧନ୍ତୁ । ଏହା ଶରୀରକୁ ବାହାର ତାପମାତ୍ରା ଠାରୁ ରକ୍ଷା କରିବା ସହିତ ଖରାଦିନିଆ ଘିମିରି ଏବଂ କୁଣ୍ଡିଆ ଠାରୁ ସୁରକ୍ଷା ପ୍ରଦାନ କରିଥାଏ ।

୭. ବ୍ୟାୟାମ କରନ୍ତୁ –

ଖରାଦିନ ହେଉ କିମ୍ବା ଶୀତ ସର୍ବଦା ବ୍ୟାୟାମ କରିବା ଦ୍ୱାରା ଶରୀରକୁ ଫୁର୍ତ୍ତି ମିଳିଥାଏ । ଖରାଦିନେ ପ୍ରତ୍ୟହ ସକାଳେ ୧ ଘଣ୍ଟା ଏବଂ ସନ୍ଧ୍ୟାରେ ୧ ଘଣ୍ଟା ବ୍ୟାୟାମ କରନ୍ତୁ ଯାହା ଶରୀରର ଶକ୍ତିର ସ୍ତରକୁ ନିୟନ୍ତ୍ରଣ କରିଥାଏ ଏବଂ ଦିନ ଭରି କାମ କରିବା ପାଇଁ ଶକ୍ତି ପ୍ରଦାନ କରିବ ।


Share It

Comments are closed.