ଖାଦ୍ୟ ଖାଇବା ପରେ ତୁରନ୍ତ ବସିବା କିମ୍ବା ଶୋଇବା ସ୍ଵାସ୍ଥ୍ୟ ପାଇଁ କେତେ ଦୂର ଠିକ? ତେବେ କ’ଣ କରିବେ ଜାଣନ୍ତୁ


ଖାଇବା ପରେ ତୁରନ୍ତ ବସିବା, ସୋଫା ବା ବିଛଣାରେ ଶୋଇବା ଦ୍ୱାରା ମେଦବୃଦ୍ଧି ଆଶଙ୍କା ବଢ଼ିଥାଏ । କାରଣ ଏହାର ସିଧାସଳଖ ପ୍ରଭାବ ପାଚନ କ୍ରିୟା ଉପରେ ପଡ଼େ । ତେଣୁ ପ୍ରତ୍ୟେକ ଥର ଖାଇବା ପରେ ୨ ମିନିଟ୍‌ ଚାଲିବା ଉଚିତ୍‌ । ପୂର୍ବରୁ ବିଶ୍ୱାସ କରାଯାଉଥିଲା କି ଖାଇବା ପରେ ଅତିକମ୍‌ରେ ୧୫ ମିନିଟ୍‌ ଚାଲିବା ଉଚିତ୍‌ । କାହିଁକି ନା ସମସ୍ତ ପ୍ରକାରର ରୋଗରୁ ଆମେ ଦୂରେଇ ରହିବା । ଏଥିସହ ବ୍ଲଡ୍‌ପ୍ରେସର, ସୁଗାରର ରୋଗିଙ୍କ ସ୍ବାସ୍ଥ୍ୟ ମଧ୍ୟ ନିୟନ୍ତ୍ରଣରେ ରହିବ ।

ନିକଟରେ ସ୍ପୋର୍ଟସ ମେଡିସିନ୍‌ ପତ୍ରିକାରେ ପ୍ରକାଶିତ ମେଟା ବିଶ୍ଳେଷଣର ୭ ଅଧ୍ୟୟନରୁ ଜଣାପଡ଼ିଛି, ଖାଇବା ପରେ ମାତ୍ର ୨ ମିନିଟ୍‌ ଚାଲିବା ଦ୍ୱାରା ଟାଇପ୍‌-୨ ମଧୁମେହ ଆଶଙ୍କା ହ୍ରାସ କରାଯାଇପାରେ । ଶରୀରରେ ରକ୍ତ ଶର୍କରା ସ୍ତର ମଧ୍ୟ ହ୍ରାସ ପାଏ । ଅଧ୍ୟୟନରେ ଖାଇବା ପରେ ବସିରହିବା କିମ୍ବା ଶୋଇବା ଏବଂ କିଛି ସମୟ ଚାଲିବାର ପ୍ରଭାବକୁ ନେଇ ଇନ୍‌ସୁଲିନ୍‌ ରକ୍ତ ଶର୍କରା ସ୍ତରର ତୁଳନା କରାଯାଇଛି । ଖାଇବା ପରେ ସଙ୍ଗେସଙ୍ଗେ ଶୋଉଥିବା ବ୍ୟକ୍ତିଙ୍କ ଶର୍କରା ସ୍ତର ହଠାତ୍‌ ବଢ଼ିଯାଇଥିଲା, ଯାହା ଧୀରେ ଧୀରେ ହ୍ରାସ ପାଇଥିଲା । ଅଧ୍ୟୟନ ଅନୁସାରେ, ୧୫ ମିନିଟ୍‌ ଚାଲିବା ଉଚ୍ଚ ରକ୍ତଚାପ, ମଧୁମେହ, ମୋଟାପଣ ଭଳି ରୋଗ ପାଇଁ ଲାଭକର ହୋଇପାରେ । ଖାଇବାର ୬୦ରୁ ୯୦ ମିନିଟ୍‌ ମଧ୍ୟରେ ଟିକିଏ ଚାଲିବା ଉଚିତ୍‌ ।

ଅଧ୍ୟୟନରେ ସାମିଲ ହ୍ୟୁଷ୍ଟନ୍‌ ମେଥୋଡିଷ୍ଟ ହସ୍‌ପିଟାଲର ହୃଦ୍‌ ବିଶେଷଜ୍ଞ ଡାକ୍ତର କେରଶ ପଟେଲ କହନ୍ତି, ପ୍ରତ୍ୟେକ ଛୋଟ ଛୋଟ ପ୍ରୟାସରେ ଲାଭ ରହିଛି । ସମୟ ନ ଥିଲେ, କେବଳ ଠିଆ ହୋଇ ମଧ୍ୟ ରକ୍ତ ଶର୍କରା ହ୍ରାସ କରାଯାଇପାରେ । କିନ୍ତୁ ଏହାର ପ୍ରଭାବ ଚାଲିବା ତୁଳନାରେ ବହୁତ କମ୍‌ । ଅଫିସ୍‌ରେ ମଧ୍ୟାହ୍ନ ଭୋଜନ ପରେ ଟିକିଏ ଚାଲିବା ମଧ୍ୟ ହିତକର ହୋଇପାରେ ବୋଲି ସେ କହିଛନ୍ତି


Share It

Comments are closed.