ଟିପିଏନଓଡିଏଲ ପକ୍ଷରୁ ଲାଇନମେନ ଦିବସ ପାଳିତ
ବାଲେଶ୍ଵର,୫/୩ : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ପକ୍ଷରୁ ସମସ୍ତ ସେକ୍ସନ ତଥା କାର୍ଯ୍ୟାଳୟ ସ୍ତରରେ ଲାଇନମେନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଟିପିଏନଓଡିଏଲ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗଜାନନ କାଲେଙ୍କ ପୌରୋହିତ୍ୟରେ ବାଲେଶ୍ବର କର୍ପୋରେଟ କାର୍ଯ୍ୟାଳୟରେ ପରିଚାଳନା ମୁଖ୍ୟ ନୀଲେଶ ପୋଟଫଡେ, କମର୍ସିଆଲ ମୁଖ୍ୟ ଜୟଦୀପ ରୟ, ପ୍ରକଳ୍ପ ମୁଖ୍ୟ ପ୍ରଦୀପ କୁମାର ମହାନ୍ତି, ମାନବ ସମ୍ବଳ ବିଭାଗ ମୁଖ୍ୟ ରମେନ୍ଦ୍ର ବନିକ, ସୁରକ୍ଷା ବିଭାଗ ମୁଖ୍ୟ ତପନ କୁମାର ପାତ୍ର, ବାଲେଶ୍ଵର, ଭଦ୍ରକ, କେନ୍ଦୁଝର, ଯାଜପୁର ଓ ଭଦ୍ରକ ବୈଦ୍ୟୁତିକ ମଣ୍ଡଳର ଅଧିକ୍ଷଣ ଯନ୍ତ୍ରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଲାଇନମେନ ଦିବସର ଶୁଭାରମ୍ଭ ହୋଇଥିଲା । ଏହି ଅବସରରେ କମ୍ପାନୀର ସମସ୍ତ ଅଧିକାରୀ ଆଭାସି ମାଧ୍ୟମରେ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ I
ଲାଇନମେନ ଦିବସର ଆଭିମୁଖ୍ୟ ଓ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରି ସିଇଓ ଶ୍ରୀ କାଲେ ଦର୍ଶାଇଥିଲେ ଯେ, ଲାଇନମେନମାନେ ହେଲେ ଟିପିଏନଓଡ଼ିଏଲର ପ୍ରମୁଖ ଯୋଦ୍ଧା I ଯେକୌଣସି ପରିସ୍ଥିତି ଅଥବା ପରିବେଶ ହେଉ ନା କାହିଁକି ଉପଭୋକ୍ତାମାନଙ୍କ ପାଇଁ ନିରବଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇଦେବା ନେଇ ସେମାନେ ସର୍ବଦା ତତ୍ପର ରୁହନ୍ତି । ଲାଇନମେନଙ୍କ କାର୍ଯ୍ୟକୁଶଳତା ବୃଦ୍ଧି ପାଇଁ ଆଧୁନିକ ପ୍ରଯୁକ୍ତି ଓ ପ୍ରଶିକ୍ଷଣ ଉପରେ ବିଶେଷ ଗୁରୁତ୍ଵ ଦିଆଯାଉଥିବା ବେଳେ ସେମାନଙ୍କ ସେବା, ସ୍ଵାଭିମାନ ତଥା ଦାୟିତ୍ଵବୋଧକୁ ସମ୍ମାନ ଦେବା ଏହି କାର୍ଯ୍ୟକ୍ରମ ତଥା ଟିପିଏନଓଡ଼ିଏଲର ମୂଳ ଆଭିମୁଖ୍ୟ ବୋଲି ସେ କହିଥିଲେ। ବୈଦ୍ୟୁତିକ ଲାଇନରେ କାମ କରିବା ପୂର୍ବରୁ ନିର୍ଦ୍ଧାରିତ ସମସ୍ତ ସୁରକ୍ଷା ପ୍ପ୍ରାବଧାନକୁ ନିଶ୍ଚିତ ରୂପେ ମାନିବା ସହ ସବୁବେଳେ ସୁରକ୍ଷା ମାର୍ଗଦର୍ଶିକା ଅନୁପାଳନ କରିବାକୁ ମଧ୍ୟ ସେ ଲାଇନମେନମାନଙ୍କୁ ପରାମର୍ଶ ଦେଇଥିଲେ।
“ସୁରକ୍ଷିତ କାର୍ଯ୍ୟକ୍ଷେତ୍ର ସୃଷ୍ଟି କରିବା ଦିଗରେ ସମସ୍ତଙ୍କୁ ସାମିଲ କରିବା, ଶିକ୍ଷିତ କରିବା ଓ ସଶକ୍ତ କରିବା” ବିଷୟବସ୍ତୁରେ ଚଳିତ ବର୍ଷ ମାର୍ଚ୍ଚ ମାସରେ ୫୫ତମ ଜାତୀୟ ସୁରକ୍ଷା ମାସ ପାଳିତ ହେଉଥିବାବେଳେ ଟିପିଏନଓଡ଼ିଏଲ ପକ୍ଷରୁ କର୍ମଚାରୀମାନଙ୍କୁ ସମସ୍ତ ସୁରକ୍ଷା ପ୍ରାବଧାନ ଅନୁସରଣ କରିବାକୁ ପରାମର୍ଶ ଦିଆଯିବା ସହ କୌଣସି ପରିସ୍ଥିତିରେ ମଧ୍ୟ ସୁରକ୍ଷା ମାର୍ଗଦର୍ଶିକାକୁ ଅବମାନନା ନ କରିବା ପାଇଁ ଆଧିକାରିକ ନିର୍ଦ୍ଦେଶନାମା ଜାରି ହୋଇଛି । କମ୍ପାନୀ ପକ୍ଷରୁ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ନେଇ କମ୍ପାନୀ ଅଧିକାରୀ ତଥା ସହକାରୀ ସଂସ୍ଥା କର୍ମଚାରୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବହୁବିଧ କାର୍ଯ୍ୟକ୍ରମ ତଥା ପ୍ରତିଯୋଗୀତା ଆୟୋଜନର ଯୋଜନା ରହିଛି I
ଟିପିଏନଓଡ଼ିଏଲର ପକ୍ଷରୁ ଲାଇନମେନ ଦିବସ ପାଇଁ କର୍ମଚାରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ସଚେତନତା ଶୋଭାଯାତ୍ରା, ପୋଷ୍ଟର ରାଲି ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।

Comments are closed.