ହ୍ଵାଇଟ୍ ହାଉସ୍‌ରେ ପତ୍ନୀ ଜିଲ୍‌ଙ୍କ ସହ ଦୀପାବଳୀ ପାଳିଲେ ବାଇଡେନ୍


ଦୀପାବଳୀ ପାଳିଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍। ଭାରତୀୟଙ୍କ ସହ ବାଇଡେନ୍ ହ୍ଵାଇଟ୍‌ ହାଉସ୍‌ରେ ଦୀପାବଳୀ ପାଳନ କରିଛନ୍ତି। ଏହି ସମୟରେ ବାଇଡେନ୍‌ଙ୍କ ପତ୍ନୀ ଜିଲ ବାଇଡେନ, ଉପରାଷ୍ଟ୍ରପତି କମଲା ହ୍ୟାରିସ୍, ଏବଂ ବହୁ ଭାରତୀୟ ବଂଶୋଦ୍ଭବ ଉପସ୍ଥିତ ଥିଲେ।

ସୂଚାନୁଯାୟୀ, ସୋମବାର ରାତିରେ ହ୍ଵାଇଟ୍ ହାଉସ୍‌ରେ ଦୀପାବଳୀ ପାଳନ କରାଯାଇଥିଲା। ଏହି ଅବସରରେ ବାଇଡେନ କହିଛନ୍ତି ଯେ, ଦୀପାବଳୀ ଅବସରରେ ହ୍ଵାଇଟ୍ ହାଉସ୍‌ରେ ପ୍ରଥମ ଥର ପାଇଁ ଏତେ ବଡ଼ ଧରଣର ଉତ୍ସବର ଆୟୋଜନ ହୋଇପାରିଛି। ଗତ ସରକାରଙ୍କ ତୁଳନାରେ ଆମ ସରକାର ସମୟରେ ବହୁ ସଂଖ୍ୟାରେ ଏଶିଆନ୍-ଆମେରିକାନ୍ ସାମିଲ ଥିଲେ। ଦୀପାବଳୀକୁ ଆମେରିକୀୟ ସଂସ୍କୃତିର ଅଂଶ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଦୀପାବଳୀ ଅବସରରେ ବାଇଡେନ୍ ସାରା ବିଶ୍ଵରେ ଥିବା ୧୦୦ କୋଟିରୁ ଉର୍ଦ୍ଧ୍ଵ ହିନ୍ଦୁ, ଜୈନ, ଶିଖ ଏବଂ ବୌଦ୍ଧ ଧର୍ମାଲମ୍ଵୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆମେରିକୀୟ ସରକାରରେ ଭିନ୍ନ ଭିନ୍ନ ସଂସ୍କୃତି ସାମିଲ ହୋଇଛି। ଉପରାଷ୍ଟ୍ରପତି କମଲା ହ୍ୟାରିସ୍ ପ୍ରଥମ ଅଶ୍ଵେତ ମହିଳା ହୋଇପାରିଛନ୍ତି।

ସେହିପରି କମଲା ହ୍ୟାରିସ୍ କହିଛନ୍ତି ଯେ, ହ୍ଵାଇଟ୍ ହାଉସ୍ ସାଧାରଣ ଲୋକଙ୍କ ଘର। ଜିଲ ବାଇଡେନ୍ ଏହି ଘରର ମାହୋଲ ଏଭଳି କରିଛନ୍ତି ଯେ, ଆମେରିକାର ଯେକୌଣସି ନାଗରିକ ଏଠାରେ ନିଜ ସଂସ୍କୃତି ଏବଂ ଉତ୍ସବ ପାଳନ କରିପାରିବ।


Share It

Comments are closed.