କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତି ବିଶେଷ କରି ସତର୍କ ରୁହନ୍ତୁ, କାରଣ ଶରୀରରେ ୯୦ ଦିନ ଯାଏଁ ରହିଥାଏ ଭାଇରସ


କରୋନା ମହାମାରୀକୁ ନେଇ ଭୟ ସୃଷ୍ଟି କଲା ଭଳି ଏକ ରିପୋର୍ଟ ସାମ୍ନାକୁ ଆସିଛି । ସଂକ୍ରମିତଙ୍କ ଶରୀରରେ ଏହି ପ୍ରାଣଘାତୀ ଭୂତାଣୁ ପ୍ରକୃତରେ ୯୦ ଦିନ ତିଷ୍ଠି ରହୁଥିବା ଏହି ରିପୋର୍ଟରେ କୁହାଯାଇଛି । ବିଭିନ୍ନ ହସ୍ପିଟାଲରୁ ହାସଲ କରାଯାଇଥିବା କ୍ଲିନିକାଲ୍‌ ତଥ୍ୟରୁ ବିଶ୍ଳେଷକମାନେ ଏଭଳି ଭୟାନକ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । ବିଶ୍ଳେଷଣରୁ ଜଣାପଡ଼ିଛି ଯେ କରୋନା ଆକ୍ରାନ୍ତ ପରେ ଅଧିକ ସଂକଟାପନ୍ନ ହେଉଥିବା ରୋଗୀଙ୍କ କ୍ଷେତ୍ରରେ ଏଭଳି ଘଟୁଛି । ଏହି ରୋଗୀମାନେ ଆରୋଗ୍ୟ ହୋଇ ଘରକୁ ଫେରିବା ପରେ ମଧ୍ୟ ଭୂତାଣୁ ଏମାନଙ୍କ ସାଙ୍ଗରେ ଯାଉଛି । ଶରୀରକୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ଦେଉନାହିଁ ।

ଏଭଳି କ୍ଷେତ୍ରରେ ଆରୋଗ୍ୟ ବ୍ୟକ୍ତି ଅନ୍ୟମାନଙ୍କୁ କରୋନା ଭୂତାଣୁ ବାଣ୍ଟିବା ଢେର ଆଶଙ୍କା ରହିଛି । ଏମାନେ ସୁପରସ୍ପ୍ରେଡର ହେବା କିଛି ଅସମ୍ଭବ ବି ନୁହେଁ । ରିପୋର୍ଟକୁ ଆଧାର କରି କୋଭିଡ-୧୯ରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ପାଇଁ ସଙ୍ଗରୋଧ ଅବଧିକୁ ଆଉଥରେ ମୂଲ୍ୟାୟନ କରାଯାଉଛି । ସମ୍ଭବତଃ ଏହି ଅବଧି ବୃଦ୍ଧି କରାଯାଇପାରେ ବୋଲି କୁହାଯାଉଛି । ଆମେରିକାର ସେଣ୍ଟର୍ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍‌ସନ୍‌ (ସିଡିସି) ଏହାର ଏକ ମୂଲ୍ୟାୟନ ଭିତ୍ତିକ ରିପୋର୍ଟରେ ଦର୍ଶାଇଥିଲା ଯେ କମ୍‌ ସଂକ୍ରମିତ ହେଉଥିବା ଲୋକମାନେ ମାତ୍ର ୧୦ ଦିନ ମଧ୍ୟରେ ଅନ୍ୟଙ୍କୁ ଆକ୍ରାନ୍ତ କରାଇ ପାରନ୍ତି । ପ୍ରତିରୋଧକ କ୍ଷମତା କମ୍‌ ଥାଇ ସ୍ୱଳ୍ପ ମାତ୍ରାରେ ସଂକ୍ରମିତ ହେଉଥିବା ଲୋକ ୨୦ ଦିନ ପର୍ଯ୍ୟନ୍ତ ଅନ୍ୟଙ୍କୁ କରୋନା ବାଣ୍ଟିପାରିବେ ।

ଯେଉଁମାନଙ୍କୁ କରୋନା ଅତିମାତ୍ରାରେ ଗ୍ରାସ କରିଥିବ ଏବଂ ସେମାନେ ଆରୋଗ୍ୟ ହୋଇଥିବେ, ସେମାନେ ୯୦ ଦିନ ଯାଏଁ ସଂକ୍ରାମକ ହୋଇ ରହିବେ । କିନ୍ତୁ ୯୦ ଦିନ ପରେ ସେମାନଙ୍କଠାରେ ଯେଉଁ ଅନ୍ୟ ରୋଗ ଅଥବା ସଂକ୍ରମଣ ଦେଖାଦେବ, ତାହା କୋଭିଡ-୧୯ ନୁହେଁ ବୋଲି ସ୍ପଷ୍ଟ କରାଯାଇଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ସଦ୍ୟ ମୂଲ୍ୟାୟନ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ବିଶେଷକରି ସଙ୍ଗରୋଧ ଅବଧି ଧାର୍ଯ୍ୟ କରିବା କ୍ଷେତ୍ରରେ ଏହା ବିଶେଷ ସହାୟକ ହେବ । ବର୍ତ୍ତମାନ ପରିପ୍ରେକ୍ଷୀରେ ସବୁ କ୍ଷେତ୍ର ନିମନ୍ତେ ସଂକ୍ରମଣ ସ୍ଥିତି ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ସେମାନେ ଏହାକୁ ଦୃଷ୍ଟିରେ ରଖି ନିଜର ବ୍ୟବସାୟିକ ରଣନୀତି ନିର୍ଦ୍ଧାରଣ କରିବେ ।

ରୋଗ୍ୟ ଲାଭ କରୁଥିବା ସଂକ୍ରମିତ କର୍ମଚାରୀ କିଭଳି ବିନା ଭୟରେ ପୁଣି କାର୍ଯ୍ୟରେ ଯୋଗଦେବେ, ତାହା ମଧ୍ୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଏହା ସବୁଠୁ ବେଶି ମହତ୍ତ୍ୱପୂର୍ଣ୍ଣ ହୋଇଥିବାରୁ ଏସିଆ ଓ ଓସନିଆର ମେଡିକାଲ ସଂଘ (ସିଏମ୍‌ଏଏଓ) ବିଭିନ୍ନ ଅଞ୍ଚଳର ଡାକ୍ତରଙ୍କ ମତାମତ ନେଇ କୋଭିଡ-୧୯ ପ୍ରୋଟୋକଲ୍‌ ନିର୍ଦ୍ଧାରଣ କରିଛି । କୋଭିଡ-୧୯ ଟେଷ୍ଟିଙ୍ଗ ପାଇଁ ଆର୍‌ଟି-ପିସିଆର୍‌କୁ ‘ଗୋଲ୍‌ଡ ଷ୍ଟାଣ୍ଡାର୍ଡ’ ବୋଲି ସେମାନେ ବିବେଚନା କରିଛନ୍ତି । ଟେଷ୍ଟ ଭୁଲ କି ପଜିଟିଭ୍‌, ତାହା ସିଟି ଜଣାଇଥାଏ ।

ସିଏମ୍‌ଏଏଓର ସଭାପତି ଡା. କେ କେ ଅଗ୍ରୱାଲଙ୍କ ମୁତାବକ ସଂକ୍ରମଣ ବେଳେ ଜିଙ୍କ୍‌ ଓ ଭିଟାମିନ୍‌ ଡି’ ଅତ୍ୟନ୍ତ ଜରୁରି । ତେବେ ସଂକ୍ରମଣର ପଞ୍ଚମ ଦିନ ଅତି ଗୁରୁତ୍ୱପୂର୍ଣ୍ଣ । ସଂକଟାପନ୍ନ ହୋଇଥିବା ଆକ୍ରାନ୍ତ ରୋଗୀଙ୍କର ବିଶ୍ଳେଷଣରୁ ଏହା ଜାଣିବାକୁ ମିଳିଛି । ତୃତୀୟ ଦିନରେ ନିମୋନିଆ ହେବାର ଆଶଙ୍କା ଥାଏ । କିନ୍ତୁ ପଞ୍ଚମ ଦିନରେ ସ୍ଥିତି ଅଧିକ ଖରାପ ହୋଇଥାଏ । ଯଦି ସେହି ସମୟରେ ନିମୋନିଆ ବାବଦରେ ଜଣାପଡ଼ି ନ ଥାଏ, ତେବେ ଏହା ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ । ଏଭଳି ସ୍ଥିତିରେ ରୋଗୀକୁ ହସ୍ପିଟାଲ ନିଆଯିବା ଜରୁରି । ତେବେ ସ୍ୱାଦ ଓ ଗନ୍ଧ ବାରି ନ ହେବା ଦୁଇଟି ପ୍ରାଥମିକ ଲକ୍ଷଣ । ଏହି ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟିଙ୍ଗ୍‌ କରାଇନେବା ଆବଶ୍ୟକ । ଏହାକୁ ଅବହେଳା କରିବା ଅନୁଚିତ ବୋଲି ଡା. ଅଗ୍ରୱାଲ କହିଛନ୍ତି ।
ଅନ୍ୟପକ୍ଷରେ କୁହାଯାଇଛି ଯେ ୧୫ ମିନିଟ୍‌ ମଧ୍ୟରେ ଜଣକଠାରୁ ଅନ୍ୟ ଜଣକୁ ଭୂତାଣୁ ବ୍ୟାପିଥାଏ । କମ୍‌ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଗୃହ ସଙ୍ଗରୋଧ ସର୍ବୋତ୍କୃଷ୍ଟ । ସଂକ୍ରମଣକୁଏଡ଼ାଇବା ପାଇଁ ମାସ୍କ ଓ ସାମାଜିକ ଦୂରତା ସବୁଠୁ ସାର୍ବଜନିକ ନିବାରଣ ବ୍ୟବସ୍ଥା ଏବଂ ଏହାକୁ ପାଳନ କରିବା ଜରୁରି ବୋଲି କୁହାଯାଇଛି ।


Share It

Comments are closed.