ପ୍ଲେଅଫରେ ପହଞ୍ଚିବା ପାଇଁ ଚେନ୍ନାଇ ପାଖରେ ଏବେବି ରହିଛି ସୁଯୋଗ, ଜାଣନ୍ତୁ କେମିତି


କଣ ଆଇପିଏଲରେ ବଡ ଓଲଟ ପାଲଟା ହେବାକୁ ଯାଉଛି କି ? କଣ ତିନି ଥରର ଚମ୍ପିଆନ ଟିମ୍ ଆଇପିଏଲରେ ପ୍ରଥମ ଥର ପ୍ଲେଅଫ୍‌ରୁ ବାଦ୍ ପଡିବ କି ? ଆମେ ଆଲୋଚନା କରୁଛୁ ଚେନ୍ନାଇ ସୁପରକିଙ୍ଗ୍ସ ବିଷୟରେ। ଦଳ ବର୍ତ୍ତମାନ ୧୦ଟି ମ୍ୟାଚ୍‌ରୁ ୭ଟିରେ ପରାଜିତ ହୋଇ ସଙ୍କଟରେ। ରାଜସ୍ଥାନ ବିପକ୍ଷରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଲଜ୍ଜାଜନକ ପରାଜୟ ପରେ ପ୍ରଶ୍ନ ଉଠୁଛି ଯେ, କଣ ଚେନ୍ନାଇ ଦଳ ପ୍ଲେଅଫ୍‌ ଦୌଡରୁ ବାହାର ହୋଇ ସାରିଛି ? ଏହି ଚମ୍ପିଆନ ଦଳର ପ୍ରଦର୍ଶନ ପ୍ରଶଂସକଙ୍କୁ ନିରାଶ କରିଛି। ମାତ୍ର ଏବେ ନିରାଶ ହେବାର ଆବଶ୍ୟକତା ନାହିଁ କାରଣ ୭ ପରାଜୟ ପରେ ବି ଧୋନୀଙ୍କ ଦଳ ପ୍ଲେଅଫ ଦୌଡରେ ରହିଛି। ମାତ୍ର ଏଥିପାଇଁ ଦଳକୁ ଚମତ୍କାର କରିବାକୁ ପଡିବ ଏବଂ ଆଉ କିଛି ଭାଗ୍ୟର ସାହାରା ମଧ୍ୟ ଦରକାର।

ଚେନ୍ନାଇ ସୁପର କିଙ୍ଗ୍ସ ୧୦ଟି ମ୍ୟାଚ୍‌ରୁ ୭ ପରାଜୟ ଓ ୩ ବିଜୟ ସହ ୬ ପଏଣ୍ଟ ପାଇ ତାଲିକାର ସବୁଠୁ ନିମ୍ନରେ ରହିଛି। ଚେନ୍ନାଇ ହାତରେ ଏବେ କେବଳ ୪ଟି ମ୍ୟାଚ୍‌ ରହିଛି। ଯାହା ଦଳର ଭବିଷ୍ୟତ ସ୍ଥିର କରିବ। ଚେନ୍ନାଇକୁ ଯଦି ପ୍ଲେଅଫ୍‌ରେ ପହଞ୍ଚିବାକୁ ପଡେ ତେବେ ବାକି ସମସ୍ତ ମ୍ୟାଚ୍‌ କେବଳ ଜିତିଲେ ହେବ ନାହିଁ ବରଂ ବଡ ବ୍ୟବଧାନରେ ଜିତିବାକୁ ପଡିବ। ଯଦ୍ଵାରା ରନ୍‌ ରେଟ୍ ମଧ୍ୟ ଭଲ ରହିବ। ୪ ମ୍ୟାଚ୍‌ ଜିତିଲେ ଚେନ୍ନାଇ ଖାତାକୁ ୧୪ ପଏଣ୍ଟ ଆସିବ। ୧୪ ପଏଣ୍ଟ ପ୍ଲେଅଫ୍ ପାଇଁ ପର୍ଯ୍ୟାପ୍ତ, ହେଲେ ଏଥିପାଇଁ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର କରିବାକୁ ପଡିବ।

ଏମିତି ବୁଝନ୍ତୁ ଗଣିତ

ଆଇପିଏଲରେ ଯେଉଁ ଦଳ ଲିଗ୍ ପର୍ଯ୍ୟାୟରେ ୧୬ ପଏଣ୍ଟ ହାସଲ କରେ ସେହି ଦଳର ଫ୍ଲେଅପ୍‌ ପହଞ୍ଚିବା ନିଶ୍ଚିତ। ମାତ୍ର ୧୪ ପଏଣ୍ଟ ମଧ୍ୟ ପ୍ଲେଅଫ ପାଇଁ ଦ୍ଵାର ଖୋଲା ରଖିଥାଏ। କିନ୍ତୁ ଅନ୍ୟ ଦଳ ସହିତ କଡା ଟକ୍କର ହେବାର ସମ୍ଭାବନା ରହିଥାଏ। ଚେନ୍ନାଇ ଖାତାରେ ଏବେ ୬ ପଏଣ୍ଟ ରହିଛି। ଯଦି ବାକି ସବୁ ୪ ମ୍ୟାଚ୍‌ ଦଳ ଜିତେ ତେବେ ପଏଣ୍ଟ ୧୪ରେ ପହଞ୍ଚିବ। ଏହି ପଏଣ୍ଟ ମିଳିଲେ ବି ଦଳ ନିରାପଦ ନୁହେଁ। ଦଳକୁ ଅନ୍ୟ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର କରିବାକୁ ପଡିବ। ଏଥିପାଇଁ ସର୍ତ୍ତ ଏହା ଯେ, ଶୀର୍ଷ ଦଳ ଦିଲ୍ଲୀ, ମୁମ୍ଵାଇ ଓ ବେଙ୍ଗାଲୁରୁକୁ କୌଣସି ମ୍ୟାଚ୍‌ରେ ପରାଜିତ ହେବାକୁ ନପଡେ। ଏହି ତିନି ଦଳ ନିଜର ବଳକା ସମସ୍ତ ମ୍ୟାଚ୍‌ ଜିତନ୍ତୁ ଏବଂ ନିମ୍ନରେ ଥିବା ବାକି ଦଳ ପରାଜିତ ହୁଅନ୍ତୁ। ଏମିତି ହେଲେ ଯାଇ ଚେନ୍ନାଇର ପ୍ଲେଅଫ୍‌ରେ ପ୍ରବେଶ କରିବାର ସମ୍ଭାବନା ରହିଛି।

ଉଲ୍ଲେଖନୀୟ ଆଇପିଏଲ ଇତିହାସରେ ଏ ପର୍ଯ୍ୟନ୍ତ ଧୋନୀଙ୍କ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ଲିଗ୍ ପର୍ଯ୍ୟାୟରୁ ବାଦ୍ ପଡିନାହିଁ। ଯଦି ଧୋନୀଙ୍କ ଦଳ ବାକି ୪ ମ୍ୟାଚ୍‌ରୁ ଗୋଟିଏରେ ପରାଜିତ ହେଲେ ଦଳର ପ୍ଲେ ଅଫ୍‌ରେ ପହଞ୍ଚିବାର ସମସ୍ତ ଆଶା ପାଣିରେ ମିଳେଇଯିବ।


Share It

Comments are closed.