କିପରି କରିବେ ପିଲାଙ୍କ ଲାଳନପାଳନ


ପିଲାମାନେ ଅତି କୋମଳ ସ୍ୱଭାବର ହୋଇଥାଆନ୍ତି । କେହି ସେମାନଙ୍କୁ ଭଲ କହିଲେ ବା ପ୍ରଶଂସା କଲେ ସେମାନେ ଖୁସି ହୋଇଯାଆନ୍ତି । ସେହିପରି ଗାଳିଦେଲେ ସେମାନଙ୍କ ଉପରେ କୁପ୍ରଭାବ ପଡ଼ିଥାଏ । ଏଥିପ୍ରତି ଅଭିଭାବକମାନଙ୍କ ଦୃଷ୍ଟି ଦେବା ଉଚିତ । ପିଲା ଜନ୍ମ କରିବା ସହିତ ସେମାନଙ୍କ ସଠିକ୍ ଲାଳନପାଳନ ନିହାତି ଜରୁରୀ । ଏଥିପାଇଁ କେତୋଟି ଛୋଟ ଛୋଟ କଥା ପ୍ରତି ଆପଣ ଧ୍ୟାନ ଦେବା ଆବଶ୍ୟକ ।

• ପ୍ରଥମେ ପିଲାଙ୍କ ସହ ଭଲଭାବରେ ମିଶନ୍ତୁ ଓ ସେମାନଙ୍କ ଭଲମନ୍ଦ ବିଷୟରେ ପଚାରି ବୁଝନ୍ତୁ ।
• ପିଲାଙ୍କ ଉପରେ ବିରକ୍ତି ହୁଅନ୍ତୁ ନାହିଁ ଓ ସେମାନଙ୍କ ଅସୁବିଧାକୁ ସେମାନଙ୍କ ସହ ମିଶି ସମାଧାନ କରିବାକୁ ଚେଷ୍ଟା କରନ୍ତୁ ।
• କୌଣସି କାର୍ଯ୍ୟ ପାଇଁ ସେମାନଙ୍କ ଉପରେ ଅଧିକ ଚାପ ପ୍ରୟୋଗ କରନ୍ତୁ ନାହିଁ । ସେମାନଙ୍କୁ ନିଜ ସ୍ୱାଧୀନରେ କାର୍ଯ୍ୟ କରିବାକୁ ଦିଅନ୍ତୁ ।
• କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଥାଇ ମଧ୍ୟ ପିଲାମାନଙ୍କ ନିକଟରେ କିଛି ସମୟ ଦିଅନ୍ତୁ । ସମୟେ ସମୟେ ପରିମାର ସହିତ କୌଣସି ଏକ ପର୍ଯ୍ୟଟନ କିମ୍ବା ଐତିହାସିକ ସ୍ଥାନକୁ ପରିଦର୍ଶନ କରିବାକୁ ନିଅନ୍ତୁ । ଏହା ପିଲାମାନଙ୍କୁ ଉତ୍ସାହ ପ୍ରଦାନ କରିବା ସହ ସେମାନେ ଏହି ସ୍ଥାନ ବିଷୟରେ ଅନେକ କଥା ଜାଣିବାକୁ ପାଇଥାଆନ୍ତି ।
• ପିଲାମାନଙ୍କୁ ଖେଳ, କସରତ ଆଦି ପ୍ରତି ଆଗ୍ରହ ସୃଷ୍ଟି କରାନ୍ତୁ ।
• ପାଠ ପଢ଼ା ସହିତ ପିଲାଙ୍କୁ ଉତ୍ତମ ସଂସ୍କାର ଦେବା ପାଇଁ ଭୁଲନ୍ତୁ ନାହିଁ ।
• ପିଲାଙ୍କ ସାମନାରେ କଳି ଝଗଡ଼ା କରନ୍ତୁ ନାହିଁ ତଥା ଖରାପ ଭାଷାରେ କଥା ହୁଅନ୍ତୁ ନାହିଁ । କାରଣ ପିଲାମାନେ ପ୍ରଥମେ ସେମାନଙ୍କ ଭିଭାବକମାନଙ୍କୁ ହିଁ ପ୍ରଥମେ ଅନୁସରଣ କରିଥାଆନ୍ତି ।
• ଭୁଲ କଲେ ସେମାନଙ୍କୁ ସେମାନଙ୍କ ଭୁଲ୍ ଦର୍ଶାଇ ଉତ୍ତମ ପରାମର୍ଶ ଦିଅନ୍ତୁ । ପିଲା କୌଣସି ଭଲ କାମ କଲେ ସେମାନଙ୍କୁ ପ୍ରଶଂସା କରିବାକୁ ଭୁଲନ୍ତୁ ନାହିଁ । ଫଳରେ ପିଲା ଉତ୍ସାହିତ ହୋଇ ସବୁବେଳେ ଭଲ କାମ କରିବାକୁ ଚେଷ୍ଟା କରିଥାଏ ।
• ଅନେକ ଅଭିଭାବକ ନିଜର କାର୍ଯ୍ୟକ୍ଷେତ୍ରରେ ଚାପରେ ରହି ସେମାନଙ୍କ ସମସ୍ତ କ୍ରୋଧ ନିଜ ପିଲାଙ୍କ ଉପରେ ସାରିଥାଆନ୍ତି । ତେବେ ଅଭିଭାବକମାନଙ୍କ ଏପରି କାର୍ଯ୍ୟକଳାପ ପିଲାଙ୍କ ମାନସିକତା ଉପରେ ଖରାପ ପ୍ରଭାବ ପକାଇଥାଏ ଓ ପିତାମାତାଙ୍କ ପ୍ରତି ଖରାପ ଭାବନା ସୃଷ୍ଟି କରିଥାଏ ।
• ପିଲାଙ୍କୁ ମାଡ଼ ଦିଅନ୍ତୁ ନାହିଁ କିମ୍ବା ସେମାନଙ୍କୁ ପ୍ରତି କଥାରେ ଗାଳି କରନ୍ତୁ ନାହିଁ । ଏହାଦ୍ୱାରା ପିଲାମାନେ ଚିଡ଼ିଚିଡ଼ା ସ୍ୱଭାବର ହୋଇଯାଆନ୍ତି ।


Share It

Comments are closed.